ହାଇଦ୍ରାବାଦ: ରାଗ, ଋଷା, ମାନ ଅଭିମାନର ସୁନ୍ଦର ସମ୍ପର୍କ । ଟିକିଏ ଦେଇ କୋଟିଏ ପାଇବାର ଆଶାର ସଂଚାର । ବାପାଙ୍କ ପରେ ଝିଅଟିର ସୁରକ୍ଷା କବଚ । ଯଦି ସାଙ୍ଗରେ ସେ ଥାଏ, ତେବେ ଭୟ କି ବିଶାଦର ପ୍ରଶ୍ନ ନଥାଏ । ବିନା ଦ୍ବିଧାରେ, ବିନା ସଙ୍କୋଚରେ ଯଦି ଝିଏଟିଏ କାହାଠାରୁ କିଛି ମନଖୋଲି ମାଗିଦିଏ, ତେବେ ସେ ହେଉଛି ସେହି ବ୍ୟକ୍ତିତ୍ବ । ଯାହାର ନାମ ଭାଇ... । ଭାଇ.. ବାସ୍ ଏହି ଡାକରେ ହିଁ ସବୁକିଛି ଭରି ରହିଛି । ମନକୁ ଭୟ ଆସୁ କି ଖୁସି ଭାଇ ଡାକି ସବୁକିଛି ବଖାଣିଦିଏ ଭଉଣୀ । ଏହି ସୁନ୍ଦର ସମ୍ପର୍କକୁ ଆହୁରି ମଜଭୂତ କରେ ରାକ୍ଷୀ । ରେଶମୀର ଏହି ପତଳା ଡୋରିରେ ଅଛି ସୁରକ୍ଷାର ପ୍ରତିଶ୍ରୁତି ।
ଆଜି ହେଉଛି ଭାରତୀୟ ପରମ୍ପରାର ସୁନ୍ଦର ନିଦର୍ଶନ ରକ୍ଷା ବନ୍ଧନ ବା ଗହ୍ମା ପୂର୍ଣ୍ଣିମା । ପୁରଠୁ ପଲ୍ଲୀ ହୋଇ ଉଠିଛି ଉତ୍ସବ ମୁଖର । ଭାଇର ଦୀର୍ଘାୟୁ ଏବଂ ବିଜୟୀ କାମନା କରି ରାକ୍ଷୀ ବାନ୍ଧୁଛି ଭଉଣୀ । ପ୍ରତିବର୍ଷ ରାକ୍ଷୀ ପୂର୍ଣ୍ଣିମାକୁ ଚାହିଁ ବସିଥାଏ ଭଉଣୀ । ସେଥିପାଇଁ ପର୍ବ ଆସିବା ପୂର୍ବରୁ ବଜାରରୁ ମନ ପସନ୍ଦର ରାକ୍ଷୀ କିଣି ସାଇତି ରଖିଥାଏ । ଆଉ ପୂର୍ଣ୍ଣମି ଦିନ ରାକ୍ଷୀ ବାନ୍ଧି ସୁରକ୍ଷାର ଭୀକ୍ଷା କରିଥାଏ ଭଉଣୀ । ଏହି ପରମ୍ପରା କାହିଁ କାଳରୁ ପୂରାଣ, କିମ୍ବଦନ୍ତୀ ଆଉ ଇତିହାସ ସହ ମଧ୍ୟ ଜଡିତ । ଓଡିଆର ମଉଡମଣୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ୍ପରା ସହ ମଧ୍ୟ ସାମଞ୍ଜସ୍ୟ ରହିଛି ରକ୍ଷା ବନ୍ଧନର । ଦେବୀ ସୁଭଦ୍ରା ମଧ୍ୟ ବଳଭଦ୍ର ଏବଂ ଜଗନ୍ନାଥଙ୍କ ହାତରେ ଏହି ଦିନରେ ରାକ୍ଷୀ ବାନ୍ଧିଥାନ୍ତି ।
ସେହିପରି ଏହି ଦିନକୁ ଶ୍ରୀମନ୍ଦିରରେ ବଳଭଦ୍ରଙ୍କ ଜନ୍ମଦିନ ଭାବେ ପାଳନ କରାଯିବା ସହ ଓଡିଆର ଘରେ ଘରେ ଗୋମାତାଙ୍କୁ ମଧ୍ୟ ପୂଜା କରାଯାଇଥାଏ । ପ୍ରଭୁ ବଳଭଦ୍ର ହଳଧର ହୋଇଥିବାରୁ କୃଷି ସାମଗ୍ରୀ ଏବଂ ଗୋମାତାଙ୍କ ଶିଙ୍ଗରେ ରାକ୍ଷୀ ବାନ୍ଧି ପୂଜା କରିଥାନ୍ତି ଓଡିଆ । ସେହିପରି ବ୍ରାହ୍ମଣମାନେ ଏହି ଦିନ ଘରେ ଘରେ ବୁଲି ମନ୍ତୁରା ପଇତା ମଧ୍ୟ ଦେଇଥାନ୍ତି । ତେବେ ଏହି ପଇତା ପିନ୍ଧିଲେ ବ୍ରହ୍ମ ରାକ୍ଷସଙ୍କ କବଳରୁ ମୁକ୍ତି ମିଳେ ବୋଲି ବିଶ୍ବାସ ରହିଛି ।
ପୂରାଣ କିମ୍ବଦନ୍ତୀ ସହ ମଧ୍ୟ ସାମଞ୍ଜସ୍ୟ ରହିଛି ଏହି ପର୍ବର । ଦ୍ବାପର ଯୁଗରେ ଅତ୍ୟାଚାରୀ ଶିଶୁପାଳକୁ ଶ୍ରୀକୃଷ୍ଣ ବଧ କରିବା ସମୟରେ ତାଙ୍କ ଅଙ୍ଗୁଳି କଟି ରକ୍ତ ବୋହିବାରୁ ଦ୍ରୌପଦୀ ନିଜ ପିନ୍ଧା ଶାଢ଼ୀ ଚିରି ସେଥିରେ ଗୁଡ଼ାଇ ଦେଇଥିଲେ। ଆଉ ସେବେଠାରୁ ଶ୍ରୀକୃଷ୍ଣ ଦ୍ରୌପଦୀଙ୍କ ସୁରକ୍ଷାର ପ୍ରତିଶୃତିବଦ୍ଧ ହୋଇଯାଇଥିଲେ । ଭଉଣୀର ଏହି ଟିକିଏ ସ୍ନେହକୁ କୋଟିଏ ଦେଇ ଭରଣ କରିବାର ସୁଯୋଗ ଖୋଜୁଥିଲେ ଶ୍ରୀକୃଷ୍ଣ । ଆଉ ଦୁନିଆ ଏହାର ପ୍ରମାଣ ଦେଖିଥିଲା କୁରୁସଭାରେ । ଯେତେବେଳେ କୁରୁସଭାରେ ଦ୍ରୌପଦୀଙ୍କୁ କୌରବମାନେ ବିବସନା କରି ଅସମ୍ମାନ କରିବାକୁ ଲାଗିଲେ ସେତେବେଳେ ଶ୍ରୀକୃଷ୍ଣ ଶତ ଶହସ୍ର କୋଟି ବସ୍ତ୍ରଦାନ କରି ଦ୍ରୌପଦୀଙ୍କ ସମ୍ମାନ ରକ୍ଷା କରିଥିଲେ ।
ଏହିପରି ପୁରାଣରେ ମଧ୍ୟ ମହାଲକ୍ଷ୍ମୀ ଅଶୁର ରାଜା ବଳି ହାତରେ ରାକ୍ଷୀ ବାନ୍ଧି ବିଷ୍ଣୁଙ୍କୁ ବୈକୁଣ୍ଠରେ ରଖିଥିଲେ । କାରଣ ଅସୁର ସମ୍ରାଟ ବଳି ଭଗବାନ ବିଷ୍ଣୁଙ୍କର ଜଣେ ବଡ ଭକ୍ତ ଥିଲେ, ତାଙ୍କ ଉପରେ କୌଣସି ବିପଦ ଆସୁ ଏହା ବିଷ୍ଣୁ ଚାହୁଁ ନ ଥିଲେ । ତେଣୁ ବଳି ଉପରେ ବିପଦ ଥିବା ଜାଣି ବିଷ୍ଣୁ ବୈକୁଣ୍ଠ ତ୍ୟାଗକରି ବଳିର ରାଜପ୍ରାସାଦରେ ଅବସ୍ଥାନ କଲେ । ମାତ୍ର ମହାଲକ୍ଷ୍ମୀ ଏହା ଚାହୁଁ ନ ଥିଲେ । ସେ ଚାହୁଁଥିଲେ, ବିଷ୍ଣୁ ତାଙ୍କ ସହ ବୈକୁଣ୍ଠରେ ଅବସ୍ଥାନ କରନ୍ତୁ । ଏହାର ଏକ ଉପାୟ ଚିନ୍ତାକରି ଲକ୍ଷ୍ମୀ ବ୍ରାହ୍ମଣୀ ବେଶରେ ବଳିକୁ ଭେଟି ଶ୍ରାବଣ ପୂର୍ଣ୍ଣମୀରେ ବଳି ହାତରେ ରାକ୍ଷୀ ବାନ୍ଧି ଦେଇଥିଲେ । ଏହାପରେ ଜଣେ ଭାଇ ହିସାବରେ ଲକ୍ଷ୍ମୀଙ୍କ କଥା ବୁଝିବା ବଳିଙ୍କର କର୍ତ୍ତବ୍ୟ ଥିଲା । ଲକ୍ଷ୍ମୀ କଣ ଚାହୁଛନ୍ତି ଜାଣିବାପରେ ସେ ବିଷ୍ଣୁଙ୍କୁ ବୈକୁଣ୍ଠରେ ରହିବାକୁ ଅନୁରୋଧ କରିଥିଲେ । ସେବେଠାରୁ ଶ୍ରାବଣ ପୂର୍ଣ୍ଣିକୁ ରାକ୍ଷୀ ପୂର୍ଣ୍ଣମୀ ଭାବେ ପାଳନ କରାଯାଉଛି ।
ଏହିପରି ଭାବେ ରାକ୍ଷୀ ପୂର୍ଣ୍ଣିମାର ମହତ୍ବ କାହିଁ କେଉଁ କାଳରୁ ରହିଆସିଛି । ତେବେ ଭଉଣୀଟିଏ ସିନା ଗୋଟିଏ ଦିନ ରାକ୍ଷୀ ବାନ୍ଧିଦିଏ, ହେଲେ ଭାଇ ବାକି ଆଉ ସବୁଦିନ ଭଉଣୀର ସୁରକ୍ଷା ଚିନ୍ତାରେ ଥାଏ । ସେଥିପାଇଁ ତ କୁହାଯାଏ ଅତୁଟ ଏ ବନ୍ଧନ, ପବିତ୍ର ଏ ସମ୍ପର୍କ...
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ