ଭୁବନେଶ୍ବର: ରେଳ ବଜେଟକୁ ନେଇ ପଲିଟିକ୍ସ । ଗୋଟେ ପଟେ ବଜେଟକୁ ବିଜେପି ପ୍ରଶଂସା କରିଥିବା ବେଳେ କଂଗ୍ରେସ ସମାଲୋଚନା କରିଛି । ଆଉ ବିଜେଡି ମାପିଚୁପି ମନ୍ତବ୍ୟ ଦେଇଛି । ଏପରି ସ୍ଥିତିରେ ବଜେଟକୁ ନୈରାଶ୍ୟଜନକ କହି ଚର୍ଚ୍ଚାରେ ଆସିଛନ୍ତି ପରିବହନ ମନ୍ତ୍ରୀ । ମନ୍ତ୍ରୀଙ୍କ ମନ୍ତବ୍ୟ ପରେ ବିଜେଡି ଏକ ପ୍ରେସ ବିଜ୍ଞପ୍ତି ଜାରି କରିଛି ।
ଏନେଇ ଦଳର ମୁଖପାତ୍ର ସସ୍ମିତ ପାତ୍ର ମିଶ୍ରିତ ପ୍ରତିକ୍ରିୟା ଦେଇଛନ୍ତି । ଓଡିଶାକୁ ରେଳ ବଜେଟରେ କମ ଅର୍ଥ ମିଳିବା ନିହାତି ଭାବରେ ଉଦବେଗର ବିଷୟ । ରାଜ୍ୟ ସର୍ବାଧିକ ରାଜସ୍ବ ଦେଉଥିବା ସତ୍ତ୍ବେ ରେଳ ସଂଯୋଗ କ୍ଷେତ୍ରରେ ଓଡିଶା ଏବେବି ପଛୁଆ ରାଜ୍ୟ । ଗୋପାଳପୁର ସମ୍ବଲପୁର ଲାଇନକୁ ଦଳ ସ୍ବାଗତ କରୁଛି । ଯଦି ଏହା ଧାର୍ଯ୍ୟ ସମୟ ମଧ୍ୟରେ ଶେଷ ହୁଏ ତେବେ ଏହା ଅର୍ଥନୀତି ଅଭିବୃଦ୍ଧି ପାଇଁ ସହାୟକ ହେବ । ରାଜ୍ୟ ଦେଇଥିବା ପ୍ରସ୍ତାବ ମଧ୍ୟରୁ ଗୋଟିଏ ବି ନୂଆ ପ୍ରକଳ୍ପ ଘୋଷଣା ହେଲା ନାହିଁ ।
ପୁରୀ, କୋଣାର୍କ, ବରଗଡ଼, ନୂଆପଡା, ଯାଜପୁର, ଆରଡ଼ି ଧାମରା, ଚକୁଳିଆ ବୁରାମରା, ଗୁଣୁପୁର ଠେରୁବାଲି ପ୍ରକଳ୍ପ ପାଇଁ ପ୍ରସ୍ତାବ ଦେଇଥିଲା ରାଜ୍ୟ । ଅନ୍ୟପଟେ ଅଧିକ ତେଜସ ଟ୍ରେନ ନିଶ୍ଚିତ ଭାବେ ସ୍ବାଗତ ଯୋଗ୍ୟ । ତୁରନ୍ତ ପ୍ରକଳ୍ପ ଶେଷ କରିବା ସହିତ ସଠିକ ସମୟରେ ବ୍ୟୟ କରିବା ଉପରେ ରେଳବାଇ ଧ୍ୟାନ ଦେବା ଉଚିତ ବୋଲି ଦଳର ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ।