ଭୁବନେଶ୍ବର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟର ତିନି ପ୍ରମୁଖ ଦଳର ସଜବାଜ ଆରମ୍ଭ ହୋଇଛି । ଶାସକ ବିଜେଡ଼ି ନୂଆ ଟେକ୍ନାଲୋଜି ଆପଣାଇ ଛାତ୍ର ଓ ଯୁବ ବିଜେଡ଼ି ସାମୁଖ୍ୟକୁ ଆଗକୁ ଛାଡ଼ିଛି । ସୋସିଆଲ ଓ ଡ଼ିଜିଟାଲ ମିଡ଼ିଆ ସହ ତୃଣମୂଳ ସ୍ତରରେ ଲୋକଙ୍କ ସହ ସମ୍ପର୍କ ଯୋଡ଼ୁଛନ୍ତି ଦଳର ଛାମୁଆ ନେତା । କଂଗ୍ରେସ ମଧ୍ୟ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ଆରମ୍ଭ କରିଛି । ୬ଟି ଜିଲ୍ଲାରେ ଦଳର ସ୍ଥିତି ବାବଦରେ କଂଗ୍ରେସ ଭବନରେ ସମୀକ୍ଷା ହୋଇଛି । ସେପଟେ ବିଜେପି ପଞ୍ଚାୟତ କମିଟିର ବୈଠକ ମଧ୍ୟ ଆରମ୍ଭ କରିଛି । ଲୋକଙ୍କ ପାଖକୁ ଯିବା ପାଇଁ ସବୁ ଦଳ ରଣନୀତି ପ୍ରସ୍ତୁତ କରୁଛନ୍ତି ।
ଆରମ୍ଭ ହେଲାଣି ପଞ୍ଚାୟତ ନିର୍ବାଚନ ସଜବାଜ
୨୦୨୨ ମାର୍ଚ୍ଚରେ ସରୁଛି ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାର କାର୍ଯ୍ୟକାଳ । ଏବେଠୁ ପଞ୍ଚାୟତ ନିର୍ବାଚନ ପାଇଁ ସଜବାଜ ହେଲେଣି ବିଜେଡି, ବିଜେପି ଓ କଂଗ୍ରେସ । ଅଧିକ ପଢନ୍ତୁ...
୨୦୨୨ ମାର୍ଚ୍ଚରେ ସରୁଛି ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାର କାର୍ଯ୍ୟକାଳ । ଠିକ୍ ସମୟରେ ରାଜ୍ୟ ସରକାର ପଞ୍ଚାୟତ ନିର୍ବାଚନ କରିବେ ବୋଲି ସଙ୍କେତ ମିଳିଛି । ସେଥିପାଇଁ ଏବେ ଠାରୁ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ନିଜ ପ୍ରସ୍ତୁତିରେ ଲାଗି ପଡ଼ିଲେଣି । ନିଜ ପୂର୍ବ ସ୍ଥିତି ଫେରି ପାଇବାକୁ ସଂଘର୍ଷ କରୁଥିବା ରାଜ୍ୟ କଂଗ୍ରେସ ପଞ୍ଚାୟତ ନିର୍ବାଚନ ଉପରେ ଫୋକସ କରୁଛି । ୬ଟି ଜିଲ୍ଲାରେ ଦଳର ସ୍ଥିତି ବାବଦରେ ସମୀକ୍ଷା ହୋଇଛି । ଆଗକୁ ଏହା ଜାରି ରହିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଉଛି ।
ସେପଟେ ବିଜେପିର ରାଜ୍ୟ ପଞ୍ଚାୟତ କମିଟି ଗଠନ କରାଯାଇଛି । ବରିଷ୍ଠ ନେତା କନକ ବର୍ଦ୍ଧନ ସିଂଦେଓଙ୍କୁ ଦାୟିତ୍ୱ ଦେଇଛି ଦଳ । ଏହାସହିତ ବହୁ ଛାମୁଆ ନେତାଙ୍କୁ ଏହି କମିଟିରେ ରଖାଯାଇଛି । ଆଉ ଏହି କମିଟିର ଦୁଇଦିନିଆ ବୈଠକ ଦଳୀୟ କାର୍ଯ୍ୟାଳୟରେ ଆରମ୍ଭ ହୋଇଛି । ପଞ୍ଚାୟତ ଚାଲ ଅଭିଯାନକୁ ନେଇ ବିଜେପି କସରତ ଆରମ୍ଭ କରିଛି ।
ସେପଟେ ଶାସକ ଦଳ ବିଜେଡ଼ି ମଧ୍ୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସଜବାଜ ଆରମ୍ଭ କରିଛି । ବିଜେଡ଼ି ଛାତ୍ର ଓ ଯୁବ ସାମୁଖ୍ୟକୁ ଆଗକୁ ଛାଡ଼ିଛି । ଡ଼ିଜିଟାଲ ଓ ସୋସିଆଲ ମିଡ଼ିଆକୁ ସକ୍ରିୟ କରିବା ସହିତ ତୃଣମୂଳ ସ୍ତରରେ ଲୋକଙ୍କ ସହ ଯୋଡ଼ି ହେଉଛନ୍ତି ମନ୍ତ୍ରୀ, ବିଧାୟକ ଓ ଦଳର ଛାମୁଆ ନେତା । ଦଳର ସାଙ୍ଗଠନିକ ସମ୍ପାଦକ ଜିଲ୍ଲା ଜିଲ୍ଲା ବୁଲି ସଙ୍ଗଠନକୁ ଅଧିକ ମଜବୁତ କରିବାକୁ ପରାମର୍ଶ ଦେବା ସହ ରଣନୀତି ପ୍ରସ୍ତୁତ କରୁଛନ୍ତି । ମହିଳା ବିଜେଡ଼ି ମଧ୍ୟ ଗାଁ ଗାଁରେ ସକ୍ରିୟ ହେଲେଣି । ନବୀନ ପଟ୍ଟନାୟକଙ୍କ ବିକାଶମୂଳକ କାମକୁ ଲୋକେ ପ୍ରଶଂସା କରିବା ସହ ରାଜ୍ୟରେ ତାଙ୍କର ବିକଳ୍ପ ନାହିଁ ବୋଲି ବିଜେଡ଼ି କହିଛି ।
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ଥିବା ବେଳେ ଜିଲ୍ଲାପରିଷଦ ସଭ୍ୟମାନେ ଦଳୀୟ ଚିହ୍ନରେ ଲଢିବେ । ରାଜ୍ୟର ୬ହଜାର ୮୧୭ ପଞ୍ଚାୟତରେ ସମିତି ସଭ୍ୟ ଓ ସରପଞ୍ଚମାନେ ଦଳୀୟ ଚିହ୍ନରେ ଲଢୁ ନଥିଲେ ମଧ୍ୟ ଦଳୀୟ ସମର୍ଥନରେ ଲଢିଥାନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ