କୋଟିଆ(କୋରାପୁଟ): ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି ପାଇଁ ପାର୍ଟି ଠାରୁ ମାଟି ଗୁରୁତ୍ବପୂର୍ଣ୍ଣ । ଆଜି(ଗୁରୁବାର) ବିଜେଡି, ବିଜେପି ଓ କଂଗ୍ରେସ ଦଳର ବରିଷ୍ଠ ନେତା ମିଶି ଏହାକୁ ପ୍ରମାଣିତ କରିଛନ୍ତି । କୋଟିଆ ପଞ୍ଚାୟତରେ ୱାର୍ଡମେମ୍ବର ଠାରୁ ଆରମ୍ଭ କରି ଜିଲ୍ଲାପରିଷଦ ସଦସ୍ୟ ପର୍ଯ୍ୟନ୍ତ ସମସ୍ତ ପ୍ରାର୍ଥୀ ସର୍ବଦଳୀୟ କମିଟି ସମର୍ଥିତ ପ୍ରାର୍ଥୀ ଭାବେ ମନୋନୀତ ହେବେ ଓ ତାଙ୍କୁ କୌଣସି ଏକ ନିର୍ଦ୍ଦିଷ୍ଟ ଦଳର ସମର୍ଥିତ ପ୍ରାର୍ଥୀ ଭାବେ ଗଣାଯିବ ନାହିଁ ।
କୋରାପୁଟ ଜିଲ୍ଲାରେ ଓଡିଶା ଓ ଆନ୍ଧ୍ର ସୀମାନ୍ତର କୋଟିଆରେ ପଞ୍ଚାୟତ ନିର୍ବାଚନ ନେଇ 3 ପ୍ରମୁଖ ଦଳକୁ ନେଇ ଆଜି କୋରାପୁଟରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । କୋଟିଆ ପଞ୍ଚାୟତ ଅନ୍ତର୍ଗତ ଥିବା ଜିଲ୍ଲା ପରିଷଦ ଜୋନ 1 ରେ ମିଳିତ ପ୍ରାର୍ଥୀ ଦେବା ନେଇ ନିଷ୍ପତ୍ତି ନିଆଯାଇଥିବା ଏହି ଆଲୋଚନାରେ ଭାଗ ନେଇଥିବା ନେତୃବୃନ୍ଦ ସୂଚନା ଦେଇଛନ୍ତି । ବିଜେପି ନେତା ଜୟରାମ ପାଙ୍ଗୀ, ବିଜେଡି ଜିଲ୍ଲା ସଭାପତି ଇଶ୍ବର ପାଣିଗ୍ରାହୀ, କଂଗ୍ରେସ ଜିଲ୍ଲା ସଭାନେତ୍ରୀ ମିନାକ୍ଷୀ ବାହିନୀପତି ଉପସ୍ଥିତ ରହି ଏହି ଆଲୋଚନାକୁ ଆଗକୁ ବଢ଼ାଇଥିଲେ ।
ପଟାଙ୍ଗୀ ବିଧାୟକ ପ୍ରିତମ ପାଢ଼ୀ, କୋରାପୁଟ ବିଧାୟକ ରଘୁରାମ ପଡାଲ ଓ ପୁର୍ବତନ ବିଧାୟକ ରାମ କାଡାମ ମଧ୍ୟ ଉପସ୍ଥିତ ରହି ନିଜ ନିଜ ମତ ଉପସ୍ଥାପନ କରିଥିଲେ । ଏହି ପଞ୍ଚାୟତର 5197 ଜଣ ଭୋଟର ରହିଥିବା ବେଳେ ଜିଲ୍ଲା ପରିଷଦ ଆସନଟି ଅନୁସୂଚୀତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ଓଡ଼ିଶାରେ ପଞ୍ଚାୟତ ନିର୍ବାଚନ କରିବା ପାଇଁ ସରକାର ସଜବାଜ ହେଉଛନ୍ତି । ଓଡିଶା ଓ ଆନ୍ଧ୍ରପ୍ରଦେଶର ସୀମାରେ ଥିବା କୋରାପୁଟ ଜିଲ୍ଲାର କୋଟିଆ ପଞ୍ଚାୟତରେ ବିଗତ ଦିନରେ ଫାଟୁସିନେରୀରେ ଆନ୍ଧ୍ର ସରକାର ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ କରିଥିବା ସହ ତଳ ଗଞ୍ଜେଇପଦରକୁ ମଧ୍ୟ ଏକ ପଞ୍ଚାୟତର ମାନ୍ୟତା ଦେଇଥିଲା । ଏଥିସହ ସହମତିରେ ଜଣକୁ ଆନ୍ଧ୍ରର ସରପଞ୍ଚ ଭାବେ ମନୋନୀତ କରିଥିଲା ।