ଭୁବନେଶ୍ବର: ମହାମାରୀ କୋରୋନାରୁ ବର୍ତ୍ତିବାକୁ ସାରା ଦେଶ ଏବେ ଲକଡାଉନ । ସମସ୍ତେ ସରକାରଙ୍କ ଲକଡାଉନ ନିଷ୍ପତିକୁ ମାନି ଘରେ ତାଲା ମାରି ବନ୍ଦ ରହିଛନ୍ତି । ଆଉ ଏଭଳି ସଙ୍କଟ ସ୍ଥିତିରେ ଭୋକିଲାଙ୍କ ଅନ୍ନଦାତା ସାଜିଛନ୍ତି ରାଜଧାନୀର କିଛି ଯୁବକ ଯୁବତୀ ସମେତ ସ୍ଵେଚ୍ଛାସେବୀ ସଙ୍ଗଠନ । ରାସ୍ତା କଡରେ ଥିବା ବୁଲା କୁକୁର,ଗାଈଗୋରୁ ଜୀବଜନ୍ତୁ ଠାରୁ ଆରମ୍ଭ କରି ଭୋକିଲା ଅସହାୟ ଗରିବ ଖାଦ୍ୟ ପାଇଁ ଡହଳ ବିକଳ ହେଉଛନ୍ତି । ଆଉ ଏଭଳି ଘଡିସନ୍ଦି ମୂହର୍ତ୍ତରେ ଭୋକିଲା ପେଟକୁ ଆହାର ଦେଇ ମାନବିକତା ଦେଖାଇଛନ୍ତି ଏହି ସହୃଦୟ ବ୍ୟକ୍ତିମାନେ । ଯାହା କଏଦ ହୋଇଥିଲା ଆମ ଇଟିଭି ଭାରତର କ୍ୟାମେରା ଲେନସରେ ।
ରାଜଧାନୀ ଭୁବନେଶ୍ବରର ଲକ ଡାଉନ୍ ସମୟରେ ତିନୋଟି ଦୃଶ୍ୟ ବୟାନ କରୁଛି ମାନବିକତାର ନିଦର୍ଶନ ।
ଲକଡାଉନ ପରେ ରାଜଧାନୀର ଜନଗହଳିପୁର୍ଣ୍ଣ ରହୁଥିବା ରାମ ମନ୍ଦିର ହୋଇପଡିଛି ଖାଁ ଖାଁ । ମନ୍ଦିରକୁ ଆସୁଥିବା ଭକ୍ତ ଶ୍ରଦ୍ଧାଳୁ କୋରୋନା ଡର ଓ ସରକାରଙ୍କ କଟକଣା ଫଳରେ ଘରୁ ବାହାରୁ ନଥିବାରୁ ମନ୍ଦିର ସାମ୍ନାରେ ବସୁଥିବା ବାସହରାମାନେ ଭୋକ ଉପାସରେ ବସିଛନ୍ତି । ଯାହାଙ୍କ ଦୁଃଖ ବୁଝିଛନ୍ତି ଶାନ୍ତିନଗର ବସ୍ତିର ସୁଲୁ ବରାଳ ।