ଭୁବନେଶ୍ବର/ରାଉରକେଲା: ଓଡିଆ ଜାତିର ସ୍ବତନ୍ତ୍ର ତଥା ଅନନ୍ଯ ପରିଚୟ ହେଉଛି ପଖାଳ । ବିଶ୍ବର କୋଣ ଅନୁକୋଣରେ ରହୁଥିବା ସବୁ ଓଡିଆଙ୍କ ପାଇଁ ଏହି ମାର୍ଚ୍ଚ ୨୦ ତାରିଖ ଏକ ସ୍ବତନ୍ତ୍ର ଦିନ । ଏହାର ପ୍ରମୁଖ ଅଭିପ୍ରାୟ ହେଉଛି, ଏହି ଦିନଟିକୁ ବିଶ୍ବ ପଖାଳ ଦିବସ ଭାବେ ପାଳନ କରାଯାଏ ।
ଢୋକେ ତୋରାଣି, ମୁଠେ ପଖାଳ ପାଟିକୁ ନେଉ ନେଉ ଜଣେ ଓଡିଆ ଯେଉଁ ସ୍ବାଦ ଅନୁଭବ କରେ, ତାକୁ ସେ ଶବ୍ଦରେ ବ୍ଯକ୍ତ କରିପାରେନି । କିନ୍ତୁ ପେଟକୁ ଯେଉଁ ଶାନ୍ତି ଟିକିଏ ମିଳିଥାଏ ତାହା ତା’ର ଅନ୍ତରରୁ ବାରି ହୋଇପଡେ। ଦହି ମିଶା ତୋରାଣୀ ଚହଲିବା ପରି, ତା ନିଜ ଜାତିର ପରିଚୟ, ଏଇ ପଖାଳ ଭିତରେ ଚହଲି ଯାଏ । ସେ କୋଟିପତି ହେଉ କି କୁଡିଆରେ ରହୁଥିବା ଗରିବଟିଏ ପଖାଳ ପାଇଁ ସମସ୍ତଙ୍କ ଭୋକ ସମାନ ! ତେଣୁ ଓଡିଶାରେ ଏହି ମାର୍ଚ୍ଚ ୨୦ ତାରିଖ ଦିନଟି ବେଶ୍ ସ୍ବତନ୍ତ୍ର । ତେଣୁ ଏହି ଦିନଟିକୁ ପ୍ରତିଟି ସ୍ଥାନରେ ବହୁ ଆନନ୍ଦରେ ପାଳନ କରାଯାଏ ।
ଆଉ ଏଠୁ ବାଦ ପଡିନି ରାଜଧାନୀ ଭୁବନେଶ୍ବର । ଲୋକେ ଯେତେ ସ୍ମାର୍ଟ ହେଲେ ବି ନିଜର ପାରମ୍ପରିକ ଖାଦ୍ୟକୁ ଭୁଲି ନାହାଁନ୍ତି। ତେଣୁ ଏହାର ଝଲକ ଦେଖିବାକୁ ମିଳିଥିଲା ରାଜଧାନୀ ଭୁବନେଶ୍ବରରେ । ଏହି ପଖାଳ ଦିବସକୁ ପାଳିବା ପାଇଁ ଘରଠାରୁ ଆରମ୍ଭ କରି ବାହାରେ ଥିବା ବଡ଼ ବଡ଼ ରେସ୍ତୋରାଁରେ ବି ବୁଧବାର ପଖାଳ ଖାଇବାକୁ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳିଥିଲା।