ଭୁବନେଶ୍ବର: ହରଡ ଘଣାରେ ଏବେ କମିସନରେଟ ପୋଲିସ । ନାବାଳିକା ଗଣଦୁଷ୍କର୍ମ ମାମଲାରେ ସୁରାକ ପାଉନି ପୋଲିସ । ଅଭିଯୋଗର ୮ ଦିନ ପରେ ଅଭିଯୁକ୍ତଙ୍କ ପାଖର ପହଞ୍ଚିବା ମୁସ୍କିଲ । କାରଣ ପୋଲିସ ଓ ଗଣମାଧ୍ୟମ ବିରୋଧରେ ଆସିଛି ଅଭିଯୋଗ । ତେବେ ଘଟଣା ପଛର ସତ ଜାଣିବାକୁ ପୋଲିସ ଚଲାଇଛି ତଦନ୍ତ ।
ନାବାଳିକା ଗଣଦୁଷ୍କର୍ମ ମାମଲା: କାହା ପାଇଁ ପୋଲିସର ଦରଦ, ଗଣମାଧ୍ୟମ ପ୍ରତିନିଧି ନା ସୁରକ୍ଷା କର୍ମଚାରୀ ଅଥଚ ଘଟଣାର ଏତେ ଦିନ ପରେ ଘଟଣାର କାଣିଚାଏ ସୁରାକ ନ ପାଇବା ପୋଲିସ ଉପରେ ପ୍ରଶ୍ନବାଚୀ ଲଗାଇଛି । ଏଭଳି ସ୍ଥିତିରେ କଣ ପଦକ୍ଷେପ ନେବ ଓ ନ ନେବ ତାହା ଭାବିବା ବି ମୁସ୍କିଲ ହୋଇଛି । ହେଲେ ଏପଟେ ନାବାଳିକାଙ୍କ ମା ମହିଳା କମିଶନ ଓ ଓଡିଶା ରାଜ୍ଯ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ପାଖକୁ ଆସିଥିବା ବେଳେ ସେପଟେ କିଛି ସଂଗଠନ ମଧ୍ଯ ଏନେଇ ପ୍ରତିବାଦ ତୀବ୍ର କଲେଣି ।
କାହାକୁ ବାନ୍ଧିବ ପୋଲିସ, ଅଭିଯୁକ୍ତ ପୋଲିସକୁ ନା ଗଣମାଧ୍ଯମ କର୍ମଚାରୀଙ୍କୁ । ଯାହା କମିଶନରେଟ ପୋଲିସର ଟେନସନ ବଢାଇଛି । ସେପଟେ ଡିସିପି କହିଛନ୍ତି ୪ଟି ଟିମ ଗଠନ କରାଯାଇ ତଦନ୍ତ ଚାଲିଛି । ପ୍ରମାଣ ପାଇଁ ସାଇଣ୍ଟଫିକ ଟିମର ସାହାରା ନିଆଯାଉଛି । ହେଲେ କେବେ ପଦକ୍ଷେପ ନେବ ନା ପୋଲିସ ଯୋଗୁଁ ମାମଲା ଚାପିଦେବେ, ତାହା ସନ୍ଦେହ ଘେରରେ ।
ସୂଚନାଥାଉ କି, ଗତ ୩୦ ତାରିଖରେ ମହିଳା ଥାନାରେ ଜଣେ ମହିଳା ତାଙ୍କ ନାବାଳିକା ଝିଅକୁ ପୋଲିସ କର୍ମୀ ଓ ଗଣମାଧ୍ୟମ ପ୍ରତିନିଧି ଗଣଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ପରେ ତତ୍ପର ହୋଇଥିଲା ପୋଲିସ । ହେଲେ ଘଟଣାକୁ ନେଇ କେଉଁ ନିଷ୍କର୍ଷରେ ପହଞ୍ଚିବ ତାହା ପୋଲିସ ପାଇଁ ମୁସ୍କିଲ ହୋଇଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ