ଭୁବନେଶ୍ବର: ଧାମନଗର ଉପନିର୍ବାଚନ ପାଇଁ ସରିଲା ଯାଞ୍ଚ ପ୍ରକ୍ରିୟା । ମୋଟ ୫ ଜଣ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବେ । ମୋଟାମୋଟି ଭାବରେ ବିଜେପି, କଂଗ୍ରେସ, ବିଜେଡି ଏବଂ ବିଜେଡି ବିଦ୍ରୋହୀ ପ୍ରାର୍ଥୀ ରାଜୁ ଦାଶଙ୍କ ମଧ୍ୟରେ ହେବ ଲଢେଇ । ତେବେ ରାଜୁ ଦାଶଙ୍କ ପ୍ରାର୍ଥୀତ୍ବ ବିଜେଡି ଦଳର ଅସନ୍ତୋଷକୁ ପଦାରେ ପକାଇଛି ଓ ଏହାର ଫାଇଦା କଂଗ୍ରେସକୁ ମିଳିବ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।
ଗତ ମାସ ୧୯ ତାରିଖରେ ଧାମନଗର ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ବିୟୋଗ ହୋଇଥିଲା । ଏହା ପରେ ଧାମନଗର ବିଧାନସଭା ଆସନ ଖାଲି ପଡ଼ିଛି । ଏଠାରେ ନଭେମ୍ବର ୩ ରେ ଉପନିର୍ବାଚନ ଅନୁଷ୍ଠିତ ହେବ । ୬ ରେ ଭୋଟ ଗଣତି ଓ ଫଳ ପ୍ରକାଶ ପାଇବ । ଏନେଇ ତିନି ଦଳର ରଣନୀତି ଆରମ୍ଭ ହୋଇ ଯାଇଛି । ବିଜେପି ବିଷ୍ଣୁ ଚରଣ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୁରଜଙ୍କୁ ପ୍ରାର୍ଥୀ କରିଥିବାବେଳେ ବିଜେଡି ମହିଳା କାର୍ଡ ଖେଳିଛି । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଧ୍ୟାକ୍ଷା ଥିବା ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ କରିଛି ବିଜେଡି । ପୂର୍ବତନ ବିଧାୟକ ତଥା ବିଜେଡି ନେତା ରାଜେନ୍ଦ୍ର ଦାସ ସ୍ବାଧୀନ ପ୍ରାର୍ଥୀ ଭାବରେ ଓ କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ନାମାଙ୍କନ ପତ୍ର ଦାଖଲ କରିଥିଲେ । ତେବେ ଆଜି ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ ଥିବାବେଳେ ସମସ୍ତ ପ୍ରର୍ଥୀପତ୍ର ଯାଞ୍ଚ ସରିଛି । ଏହାପରେ ମୋଟ ୫ ଜଣ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବେ ବୋଲି ସ୍ପଷ୍ଟ ହୋଇଛି ।
ଏହା ମଧ୍ୟ ପଢ଼ନ୍ତୁ...Dhamnagar Bypoll: ଧାମନଗର ଉପନିର୍ବାଚନ ଲାଗି ମୈଦାନରେ ୫ ପ୍ରାର୍ଥୀ