ଭୁବନେଶ୍ବର: ପୂର୍ବତନ ଯୁବ କଂଗ୍ରେସ ସଭାପତି ତଥା ଟାଣୁଆ ଯୁବ ନେତା ସଂଗ୍ରାମ ଜେନାଙ୍କ ଦେହାନ୍ତ । ହାଇଦ୍ରାବାଦର କିମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ସଂଗ୍ରାମ । ସେ ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନାଙ୍କ ପୁଅ ଥିଲେ ।
ଜୀବନ ଯୁଦ୍ଧରେ ହାରିଗଲେ ପୂର୍ବତନ ଯୁବ କଂଗ୍ରେସ ସଭାପତି ସଂଗ୍ରାମ ଜେନା
ପୂର୍ବତନ ଯୁବ କଂଗ୍ରେସ ସଭାପତି ତଥା ଟାଣୁଆ ଯୁବ ନେତା ସଂଗ୍ରାମ ଜେନାଙ୍କ ଦେହାନ୍ତ । ଚିକିତ୍ସାଧୀନ ଅବସ୍ଥାରେ ହାଇଦ୍ରାବାଦ କିମ୍ସରେ ପ୍ରାଣ ହରାଇଥିବା ସୂଚନା । ଅଧିକ ପଢନ୍ତୁ...
ଦୀର୍ଘ ୩ ମାସ ଧରି କୋଭିଡ ସଂକ୍ରମଣ ପରେ ଚିକିତ୍ସିତ ହେଉଥିଲେ । ମିଳିଥିବା ସୂଚନା ଅନୁଯାୟୀ କୋଭିଡ ପରେ ଫୁସଫୁସଜନିତ ସମସ୍ୟାରେ ପୀଡିତ ଥିଲେ ସଂଗ୍ରାମ । ହାଇଦ୍ରାବାଦରେ ଏକମୋ ଚିକିତ୍ସା ଦିଆଯାଉଥିଲା । ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଥିଲେ ମଧ୍ୟ ଆଜି(ଗୁରୁବାର) ହୃଦଘାତରେ ପ୍ରାଣହରାଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୪ ବର୍ଷ ବୟସ ହୋଇଥିଲା । ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ବଡ ପୁଅ ଥିଲେ ସଂଗ୍ରାମ । ମେ ୨୨ ରେ ହାଇଦ୍ରାବାଦ ସ୍ଥିତ କିମ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଦୀର୍ଘ ୮୪ ଦିନ ମୃତ୍ୟୁ ସହ ଲଢି ଶେଷରେ ଆଖି ବୁଜିଛନ୍ତି ସଂଗ୍ରାମ ।
ସଂଗ୍ରାମଙ୍କ ମୃତଦେହକୁ ଓଡିଶା ଅଣାଯିବ । ତେବେ କେଉଁଠି ଅନ୍ତିମ ସତ୍କାର କରାଯିବ ସେନେଇ ସ୍ପଷ୍ଟ ହୋଇନାହିଁ । ସଂଗ୍ରାମ ୨୦୧୪ ସାଧାରଣ ନିର୍ବାଚନରେ ଭଦ୍ରକ ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ । ଏହା ପୂର୍ବରୁ ରାଜ୍ୟ ଯୁବ କଂଗ୍ରେସର ସଭାପତି ଭାବେ ଦାୟିତ୍ବ ତୁଲାଇବା ସହ ବର୍ତ୍ତମାନ ପିସିସି କମିଟିର ସମ୍ପାଦକ ଭାବେ କାର୍ଯ୍ୟରତ ଥିଲେ । ତାଙ୍କ ବିୟୋଗରେ ରାଜ୍ୟ କଂଗ୍ରେସରେ ଶୋକର ଛାୟା ଖେଳିଯାଇଛି ।
ଭୁବନେଶ୍ବରରୁ ସଞ୍ଜିବ କୁମାର ରାୟ, ଇଟିଭି ଭାରତ