ଭୁବନେଶ୍ବର: ଆଜି ପଖାଳ ଦିବସ । ଓଡିଆଙ୍କ ଏହି ପାରମ୍ପରିକ ଖାଦ୍ୟକୁ ଲୋକପ୍ରିୟ କରିବା ତଥା ଗ୍ରୀଷ୍ମକୁ ସ୍ବାଗତ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମାର୍ଚ୍ଚ 20କୁ ବିଶ୍ବବ୍ୟାପୀ ପଖାଳ ଦିବସ ଭାବରେ ପାଳନ କରାଯାଏ ।
ତେବେ ୨୦୧୧ ମସିହାରୁ କିଛି ଓଡ଼ିଆ ଓ ଅଣଓଡ଼ିଆ ଖାଦ୍ୟ ପ୍ରେମୀଙ୍କ ଉତ୍ସାହରୁ ଏହି ଦିବସ ପାଳନର ପରିକଳ୍ପନା ହୋଇଥିଲା । ୨୦୧୫ ମସିହାରେ ପ୍ରଥମ କରି ପଖାଳ ଦିବସ ପାଇଁ ଟ୍ବିଟରରେ ଟ୍ରେଣ୍ଡ ଆରମ୍ଭ ହୋଇଥିଲା । ବର୍ତ୍ତମାନ ବିଶ୍ବର କୋଣ ଅନୁକୋଣରେ ଏହି ଦିବସକୁ ପାଳନ କରିବାକୁ ଅନେକ ଓଡ଼ିଆ ଆଗେଇ ଆସିଲେଣି । ଖାସ କରି ଭୁବନେଶ୍ବରର ବିଭିନ୍ନ ବଡ ବଡ ହୋଟେଲ ମାନଙ୍କରେ ପଖାଳ ଦିବସ ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି ହୋଇଥିବା ଦେଖିବାକୁ ମିଳିଥାଏ ।
ତେବେ ସାଧାରଣତଃ ବାସି ପଖାଳର ସ୍ବାଦ ସଜ ପଖାଳ ଅପେକ୍ଷା ଟିକିଏ ନିଆରା ଥାଏ। । ଭାତ ଟିକିଏ ଖାଇ ତୋରାଣି ପିଇ ଦେଲେ ପେଟ ଶାନ୍ତି ହୋଇଯାଏ । ଘରମାନଙ୍କରେ ପଖାଳ ସାଙ୍ଗକୁ ବଡି ଚୁରା, ଆଳୁ ଭର୍ତ୍ତା, ଶାଗ ଭଜା, ପୀଠଉ ଭଜା, ଚୁନା ମାଛ ଭଜା, ପୋହଳା ମାଛ ଭଜା ଆଦି ବିଭିନ୍ନ ପ୍ରକାରର ଡିସ୍ ତିଆରି ହୋଇଥାଏ ।