ଓଡିଶା

odisha

ETV Bharat / city

ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ, କଂଗ୍ରେସ ଛାଡିଲେ ପ୍ରଦୀପ ମାଝୀ - କଂଗ୍ରେସ ଛାଡିଲେ ପ୍ରଦୀପ ମାଝୀ

ରାଜ୍ୟ କଂଗ୍ରେସକୁ ଲାଗିଲା ବଡ ଝଟକା । ହାତ ଛାଡିଲେ ଦଳର ଟାଣୁଆ ନେତା ତଥା ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ । 15 ବର୍ଷର ସମ୍ପର୍କ ତୁଟାଇ କଂଗ୍ରେସରୁ ଇସ୍ତଫା ଦେଲେ ପ୍ରଦୀପ । ଅଧିକ ପଢନ୍ତୁ...

ଚର୍ଚ୍ଚାରେ ପୂର୍ଣ୍ଣଛେଦ, କଂଗ୍ରେସ ଛାଡିଲେ ପ୍ରଦୀପ ମାଝୀ
ଚର୍ଚ୍ଚାରେ ପୂର୍ଣ୍ଣଛେଦ, କଂଗ୍ରେସ ଛାଡିଲେ ପ୍ରଦୀପ ମାଝୀ

By

Published : Oct 22, 2021, 9:02 AM IST

Updated : Oct 22, 2021, 2:04 PM IST

ଭୁବନେଶ୍ବର: ରାଜ୍ୟ ରାଜନୀତିରେ ବିସ୍ଫୋରକ ଘଟଣା । ସୃଷ୍ଟି ହେବ ନୂଆ ସମୀକରଣ । ଦକ୍ଷିଣ ଓଡିଶାରୁ ସଫା ହୋଇଯିବ ଜାତୀୟ କଂଗ୍ରେସ । ଦୀର୍ଘ ବର୍ଷ ଧରି ଲାଗିଥିବା ଚର୍ଚ୍ଚାରେ ପଡିଲା ଯବନିକା । ଅନେକ ବିଚାର ବିମର୍ଶ, ଆଲୋଚନା ପର୍ଯ୍ୟାଲୋଚନା, ସମୀକ୍ଷା ପରେ ଦୀର୍ଘ 15 ବର୍ଷର ସମ୍ପର୍କ ତୁଟାଇ କଂଗ୍ରେସରୁ ଇସ୍ତଫା ଦେଲେ ରାଜ୍ୟ କଂଗ୍ରେସର ଅନ୍ୟତମ ଲୋକପ୍ରିୟ ନେତା ତଥା, କଂଗ୍ରେସର ଆଦିବାସୀ ଚେହେରା, ଜାତୀୟ କଂଗ୍ରେସର ଅନ୍ୟତମ ଯୁବ ନେତା, ରାହୁଲ ଗାନ୍ଧୀଙ୍କ ଘନିଷ୍ଠ ସହଯୋଗୀ, ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ନବରଙ୍ଗପୁର ସାଂସଦ ପ୍ରଦୀପ ମାଝୀ ।

ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ, କଂଗ୍ରେସ ଛାଡିଲେ ପ୍ରଦୀପ ମାଝୀ

ଚର୍ଚ୍ଚାରେ ଯବନିକା, କଂଗ୍ରେସରୁ ଇସ୍ତଫା ଦେଲେ ପ୍ରଦୀପ ମାଝୀ

ଆଜି (ଶୁକ୍ରବାର) ଏକ ପୃଷ୍ଠାର ଇସ୍ତଫା ପତ୍ର ଲେଖି ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇଛନ୍ତି ପ୍ରଦୀପ । ସେ ପତ୍ରରେ ଉଲ୍ଲେଖ କରିଛନ୍ତି, "ମୁଁ ଜାତୀୟ କଂଗ୍ରେସର ପ୍ରମୁଖ ସଦସ୍ୟ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛି । ଗରୀବ ଲୋକଙ୍କ ସେବା ପାଇଁ ମୁଁ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲି । ବିନା ଦାବିରେ ଦଳ ମଧ୍ୟ ମୋତ ବଡ ବଡ ସୁଯୋଗ ଦେଇଛି । କଂଗ୍ରେସ ଦେଇଥିବା ଦାୟିତ୍ବ ମୁଁ ନିଷ୍ଠାର ସହକାରେ ତୁଲାଇଛି ଏବଂ ଲୋକଙ୍କ ଭଲପାଇବା ମଧ୍ୟ ପାଇଛି । ମାତ୍ର କିଛି ଲୋକଙ୍କ ପାଇଁ କଂଗ୍ରେସ ବର୍ତ୍ତମାନ ଜନସମର୍ଥନ ହରାଇଛି । ଦଳରେ ବର୍ତ୍ତମାନ ଜନସେବାର ସୁଯୋଗ ନଥିବାରୁ ମୁଁ ଦଳ ଛାଡୁଛି ବୋଲି କହିଛନ୍ତି ପ୍ରଦୀପ ।"

2014ରୁ ହେଉଥିଲା ଚର୍ଚ୍ଚା...

ରାଜ୍ୟ କଂଗ୍ରେସର ଏହି ଆଦିବାସୀ 'ଆସେଟ' ଦଳ ଛାଡିବେ ବୋଲି 2014ରୁ ଭିନ୍ନ ଭିନ୍ନ ସମୟରେ ଚର୍ଚ୍ଚା ଲାଗି ରହିଥିଲା । କିନ୍ତୁ ସମସ୍ତ ଚର୍ଚ୍ଚାକୁ ପ୍ରଦୀପ ଖଣ୍ଡନ କରିବା ସହ ଏହା ମିଡିଆର କାମ ବୋଲି କହିଆସୁଥିଲେ । ପ୍ରଥମେ ପ୍ରଦୀପ କଂଗ୍ରେସ ଛାଡି ବିଜେପିରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଲା । କିନ୍ତୁ ପ୍ରଦୀପ ବିଜେପି ଯିବେ ନାହିଁ ଏହା ଏବେ ସ୍ପଷ୍ଟ ହୋଇସାରିଛି । ତେବେ ଦୀର୍ଘ ଦିନର ଚର୍ଚ୍ଚାରେ ଆଜି ମୋହର ଲାଗିଛି ଆଉ ପ୍ରଦୀପ ହାତକୁ କରିଛନ୍ତି ବାଏ ବାଏ । ଆଉ ତୁଟିଗଲା ପ୍ରଦୀପ-କଂଗ୍ରେସ ମଧ୍ୟରେ ଥିବା 15 ବର୍ଷର ସମ୍ପର୍କ ।

କିଏ ଏହି ପ୍ରଦୀପ ମାଝୀ ?

ଏକଦା ବିଜୁ ପଟ୍ଟନାୟକଙ୍କ ଘନିଷ୍ଠ ସହଯୋଗୀ ଥିବା ତଥା ଦକ୍ଷିଣ ଓଡିଶାର ଅନ୍ୟତମ ଆଦିବାସୀ ନେତା ପୂର୍ବତନ ରାଜ୍ୟସଭା ସାଂସଦ ଭଗବାନ ମାଝୀଙ୍କ ପୁତ୍ର ହେଉଛନ୍ତି ପ୍ରଦୀପ ମାଝୀ । ଜଣେ ଉଚ୍ଚଶିକ୍ଷିତ ଆଦିବାସୀ ନେତା ଭାବେ ପରିଚିତ ପ୍ରଦୀପ 22 ଫେବୃୟାରୀ 1976ରେ ଜନ୍ମ ଗ୍ରହଣ କରିଥିଲେ । ଏହି 45 ବର୍ଷିୟ ରାଜନେତା ରାଜ୍ୟ ଓ ରାଜ୍ୟ ବାହାରେ ଦଳରେ ବେଶ ପରିଚିତ ଥିଲେ । ସାରା ରାଜ୍ୟରେ ତାଙ୍କର ଏକ ସ୍ବତନ୍ତ୍ର ସ୍ଥାନ ମଧ୍ୟ ରହିଆସିଛି ।

ଗଢିଥିଲେ ଗରୀବ ସେନା

ପ୍ରଦୀପ ମାଝୀ ବର୍ଷ 2005 ମସିହାରେ ପ୍ରାୟ 200 ଜଣ ଯୁବକଙ୍କୁ ସଂଗଠିତ କରି 'ଗରୀବ ସେନା' ନାମରେ ଏକ ସାମାଜିକ ସଂଗଠନ କରି ଝରିଗାଁ ବ୍ଲକରେ ଲୋକଙ୍କ ସମସ୍ୟାକୁ ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ ପାଇଁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରୁଥିଲେ । ଆଉ ଏହା ହିଁ ଥିଲା ପ୍ରଦୀପ ମାଝୀଙ୍କ ରାଜନୈତିକ ମୂଳଦୁଆ ।

ରାଜନୈତିକ ଯାତ୍ରା...

ପ୍ରଦୀପ ମାଝୀଙ୍କ ପିତା ଭଗବାନ ମାଝୀ ଏକଦା ବିଜୁ ପଟ୍ଟନାୟକଙ୍କ ଘନିଷ୍ଠ ସହଯୋଗୀ ଥିଲେ । ଏପରିକି ରାଜ୍ୟସଭାକୁ ମଧ୍ୟ ନିର୍ବାଚିତ ହୋଇଥିଲେ । କହିବାକୁ ଗଲେ ପ୍ରଦୀପ ଉତ୍ତରାଧିକାରୀ ସୂତ୍ରରେ ରାଜନୀତି ପାଇଛନ୍ତି । କିନ୍ତୁ ଜଣେ ମେଧାବୀ ଛାତ୍ର ଥିବା ପ୍ରଦୀପ ବର୍ଷ 2005ରେ ପ୍ରାରମ୍ଭିକ ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ନିଜର ସାମାଜିକ ସଂଗଠନ ଜରିଆରେ ଲୋକଙ୍କ ସେବା କରୁଥିବା ପ୍ରଦୀପ ବର୍ଷ 2007ରେ ଝରିଗାଁ ବ୍ଲକରୁ କଂଗ୍ରେସ ଟିକଟରେ ଜିଲ୍ଲାପରିଷଦ ପ୍ରାର୍ଥୀଭାବେ ନିର୍ବାଚିତ ହୋଇ ପ୍ରଥମ ଥର ପାଇଁ ନବରଙ୍ଗପୁର ଜିଲ୍ଲାପରିଷଦ ଚେୟାରମ୍ୟାନ ଭାବେ ନିର୍ବାଚିତ ହୋଇଥିଲେ ।

ପରେ 2009 ସାଧାରଣ ନିର୍ବାଚନରେ କଂଗ୍ରେସ ଦଳରୁ ସାଂସଦ ଟିକେଟ ପାଇ ନବରଙ୍ଗପୁର ଲୋକସଭା ଆସନରୁ ପ୍ରତିଦ୍ବନ୍ଦିତା କରି ପଞ୍ଚଦଶ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ଆଉ ଏହି ଠାରୁ ହିଁ ତାଙ୍କର ରାଜନୀତି ଜୀବନରେ ଆସିଥିଲା ବଡ ପରିବର୍ତ୍ତନ । ଜାତୀୟ ରାଜନୀତିକୁ ବୁଝି ଧୀରେ ଧୀରେ ଦଳର ଜାତୀୟସ୍ତରର ନେତାଙ୍କ ନିକଟତର ହୋଇଥିଲେ ପ୍ରଦୀପ । କିନ୍ତୁ ଗତ 2014 ଓ 2019 ଲୋକସଭା ନିର୍ବାଚନରେ ପ୍ରଦୀପଙ୍କ ପରାଜୟ ତାଙ୍କ ରାଜନୈତିକ ଯାତ୍ରା ପାଇଁ ଏକ ଚ୍ୟାଲେଞ୍ଜ ହୋଇଥିଲା ।

ରାହୁଲ ଗାନ୍ଧୀଙ୍କ ଥିଲେ ନିକଟତର...

ପ୍ରଦୀପ ମାଝୀ ଓଡିଶାରୁ ପ୍ରତିନିଧିତ୍ବ କରୁଥିଲେ ମଧ୍ୟ ଜାତୀୟ ରାଜନୀତିରେ କେଉଁଠି ନା କେଉଁଠି ତାଙ୍କର ପ୍ରଭାବ ଛାଡିଥିଲେ । ଭିନ୍ନ ଭିନ୍ନ ସମୟରେ ସେ କେନ୍ଦ୍ରୀୟ ନେତାଙ୍କୁ ସାକ୍ଷାତ କରି ରାଜ୍ୟର ସ୍ବାର୍ଥ ସମ୍ପର୍କରେ ଆଲୋଚନା କରୁଥିଲେ । ରାହୁଲ ଗାନ୍ଧୀଙ୍କ କୋର ଟିମରେ ଥିଲେ ପ୍ରଦୀପ । ଏପରିକି ଦଳ ପକ୍ଷରୁ ବିଭିନ୍ନ ରାଜ୍ୟ ବିଧାନସଭା ନିର୍ବାଚନ ପରିଚାଳନା ଦାୟିତ୍ବରେ ରହୁଥିଲେ ପ୍ରଦୀପ । କହିବାକୁ ଗଲେ ପ୍ରଦୀପ ଜାତୀୟ ରାଜନୀତିରେ ଦଳ ପାଇଁ ଥିଲେ ଏକ ଆସେଟ । ଦଳ ପ୍ରତି ପ୍ରଦୀପଙ୍କ ନିଷ୍ଠା, ସମର୍ପଣ ଓ ସେବା ମନୋଭାବ ତାଙ୍କୁ ଗାନ୍ଧୀ ପରିବାରର ନିକଟତର କରାଇଥିଲା । ଏପରିକି ରାହୁଲ ଗାନ୍ଧୀ କିଛି ବର୍ଷ ତଳେ ଜାତୀୟସ୍ତରରେ କାମ କରିବାକୁ ପରାମର୍ଶ ଦେଇଥିଲେ । ପ୍ରଦୀପ କିନ୍ତୁ ନିଜ ରାଜ୍ୟବାସୀଙ୍କ ପାଇଁ କାମ କରିବାକୁ କହିଥିଲେ ।

କାହିଁକି ଛାଡିଲେ କଂଗ୍ରେସ...

ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ । ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଥିବା ଓ ରାହୁଲ ଗାନ୍ଧୀଙ୍କ ଘନିଷ୍ଠ ସହଯୋଗୀ ଥିବା ପ୍ରଦୀପ କାହିଁକି ଛାଡିଲେ କଂଗ୍ରେସ ? 2ଟି ନିର୍ବାଚନରେ ପରାଜୟ, ଦଳର ବାରମ୍ବାର ଅଧପତ୍ତନ ଓ ସର୍ବୋପରି ରାଜ୍ୟ କଂଗ୍ରେସରେ ପରସ୍ପର ଲଢେଇ ମଧ୍ୟରେ ପ୍ରଦୀପ ଏକ ପ୍ରକାର ଅଣନିଶ୍ବାସୀ ହୋଇପଡିଥିଲେ । ଫଳରେ ଅନେକ ଅପେକ୍ଷା, ପ୍ରୟାସ ସତ୍ତ୍ବେ ଦଳୀୟ ନେତାଙ୍କ ମଧ୍ୟରେ ସ୍ଥିତି ଠିକ ଆସିଲା ନାହିଁ । ଫଳରେ ପ୍ରଦୀପ ଦଳ ଛାଡିବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି ।

ପରିବାର ରାଜନୈତିକ ପୃଷ୍ଠଭୂମି ...

ପ୍ରଦୀପଙ୍କ ଜେଜେବାପା ନୀଳାମ୍ବର ମାଝୀ ସ୍ବାଧିନତା ସଂଗ୍ରାମୀ ଥିଲେ । ସେ ଭାରତ ଛାଡ ଆନ୍ଦୋଳନରେ (Quit India Movement) ଯୋଗ ଦେଇ କୋରାପୁଟ ଜେଲରେ ଏକବର୍ଷ କାରଦଣ୍ଡ ଭୋଗିଥିଲେ । ପ୍ରଦୀପଙ୍କ ଜେଜେବାପା ନିଳାମ୍ବର ମାଝୀ 1967 ମସିହାରେ ସ୍ବତନ୍ତ୍ରପାର୍ଟିରୁ ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢି ମାତ୍ର 900 ଭୋଟରେ ପରାସ୍ତ ହୋଇଥିଲେ ।

ଏକଦା ଅଣ କଂଗ୍ରେସ ରାଜନୀତିରେ ପ୍ରଦୀପ ମାଝୀଙ୍କ ପରିବାରର ବେଶ ଦବଦବା ରହିଥିଲା । ପ୍ରଦୀପ ମାଝୀଙ୍କ ପିତା ଭଗବାନ ମାଝୀ ସ୍ଵର୍ଗତ ବିଜୁ ପଟ୍ଟନାୟକଙ୍କ ଅନୁଗତ ଥିଲେ । ୧୯୯୨ ରୁ ୯୪ ଯାଏ ଭଗବାନ ଜନତା ଦଳରୁ ଝରିଗାଁ ବ୍ଲକର ଚେୟାରମ୍ୟାନ ଥିଲେ । ସେହିପରି ୧୯୯୪ରୁ ୨୦୦୦ ମସିହା ଯାଏଁ ବିଜୁ ପଟ୍ଟନାୟକ ପ୍ରଦୀପଙ୍କ ପିତା ଭଗବାନଙ୍କୁ ରାଜ୍ୟସଭା ସାଂସଦ କରି ପଠାଇଥିଲେ। ଭଗବାନ ମାଝୀ ଅବିଭକ୍ତ କୋରାପୁଟ ଜିଲ୍ଲାରୁ ପ୍ରଥମ ରାଜ୍ୟସଭା ସାଂସଦ ହୋଇଥିଲେ । ପ୍ରଦୀପଙ୍କ ପିତା ନବରଙ୍ଗପୁର ଜିଲ୍ଲା ଜନତାଦଳ ସଭାପତି ଭାବେ 4 ବର୍ଷ ଦାୟିତ୍ବ ତୁଲାଇଥିଲେ । ନବରଙ୍ଗପୁର ଜିଲ୍ଲାରେ ଜନତା ଦଳ ଓ ବିଜେଡିର ସଂଗଠନ ସୁଦୃଢ କରିବାରେ ଭଗବାନ ମାଝୀଙ୍କ ପ୍ରମୁଖ ଭୂମିକା ରହିଥିଲା। କେବଳ ଏତିକ ନୁହେଁ ପ୍ରଦୀପ ମାଝୀଙ୍କ ଭାଇ ପ୍ରସନ୍ନ ମାଝୀ ମଧ୍ୟ ୨୦୦୨ ରୁ ୨୦୦୭ ଯାଏଁ ବିଜେଡି ବ୍ଲକ ଚେୟାରମ୍ୟାନ ହୋଇଥିଲେ ଓ ପୁଣି ଦ୍ବିତୀୟଥର 2012 ରୁ 2017 ପର୍ଯ୍ୟନ୍ତ କଂଗ୍ରେସ ଦଳରୁ ଝରିଗାଁ ବ୍ଲକ ଚେୟାରମ୍ୟାନ ଭାବେ ନିର୍ବାଚିତ ହୋଇଥିଲେ ।

କୁହାଯାଏ ଇତିହାସ ପୁନରାବୃତ୍ତି ହୁଏ

ଅଣକଂଗ୍ରେସର ଦଳରୁ ରାଜନୀତି ଆରମ୍ଭ କରିଥିବା ପ୍ରଦୀପଙ୍କ ପରିବାର ଏବେ ଇତିହାସର ପୁନରାବୃତ୍ତିରେ ଯାଉଛନ୍ତି । ତଥା କଂଗ୍ରେସ ଛାଡି ନିଜ ପୁରୁଣା ପାରମ୍ପରିକ ଦଳକୁ ଫେରିବାର ରାସ୍ତା ସଫା କରିଦେଇଛନ୍ତି । କାରଣ ମୂଳ ଜନତା ଦଳରୁ ବାହାରି ପ୍ରଦୀପଙ୍କ ପିତା ନବରଙ୍ଗପୁର ଜିଲ୍ଲା ବିଜୁ ଜନତା ଦଳର ଥିଲେ ସ୍ତମ୍ଭ । ତାଙ୍କରି ନେତୃତ୍ବ ଓ ଦକ୍ଷତା ବଳରେ ବିଜେଡି ନବରଙ୍ଗପୁର ଜିଲ୍ଲାରେ ଦଳର ମଞ୍ଜି ବୁଣିବା ପାଇଁ ଜାଗା ପାଇଥିଲା । ଯେଉଁ ଜନତାଦଳ ଓ ବିଜେଡି ପାଇଁ ଭଗବାନ ମାଝୀ ନିଜ ଜୀବନର ପୁରା ସମୟ ଦେଇଥିଲେ, ସେହି ବିଜେଡିର କିନ୍ତୁ ଚିର ପ୍ରତିଦ୍ବନ୍ଦୀ ପାଲଟି ଯାଇଥିଲେ ତାଙ୍କ ପରବର୍ତ୍ତୀ ପିଢି । ଏବେ କିନ୍ତୁ ଇତିହାସର ହେବାକୁ ଯାଉଛି ପୁନରାବୃତ୍ତି । ନିଜ ପିତାଙ୍କ ରାସ୍ତାରେ ଚାଲିବାକୁ ମାନସିକ ଭାବେ ପ୍ରସ୍ତୁତ ହୋଇସାରିଛନ୍ତି ପ୍ରଦୀପ । ଆଉ ଯଦି ପ୍ରଦୀପ ବିଜେଡି ସହ ଯାଆନ୍ତି, ତେବେ ଅବିଭକ୍ତ କୋରାପୁଟ ଜିଲ୍ଲା ସମେତ ପୁରା ଦକ୍ଷିଣ ଓଡିଶାରେ କଂଗ୍ରେସର ସ୍ଥିତି ପୁରା ଦୋହଲି ଯିବ ।

ତେବେ ଆଜି ପ୍ରଦୀପ କଂଗ୍ରେସ ଛାଡିଥିଲେ ମଧ୍ୟ ପରବର୍ତ୍ତୀ ରାଜନୈତିକ ଭୂମିକା କଣ ହେବ ? କେଉଁ ଦଳକୁ ଯିବେ? କଣ ତାଙ୍କର ଆଗାମୀ ରଣନୀତି ହେବ ତାହା ସ୍ପଷ୍ଟ କରିନାହାଁନ୍ତି । ଯଦିଓ ଶାସକ ବିଜୁ ଜନତା ଦଳ (ବିଜେଡି)ରେ ସାମିଲ ହେବେ ତାହା ସ୍ପଷ୍ଟ ହୋଇଯାଇଛି । କିନ୍ତୁ ଏବେବି ପ୍ରଦୀପଙ୍କୁ ନେଇ ଚର୍ଚ୍ଚା ଲାଗି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 22, 2021, 2:04 PM IST

ABOUT THE AUTHOR

...view details