ଭୁବନେଶ୍ବର: ରାଜ୍ୟରେ ଗଚ୍ଛିତ ଥିବା ଖଣିଜ ପଦାର୍ଥ ବିକ୍ରିକୁ ନେଇ ବିଜେପି ଓ ବିଜେଡି ଭିତରେ ଏକ ପ୍ରକାର ସଲାକୁସ୍ତି ଚାଲିଛି । ରାଜ୍ୟ ସରକାରଙ୍କ ବିରୁଦ୍ଧରେ କହୁଥିବା ଭାରତୀୟ ଜନତା ପାର୍ଟି ନେତାମାନେ କ୍ଷମତାକୁ ଆସିଲେ ଖଣିଜ ପଦାର୍ଥ ଚୋରି ଅପରାଧରେ ରାଜ୍ୟ ସରକାରଙ୍କୁ ଜେଲରେ ଭର୍ତ୍ତି କରିବେ ବୋଲି କହିଥିଲେ । ରାଜ୍ୟ ବିଜେପି ସିବିଆଇ ତଦନ୍ତ ଦାବି କରୁଥିଲା ବୋଲି କହିଛନ୍ତି ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପଞ୍ଚାନନ କାନୁନଗୋ ।
କେନ୍ଦ୍ରରେ ୭ବର୍ଷ ତଳେ ସରକାରକୁ ଆସିବା ପରେ ଏ ରାଜ୍ୟର ଖଣିଜ ସମ୍ପଦ ଅଧିକରୁ ଅଧିକ ଲୁଟିବା ଲକ୍ଷ୍ୟ ନେଇ ୨୦୧୫ ରେ ଖଣି ଆଇନର ପରିବର୍ତ୍ତନ କଲେ । ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଖଣି ଉତ୍ତୋଳନକାରୀ ମାନଙ୍କୁ ଖଣିଜ ସମ୍ପଦ ଲୁଟ କରିବାର ସୁଯୋଗ ସୃଷ୍ଟି କରାଗଲା । ପ୍ରାକୃତିକ ସମ୍ପଦରେ ଓଡ଼ିଶା ସମସ୍ତ ରାଜ୍ୟମାନଙ୍କ ଭିତରେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଆସିଛି । ସେଥିପାଇଁ ଦେଶ ଓ ବିଦେଶ ବେପାରୀମାନଙ୍କର କ୍ରୁର ଦୃଷ୍ଟି ଓଡ଼ିଶା ଉପରେ ପଡିଛି । ଏହି ସମସ୍ତ ସମ୍ପଦ ପୁନଃ ସୃଷ୍ଟି ହୁଏ ନାହିଁ । ତଥାପି କେନ୍ଦ୍ର ଓ ରାଜ୍ୟ ସରକାର କୋଇଲା ଲୁହାପଥର ପରି ମୂଲ୍ୟବାନ ସମ୍ପଦ ଲୁଟିବାର ପ୍ରତିଯୋଗୀତାରେ ସାହାଯ୍ୟ କରି ଆସୁଛନ୍ତି ବୋଲି ପଞ୍ଚାନନ କହିଛନ୍ତି ।
ବ୍ୟବସ୍ଥା ମୁତାବକ ପ୍ରତି ତିନିବର୍ଷରେ ଖଣିଜ ପଦାର୍ଥର ରୟାଲଟି ବୃଦ୍ଧି ବ୍ୟବସ୍ଥା ରହିଛି । ଏହା ରାଜ୍ୟର ହକ୍ । ଉପା ସରକାର ୨୦୧୨ରେ ଖଣିଜ ସମ୍ପଦ ମୂଲ୍ୟଭିତ୍ତିରେ ୧୪ ପ୍ରତିଶତ ହାରରେ ରୟାଲଟି ଦେବା କଥା ନିଷ୍ପତ୍ତି ନେଲେ । ରାଜ୍ୟ ସରକାର ଏହାର ବିରୋଧ କରି ଅଧିକ ୪/୫ ପ୍ରତିଶତ ବୃଦ୍ଧିପାଇଁ ଦାବି ରଖିବାରୁ ମନ୍ତ୍ରୀମଣ୍ଡଳୀୟ କମିଟିରେ ବିଚାର ନିମନ୍ତେ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସରକାର ଉଦ୍ୟମ ଜାରି କଲେ । ଏହି ସମୟ ୨୦୧୪ରେ ସରକାର ବଦଳି ମୋଦିଙ୍କ ପ୍ରଧାନମନ୍ତ୍ରୀ ନେତୃତ୍ବରେ ଭାଜପା ସରକାର ଦାୟିତ୍ବ ନେଲା । କେନ୍ଦ୍ରୀୟ ଅବହେଳାର ନାରା ବାରମ୍ବାର ଦେଇ ଆସୁଥିବା ବିଜେଡ଼ି ସରକାର ହଠାତ ନରମି ଗଲେ କାହିଁକି ବୋଲି ପଞ୍ଚାନନ ପ୍ରଶ୍ନ କରିଛନ୍ତି ।