ଭୁବନେଶ୍ବର:ସାମୁଦ୍ରିକ ବାତ୍ୟା ଗୁଲାବକୁ ନେଇ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ସହିତ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ । ଟେଲିଫୋନରେ କଥା ହୋଇ ଉଭୟ ରାଜ୍ୟର ବାତ୍ୟା ପ୍ରସ୍ତୁତି ବାବଦରେ ପଚାରି ବୁଝିଛନ୍ତି ପ୍ରଧାନମନ୍ତ୍ରୀ । ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବାତ୍ୟା ସ୍ଥିତି ନେଇ ଦୁଇ ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହୋଇଛି । ଓଡ଼ିଶାର କିଛି ଅଞ୍ଚଳରେ ବାତ୍ୟା ପରିସ୍ଥିତି ନେଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛି । ଏହି ବିପତ୍ତିକୁ ସାମ୍ନା କରିବା ପାଇଁ ସବୁପ୍ରକାର ସାହାଯ୍ୟ ସହଯୋଗ କରିବା ପାଇଁ ଆଶ୍ବସ୍ତ କରିଛି । ଏହା ସହ ସମସ୍ତଙ୍କର କୁଶଳ ମଙ୍ଗଳ ଓ ସୁରକ୍ଷା ପାଇଁ ପ୍ରାର୍ଥନା କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବା ପାଇଁ ସମସ୍ତ ସହାୟତା କେନ୍ଦ୍ର ଯୋଗାଇବ ବୋଲି କହିଛନ୍ତି ପିଏମ ମୋଦି ।