ଭୁବନେଶ୍ବର:ଓଡିଶାର ପେପରମ୍ୟାନ ଶଶାଙ୍କ ଶେଖର ଦାସ । ପୁରୁଣା ଦିନର ଖବରକାଗଜ ସଂଗ୍ରହ କରିବା ତାଙ୍କର ପେଶା । କେବଳ ଓଡ଼ିଶା ନୁହେଁ, ସମଗ୍ର ବିଶ୍ବର ଛୋଟ ଠାରୁ ବଡ଼ ବଡ଼ ଖବରକାଗଜ ସଂଗ୍ରହ କରି ତାକୁ ସାଇତି ରଖିବା ଶଶାଙ୍କକ ସଉକ । ଆଉ ଏହି ସଉକ ପାଇଁ ଆଜି ସେ ବିଶ୍ବ ରେକର୍ଡ କରିପାରିଛନ୍ତି ଏବଂ ଏହା ତାଙ୍କୁ ‘ପେପରମ୍ୟାନ୍ ଇଣ୍ଡିଆ’ ଭାବେ ସ୍ବତନ୍ତ୍ର ପରିଚୟ ଦେଇଛି । ବିଶ୍ବ ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସରେ ଖବରକାଗଜ ସଂଗ୍ରହ କରି ଗିନିଜ୍ ରେକର୍ଡ ଅର୍ଜନ କରିଛନ୍ତି ଓଡ଼ିଆ ପୁଅ ଶଶାଙ୍କ । ଏଥିସହ ସେ ନିଜ ସଉକକୁ ମ୍ୟୁଜିୟମରେ ସ୍ଥାନିତ କରିବାର ଲକ୍ଷ୍ୟ ରଖିଛନ୍ତି ।
ଭୁବନେଶ୍ବରର ବାସିନ୍ଦା ଶଶାଙ୍କ ନିକଟରେ ଇଟାଲୀର ସେରିଗୋ ବୋଦାନୀଙ୍କ ରେକର୍ଡ ଭାଙ୍ଗି ଗିନିଜ୍ ରେକର୍ଡ କରିଛନ୍ତି । ସେ 2000 ମସିହାରୁ ଖବରକାଗଜ ସଂଗ୍ରହ କରିବା ଆରମ୍ଭ କରିଥିଲେ । ପରେ ସେ ଅନ୍ୟ ଭାଷାର ଖବରକାଗଜ ଓ ଏହାପରେ ଭାରତର ବିଭିନ୍ନ ରାଜ୍ୟର ଖବରକାଗଜ ସଂଗ୍ରହ କରିଥିଲେ । ଏହାରି ଭିତରେ 5,100 ପ୍ରକାରର 10 ହଜାରରୁ ଅଧିକ ଖବରକାଗଜ ସଂଗ୍ରହ କରିସାରିଛନ୍ତି । ସେଥିମଧ୍ୟରୁ 153ଟି ଦେଶର 94 ଟି ଆଂଚଳିକ ଭାଷାର ଖବରକାଗଜ ରହିଛି । ଏପରି କରି ଶଶାଙ୍କ ତିନି ତିନିଥର ଲିମକା, ଥରେ ଇଣ୍ଡିଆ ବୁକ୍, ଥରେ କ୍ରେଡେନ୍ସ ବୁକ୍ ଓ ଥରେ ଓଏମଜି ରେକର୍ଡ ବୁକର ସାମିଲ୍ ହୋଇଛନ୍ତି ।