ଭୁବନେଶ୍ବର: ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁରେ ପୋଲିସର ମନମୁଖୀ ତଦନ୍ତ ଅଭିଯୋଗ । ଧର୍ମେନ୍ଦ୍ରଙ୍କ କାର ଭିତରେ ଥିବା ଚେକ ଓ ପେନଡ୍ରାଇଭକୁ ତଦନ୍ତ ପରିସରକୁ ନେଇନାହିଁ ପୋଲିସ । କାର ଭିତରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପଡ଼ିରହିଥିବା ବେଳେ ସାଇଣ୍ଟିଫିକ ଟିମ କିମ୍ବା କମିଶନରେଟ ପୋଲିସ ଏହି ସବୁ ତଥ୍ୟକୁ ତଦନ୍ତ ପରିସରଭୁକ୍ତ କରିନାହିଁ । ଫଳରେ ପୋଲିସ ତଦନ୍ତର ନିରପେକ୍ଷତା ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଗତ ସେପ୍ଟେମ୍ବର ୨୪ ତାରିଖରେ ପୁରୀ ଜିଲ୍ଲା ଗୋପ ବ୍ଲକ ୧୧ ନଂ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ଶିଶୁପାଳଗଡ ଲକ୍ଷ୍ମୀବିହାର ସ୍ଥିତ ଘରୁ ତାଙ୍କ ମୃତଦେହ ଉଦ୍ଧାର କରି ପୋଲିସ ତଦନ୍ତ ଚଳାଇଛି । କେଉଁ କାରଣକୁ କେନ୍ଦ୍ର କରି ଆତ୍ମହତ୍ୟା କଲେ ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । ପାରିବାରକ କଳହରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଦୁଇଟି ଫୋନରେ ସବୁ କିଛି ଥିବା ସେ ଫେସବୁକର ଶେଷ ପୋଷ୍ଟରେ ଲେଖିଥିଲେ ଯାହାକୁ ନେଇ ସସପେନ୍ସ ବଢିଥିଲା । ସନ୍ଦେହ ଘେରକୁ ଆସିଥିଲେ ଗଣଶିକ୍ଷା ମନ୍ତ୍ରୀ । ଏହା ପଛରେ ପାରିବାରିକ କଳହ ନାଁ ଆଉ କିଛି କାରଣ ରହିଛି ସେନେଇ ତଦନ୍ତ କରୁଛି ପୋଲିସ । ମୃତ ଧର୍ମେନ୍ଦ୍ରଙ୍କ ଜବତ ହୋଇଥିବା ଦୁଇଟି ଫୋନକୁ ଫରେନ୍ସିକ୍ ଲ୍ୟାବକୁ ପଠାଯାଇଛି । ଆଜି କମିଶନରେଟ ପୋଲିସ ମୃତ ଧର୍ମେନ୍ଦ୍ର ସାହୁଙ୍କ ଘରକୁ ଆସି ଛାନଭିନ କରିଛି । ପୋଲିସ ମୃତ ଧର୍ମେନ୍ଦ୍ରଙ୍କ ବ୍ୟକ୍ତିଗତ ସହାୟକ ସହାୟିକାଙ୍କୁ ପଚରାଉଚରା କରିଛି । ତେବେ ତଦନ୍ତ ଜାରି ରହିଥିବାରୁ ଅଧିକ ସୂଚନା ଦେବାକୁ ପୋଲିସ ଅଧିକାରୀ ମନା କରିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ...ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଘଟଣାରେ ମୁହଁ ଖୋଲିଲେ ମନ୍ତ୍ରୀ ସମୀର, କହିଲେ ଉତ୍ତର ଦେବା ଉଚିତ୍ ମନେ କରୁନି