ଓଡିଶା

odisha

ETV Bharat / city

7 ଜିଲ୍ଲାରେ ଆରମ୍ଭ ହେବ ‘ରିୱାର୍ଡ’, 6 ବର୍ଷରେ ଖର୍ଚ୍ଚ ହେବ 211.57 ନିୟୁତ ଡଲାର

ଜଳଛାୟା ଅଞ୍ଚଳରେ ନିରନ୍ତର ଜୀବିକା ସୃଷ୍ଟି ଓ ସମନ୍ୱିତ ବିକାଶ ଦିଗରେ ରାଜ୍ୟ ସରକାର ନେବାକୁ ଯାଉଛନ୍ତି ବଡ଼ ପଦକ୍ଷେପ । 7 ଜିଲ୍ଲାରେ ଆରମ୍ଭ ହେବ ଜଳଛାୟା ପାଇଲଟ ପ୍ରକଳ୍ପ ‘ରିୱାର୍ଡ’ । ଅଧିକ ପଢନ୍ତୁ...

7 ଜିଲ୍ଲାରେ ଆରମ୍ଭ ହେବ ଜଳଛାୟା ପାଇଲଟ ପ୍ରକଳ୍ପ ‘ରିୱାର୍ଡ’; 6 ବର୍ଷରେ ବିନିଯୋଗ ହେବ 211.57 ନିୟୁତ ଡଲାର
7 ଜିଲ୍ଲାରେ ଆରମ୍ଭ ହେବ ଜଳଛାୟା ପାଇଲଟ ପ୍ରକଳ୍ପ ‘ରିୱାର୍ଡ’; 6 ବର୍ଷରେ ବିନିଯୋଗ ହେବ 211.57 ନିୟୁତ ଡଲାର

By

Published : Jun 6, 2021, 8:59 PM IST

ଭୁବନେଶ୍ବର: ଜଳଛାୟା ଅଞ୍ଚଳରେ ନିରନ୍ତର ଜୀବିକା ସୃଷ୍ଟି ଓ ସମନ୍ୱିତ ବିକାଶ ଦିଗରେ ରାଜ୍ୟ ସରକାର ନେବାକୁ ଯାଉଛନ୍ତି ବଡ଼ ପଦକ୍ଷେପ । 7 ଜିଲ୍ଲାରେ ନୂଆ ପାଇଲଟ ଯୋଜନା ‘ରିୱାର୍ଡ’ର ପରିକଳ୍ପନା କରିଛନ୍ତି ସରକାର । ନବରଙ୍ଗପୁର, ସୁନ୍ଦରଗଡ, କୋରାପୁଟ, ନୟାଗଡ଼, ଢେଙ୍କାନାଳ, ଦେଓଗଡ଼ ଓ ସମ୍ବଲପୁର ଜିଲ୍ଲାର 4.11 ଲକ୍ଷ ହେକ୍ଟର ପରିବ୍ୟାପ୍ତ ଜଳଛାୟା ଅଞ୍ଚଳରେ ପାଇଲଟ୍‌ ପ୍ରକଳ୍ପ ଭାବେ ଆରମ୍ଭ କରିବେ ସରକାର । 7 ଜିଲ୍ଲାର 705 ଟି କ୍ଷୁଦ୍ର-ଜଳଛାୟା ପ୍ରକଳ୍ପ ଅଞ୍ଚଳ ଏଥିରେ ହେବ ସାମିଲ । ପ୍ରକଳ୍ପର ଅବଧି ପ୍ରାୟ 6 ବର୍ଷ ଥିବା ବେଳେ ବିନିଯୋଗ ହେବ ପ୍ରାୟ 211.57 ନିୟୁତ ଡଲାର ।

ରିୱାର୍ଡ ପକଳ୍ପ ନେଇ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିଲା ଉଚ୍ଚସ୍ତରୀୟ ବୈଠକ । ଲୋକସେବା ଭବନରୁ ଡିଜିଟାଲ୍‌ ମୋଡ୍‌ରେ ଅନୁଷ୍ଠିତ ଏହି ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ପ୍ରକଳ୍ପର ଆବଶ୍ୟକତା ବିଷୟ ଉପସ୍ଥାପନ କରିଛନ୍ତି । ସେହିପରି ବିଶ୍ୱବ୍ୟାଙ୍କର ବରିଷ୍ଠ ଅଧିକାରୀ ପ୍ରୀତି କୁମାର ନିଜ ଟିମ୍‌ଙ୍କ ସହ ପ୍ରକଳ୍ପର ବୈଷୟିକ, ଆର୍ଥିକ ଓ କାର୍ଯ୍ୟପନ୍ଥା ବିଷୟରେ ସବିଶେଷ ସୂଚନା ଦେଇଛନ୍ତି ।ରିଜୁଭେନେଟିଂ ୱାଟରସେଡସ୍‌ ଫର ଏଗ୍ରିକଲଚରାଲ୍‌ ରେଜିଲେନ୍ସ ଥ୍ରୁ ଇନୋଭେଟିଭ୍‌ ଡେଭଲପ୍‌ମେଣ୍ଟ ବା ‘ରିୱାର୍ଡ’ । ରିୱାର୍ଡ ପ୍ରକଳ୍ପକୁ କୋରାପୁଟ, ନୟାଗଡ଼, ଢେଙ୍କାନାଳ, ଦେଓଗଡ଼ ଓ ସମ୍ବଲପୁର ଆଦି 5ଟି ଜିଲ୍ଲାର 1.15 ଲକ୍ଷ ହେକ୍ଟର ପରିବ୍ୟାପ୍ତ ଜଳଛାୟା ପ୍ରକଳ୍ପ ଅଞ୍ଚଳରେ ପରୀକ୍ଷାମୂଳକ (ପାଇଲଟ୍‌) ପ୍ରକଳ୍ପ ଭାବେ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ଏହି ସବୁ ଜିଲ୍ଲାର 152 ଟି କ୍ଷୁଦ୍ର-ଜଳଛାୟା ପ୍ରକଳ୍ପ ଅଞ୍ଚଳ ଏଥିରେ ସାମିଲ ହେବ ।

ଏହିସବୁ ପ୍ରକଳ୍ପ ସଂଲଗ୍ନ ଅଧିକ 4.11 ଲକ୍ଷ ହେକ୍ଟର ଜମିକୁ ମଧ୍ୟ ଏହି ପ୍ରକଳ୍ପରେ ସାମିଲ କରାଯିବ । ଏହି ସଂପ୍ରସାରିତ ଅଞ୍ଚଳରେ 533 ଟି କ୍ଷୁଦ୍ର ଜଳଛାୟା ପ୍ରକଳ୍ପ ରହିଛି । ଉପରୋକ୍ତ 5ଟି ଜିଲ୍ଲା ସହ ନବରଙ୍ଗପୁର ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟ କରୁଛି । ଏହିପରି ଭାବେ ସମୁଦାୟ 7ଟି ଜିଲ୍ଲାର 705 କ୍ଷୁଦ୍ର ଜଳଛାୟା ପ୍ରକଳ୍ପ ଅନ୍ତର୍ଭୁକ୍ତ 5.26 ଲକ୍ଷ ହେକଫର ଭୂସଂପତ୍ତି ଏବଂ ପ୍ରାକୃତିକ ସାଧନକୁ ପ୍ରଥମ ପର୍ଯ୍ୟାୟରେ ପ୍ରକଳ୍ପରେ ସାମିଲ କରିବା ପାଇଁ ନିଷ୍ପତ୍ତି ହୋଇଛି ।ପ୍ରକଳ୍ପର ବିଭିନ୍ନ ଦିଗକୁ ବିଚାର କରି କୃଷକମାନଙ୍କ ନିମନ୍ତେ ନିରନ୍ତର ଜୀବିକା ନିର୍ବାହ ପନ୍ଥା ଏବଂ ଆୟବୃଦ୍ଧି ଉପରେ ଗୁରୁତ୍ୱ ଦେଇ ଯୋଜନା ସ୍ଥିର କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ଜଳଛାୟା ପ୍ରକଳ୍ପ ଅନ୍ତର୍ଭୁକ୍ତ ସମସ୍ତ ଅଞ୍ଚଳ ସହ ପ୍ରକଳ୍ପ ସଂଲଗ୍ନ ଅଞ୍ଚଳମାନଙ୍କୁ ଏହି ଯୋଜନା ସଂପ୍ରସାରିତ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ନୂତନ ଜ୍ଞାନକୌଶଳ ପ୍ରୟୋଗ ଓ ପରିପୂର୍ଣ୍ଣତା ଭିତ୍ତିରେ (ସେଚୁରେସନ୍‌ ମୋଡ୍‌)ରେ ସମଗ୍ର ଭୂସଂପତ୍ତି ଓ ପ୍ରାକୃତିକ ସାଧନର ବିନିଯୋଗ କରି କୃଷକମାନଙ୍କ ଆୟବୃଦ୍ଧି ହାସଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।ବିଶ୍ୱବ୍ୟାଙ୍କ ପ୍ରତିନିଧି କୁମାରୀ ପ୍ରୀତି କୁମାର କହିଛନ୍ତି ଯେ, ଜଳଛାୟା ପ୍ରକଳ୍ପ କ୍ଷେତ୍ରରେ ଓଡ଼ିଶା ଏକ ଅଗ୍ରଗାମୀ ରାଜ୍ୟ । ସମଗ୍ର ଦେଶରେ କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଆଦି ୩ଟି ରାଜ୍ୟରେ ଏହି ରିୱାର୍ଡ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ବିଶ୍ୱବ୍ୟାଙ୍କ ପ୍ରସ୍ତାବ ରଖିଛନ୍ତି

। ପ୍ରକଳ୍ପ ଦ୍ୱାରା ଜଳଛାୟା ଅଞ୍ଚଳର ସମନ୍ୱିତ କୃଷିକୁ ପ୍ରାକୃତିକ ବିପର୍ଯ୍ୟୟ-ସହନଶୀଳ କରାଯିବ । କୃଷି-ଜଳବାୟୁ ଭିତ୍ତିରେ ଭୂସମ୍ପତ୍ତିର ପୂର୍ଣ୍ଣ ବିନିଯୋଗ ସହ ଉତ୍ପାଦକତା ବୃଦ୍ଧି କରାଯିବ । ଏହା ସହ କୃଷକମାନଙ୍କ ଆୟ ବୃଦ୍ଧି ନିମନ୍ତେ ବୈଷୟିକ ଓ ଆର୍ଥିକ ସହଯୋଗ ମାଧ୍ୟମରେ ସ୍ଥାନୀୟ କୃଷି ଉଦ୍ୟୋଗ ସୃଷ୍ଟି କରାଯିବ ।ଓଡ଼ିଶା ସରକାରଙ୍କ ପ୍ରଚଳିତ ବ୍ୟବସ୍ଥା ଅନୁସାରେ କୃଷକମାନଙ୍କଠାରୁ କୃଷି ଉତ୍ପାଦ ସବୁ କ୍ରୟ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ପ୍ରକଳ୍ପରେ ପ୍ରାୟ ୨୧୧.୫୭ ନିୟୁତ ଡଲାର ବିନିଯୋଗ ହେବାର ଆକଳନ କରାଯାଇଥିବା ବିଭାଗୀୟ ଶାସନ ସଚିବ ସୂଚନା ଦେଇଛନ୍ତି । ପ୍ରକଳ୍ପର ଅବଧି କାଳ ପ୍ରାୟ 6 ବର୍ଷ ରହିବ । ଏହି ଅର୍ଥ ମଧ୍ୟରୁ 162.57 ନିୟୁତ ଡଲାର ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନାର ସଂଯୋଜନା ଭିତ୍ତିରେ ଯୋଗାଇବେ ।

ବିଶ୍ୱବ୍ୟାଙ୍କର ଆନ୍ତର୍ଜାତିକ ପୁନର୍ଗଠନ ଓ ଉନ୍ନୟନ ବ୍ୟାଙ୍କ 49 ନିୟୁତ ଡଲାର ଋଣ ଆକାରରେ ଯୋଗାଇବେ ।ଯୋଜନାର କାର୍ଯ୍ୟାନ୍ୱୟନ ଏବଂ ଫଳାଫଳର ନିୟମିତ ମୂଲ୍ୟାୟନ ନିମନ୍ତେ ଏକ ନିର୍ଭରଯୋଗ୍ୟ ବିଶେଷଜ୍ଞ ସଂସ୍ଥା ଚୟନ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଚଳିତ ବର୍ଷ ଜୁଲାଇ ମାସ ଶେଷ ସୁଦ୍ଧା ପ୍ରକଳ୍ପ ପ୍ରସ୍ତାବ ଏବଂ କାର୍ଯ୍ୟାନ୍ୱୟନ ପଦ୍ଧତି ପୂର୍ଣ୍ଣାଙ୍ଗ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି । ବୈଠକରେ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, କୃଷି ଉତ୍ପାଦନ କମିଶନର ରାଜ କୁମାର ଶର୍ମା, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନାଙ୍କ ସମେତ ସଂପୃକ୍ତ ବିଭାଗର ପ୍ରମୁଖ ଶାସନ ସଚିବ, ଶାସନ ସଚିବ ଏବଂ ବିଶ୍ୱବ୍ୟାଙ୍କର ବରିଷ୍ଠ ପଦାଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details