ଭୁବନେଶ୍ବର: ଫନି ଯିବା ପରେ ଧିରେ ଧିରେ ସୁଧୁରିବାରେ ଲାଗିଛି ପରିସ୍ଥିତି । ଖାସ କରି ପୁରୀରେ ଆଉ କିଛିଦିନ ପରେ ହେବାକୁ ଥିବା ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପ୍ରଶାସନ ପାଇଁ ଏକ ବଡ ଚ୍ୟାଲେଞ୍ଜ ପାଲଟିଛି । ତେବେ କିପରି ରଥଯାତ୍ରା ସୁରୁଖୁରୁରେ ସମ୍ପାଦନ ହୋଇପାରିବ, ସେ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।
'ଫନି' ଯୋଗୁଁ ପୁରୀରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାରୁ ପୋଲିସ କର୍ମୀଙ୍କ ରହଣି ନେଇ ସମସ୍ୟା ସୃଷ୍ଟି ହୋଇପାରେ । ଏନେଇ ପୋଲିସ ବାରାକ ସମେତ ସ୍କୁଲ ଓ ହୋଟେଲରେ ଏମାନଙ୍କ ରହଣି ପାଇଁ ପୁନଋଦ୍ଧାର କାର୍ଯ୍ୟର ତ୍ବରାନ୍ବିତ କରାଯିବ ।
ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର ଯୋଗାଯୋଗ ପାଇଁ ବେତାର ସଂଯୋଗୀକରଣ ବା ଭିଏଚଏଫ ରିପାରେସନ ତ୍ବରାନିତ୍ବ ହେବ । ଯଦ୍ବରା ପୋଲିସ କର୍ମଚାରୀଙ୍କ ମଧ୍ୟରେ ଯୋଗାଯୋଗର ସମନ୍ବୟ ରହିବ ।
କ୍ରାଉଡ ରେଗୁଲେସନ ବା ଜନଗହଳି ନିୟନ୍ତ୍ରଣ କରାଯିବ । ଏଥିପାଇଁ ରାଜ୍ୟ ପୋଲିସ ଫୋର୍ସ ସହ ସେଣ୍ଟ୍ରାଲ ଆର୍ମ ଫୋର୍ସ ମଧ୍ୟ ନିୟୋଜିତ ହେବା ପାଇଁ ଯୋଜନା ରହିଛି । ପ୍ରତିବର୍ଷ ପରି ୨ କମ୍ପାନୀ ସିଏପିଏଫ ନିୟୋଜନ ପାଇଁ କେନ୍ଦ୍ର ଗୃହମନ୍ତ୍ରଣାଳୟକୁ ମଗାଯିବ ।
ଭିଭିଆଇପି ଓ ଭିଆଇପିଙ୍କ ଆଗମନ ଦୃଷ୍ଟିରୁ ରହଣି ଓ ଭ୍ରମଣ ନିମନ୍ତେ ସୁବ୍ୟବସ୍ଥିତ ବ୍ୟବସ୍ଥା କରାଯିବ । ପୋଲିସ ଏସକର୍ଟ ସହ ସମସ୍ତ ପ୍ରକାର ସହଯୋଗ ପାଇଁ ବ୍ୟବସ୍ଥା ହେବ ।
ବଡଦାଣ୍ଡ ଓ ବଡଦେଉଳ ସୁରକ୍ଷା ଦୃଷ୍ଟିରୁ ଲଗାଯାଇଥିବା ସିସିଟିଭି 'ଫନି'ରେ କ୍ଷୟକ୍ଷତି ହୋଇଛି । ଏସବୁକୁ ନଜରରେ ରଖି ଟେମ୍ପରାରୀ ବା ଅସ୍ଥାୟୀ ସିସିଟିଭି ଲଗାଯିବାର ବ୍ୟବସ୍ଥା କରାଯିବ । ଯଦ୍ବାରା ବଡଦାଣ୍ଡରେ ହେବାକୁ ଥିବା ଗହଳି ଉପରେ ନଜର ରଖାଯାଇପାରିବ, ଯାହା ପୋଲିସ କଣ୍ଟ୍ରୋଲ ରୁମ ସହିତ ଯୋଗାଯୋଗରେ ରହିବ ।
ଟ୍ରାଫିକ ଓ ପାର୍କିଂ ପରିଚାଳନା ହେବ ପୋଲିସ ପାଇଁ ଏକ ବଡ ଚ୍ୟାଲେଞ୍ଜ । କାରଣ ଅନେକ ପୁରୁଣା ପାର୍କିଂ ସ୍ଥାନ ଗୁଡିକ 'ଫନି' ଯୋଗୁଁ ପ୍ରଭାବିତ ହୋଇଛି । ଫଳରେ ସେ ସବୁକୁ ତ୍ବରାନିତ ପ୍ରକ୍ରିୟାରେ ସଫେଇ କରାଯାଇ କିପରି ସକ୍ଷମ କରାଯିବ ସେ ନେଇ ଗୁରୁତ୍ବ ଦିଆଯାଇଛି ।
ରେଳ ଯାତ୍ରା ଓ ଅଧିକ ସ୍ବତନ୍ତ୍ର ଟ୍ରେନ ପୁରୀକୁ ଗଡିବା ନେଇ ଯୋଜନା ରହିଛି । ଫଳରେ ରେଳ ଯାତ୍ରା ଓ ଯାତ୍ରୀଙ୍କ ପାଇଁ ଯେପରି ଗମନାଗମନରେ ଅସୁବିଧା ନହୁଏ । ସେନେଇ ଷ୍ଟେସନ ଓ ଆଖପାଖ ଅଞ୍ଚଳରେ ବିଶେଷ ଭାବେ ଧ୍ୟାନ ଦିଆଯିବ ।
ଆତଙ୍କୀ ବା କୌଣସି ପ୍ରକାର ଭୟ ଯେପରି ନ ରୁହେ, ସେନେଇ କାଉଣ୍ଟର ଇଣ୍ଟେଲିଜେନ୍ସ ଉପରେ ଗୁରୁତ୍ବ ଦିଆଯିବ । କୋଷ୍ଟାଲ ସିକ୍ୟୁରିଟି ଉପରେ ସ୍ବତନ୍ତ୍ର ନଜର ରହିବ । ମେରାଇନ ପୋଲିସ ଷ୍ଟେସନ ଓ କୋଷ୍ଟଗାର୍ଡ ସହ କୋଷ୍ଟାଲ ଅଞ୍ଚଳ ଉପରେ ବିଶେଷ ଧ୍ୟାନ ଦିଆଯିବ ।
ଶାନ୍ତିପୂର୍ଣ୍ଣ ରଥଯାତ୍ରା ପାଇଁ ବିଶେଷ ଧ୍ୟାନ ଦିଆଯିବା ସହ ନୋ ଫ୍ଲାଇଂଜୋନ ଉପରେ ଗୁରୁତ୍ବ ଦିଆଯିବ । ସୁରକ୍ଷା ଦୃଷ୍ଟିରୁ କେବଳ ପୋଲିସ ପକ୍ଷରୁ ଡ୍ରୋନର ବ୍ୟବହାର କରାଯିବ । ଆସନ୍ତା ଜୁଲାଇ ୪ ତାରିଖରେ ଅନୁଷ୍ଠିତ ହେବ ରଥଯାତ୍ରା । ଏ ନେଇ ସମସ୍ତ ପ୍ରକାର ଦିଗ ଉପରେ ପୋଲିସ ଡିଜି କ୍ୟାମ୍ପ ଅଫିସରେ ହୋଇଥିବା ଗୁରୁତ୍ବପୂର୍ଣ୍ଣ ବୈଠକରେ ଉପସ୍ଥିତ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।
ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ