ଭୁବନେଶ୍ୱର: ଭୁବନେଶ୍ୱରରେ ଦିନକୁ ଦିନ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ୨୯ ଏପ୍ରିଲ ସୁଦ୍ଧା ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୩,୨୯୬ ଥିବାବେଳେ ୩୬,୧୦୩ ଜଣ ସୁସ୍ଥ ହୋଇଛିନ୍ତି ଏବଂ ୨୫୯ ଜଣ ମୃତ୍ୟୁବରଣ କରିଥିବାବେଳେ ୬୯୧୩ ଜଣ ଏବେ ସକ୍ରିୟ ସଂକ୍ରମିତ ରହିଛନ୍ତି ।
ବିଏମସି କତ୍ତୃପକ୍ଷଙ୍କ ସୂଚନା ଅନୁସାରେ ଭୁବନେଶ୍ୱରରେ ସକ୍ରିୟ ସଂକ୍ରମିତଙ୍କ ମଧ୍ୟରୁ ୯୦ ପ୍ରତିଶତ ହୋମ ଆଇସୋଲେସନରେ ଅଛନ୍ତି, ଅର୍ଥାତ ୬୨୦୦ ଆକ୍ରାନ୍ତ ଏବେ ଗୃହ ସଂଗରୋଧରେ ଅଛନ୍ତି । ଦୈନିକ ୨୦୦ରୁ ୨୫୦ ଆକ୍ରାନ୍ତ କୋଭିଡ ଚିକିତ୍ସା ପାଇଁ ହସ୍ପିଟାଲକୁ ସ୍ଥାନାନ୍ତରିତ ହେଉଛନ୍ତି । ଏହି ୨୫୦ ଜଣଙ୍କ ମଧ୍ୟରୁ ପାଖାପାଖି ୧୦୦ ଜଣ ଗୃହ ସଂଗରୋଧରୁ ବାହାରୁଥିବାବେଳେ ଅନ୍ୟମାନେ ଚିହ୍ନଟ ହେବା ପରେ ହସ୍ପିଟାଲ ଯାଉଛନ୍ତି । ଗୃହ ସଂଗରୋଧରେ ଥିବା ବ୍ୟକ୍ତିଙ୍କ ଉପରେ ବିଏମସିର କୌଣସି କତ୍ତୃତ୍ୱ ନଥିବା ଯୋଗୁଁ ବୋଧହୁଏ ସଂକ୍ରମଣ ସଂଖ୍ୟା ବଢୁଛି ବୋଲି ଅନୁମାନ କରୁଛନ୍ତି ବରିଷ୍ଠ ନାଗରିକ ।