ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଦ୍ବାରା ଖରିଫ୍ ଧାନ ସଂଗ୍ରହ ବର୍ଷ ୨୦୧୯-୨୦ରେ ଆଜି ସୁଦ୍ଧା ୩୧ ହଜାର ୧୮୮ ଜଣ ଚାଷୀ ମୋଟ ୨୧ ଲକ୍ଷ ୧୯ ହଜାର ୫୦୧ କ୍ବିଣ୍ଟାଲ ଧାନ ସଂଗ୍ରହ କେନ୍ଦ୍ରରେ ବିକ୍ରି କରିଛନ୍ତି । ଯାହାକି ଗତବର୍ଷ ଆଜିର ଦିନଠାରୁ ୧୩ ପ୍ରତିଶତ ଅଧିକ । ଗତ ୨୦୧୮ ଡିସେମ୍ବର ୩ ତାରିଖ ସୁଦ୍ଧା ମୋଟ ୧୮ ଲକ୍ଷ ୭୮ ହଜାର ୮୭୧ କ୍ବିଣ୍ଟାଲ୍ ଧାନ ସଂଗ୍ରହ ହୋଇଥିଲା ।
ଧାନ ସଂଗ୍ରହ କାର୍ଯ୍ୟକୁ ସ୍ବଚ୍ଛ ଓ ବ୍ୟବସ୍ଥିତ କରିବା ପାଇଁ ଅନ୍ଲାଇନ୍ରେ ପଞ୍ଜୀକୃତ ଚାଷୀମାନଙ୍କୁ ଆଗୁଆ ଟୋକେନ୍ ବ୍ୟବସ୍ଥାରେ ପି-ପାସ୍ ଜରିଆରେ ଧାନ ସଂଗ୍ରହ କରାଯାଉଛି । ବର୍ତ୍ତମାନ ସୁଦ୍ଧା ୧୭ଟି ଜିଲ୍ଲାରେ ୯୬୬ଟି ଧାନ ସଂଗ୍ରହ କେନ୍ଦ୍ରରୁ ୧ଲକ୍ଷ ୫୨ ହଜାର ୯୭୫ ଜଣ ଚାଷୀଙ୍କୁ ୨ ଲକ୍ଷ ୫ ହଜାର ୬୦୧ ଟି ଆଗୁଆ ଟୋକେନ୍ ଦିଆଯାଇଛି । ଅଧିକ ଧାନ ସଂଗ୍ରହ ହୋଇଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ବରଗଡ଼ ଜିଲ୍ଲାରେ ୧୬ ହଜାର ୨୩ ଜଣ ଚାଷୀ ୧୧ ଲକ୍ଷ ୩୮ ହଜାର ୬୧୬ କ୍ବିଣ୍ଟାଲ ଧାନ ବିକି୍ର କରିଥିବାବେଳେ ବଲାଙ୍ଗୀର ଜିଲ୍ଲାର ୨୦୭୭ ଜଣ ଚାଷୀ ୧ ଲକ୍ଷ ୪୬ ହଜାର ୫୯ କ୍ବିଣ୍ଟାଲ୍, କଳାହାଣ୍ଡି ଜିଲ୍ଲାର ୩୫୦୫ ଜଣ ଚାଷୀ ୨ ଲକ୍ଷ ୩୨ ହଜାର ୬୧୧ କ୍ବିଣ୍ଟାଲ, ମାଲକାନଗିରିର ୨୮୭୭ ଜଣ ଚାଷୀ ୧ ଲକ୍ଷ ୫ ହଜାର ୯୫୬ କ୍ବିଣ୍ଟାଲ, ନୂଆପଡ଼ା ଜିଲ୍ଲାର ୧୭୮୬ ଜଣ ଚାଷୀ ୬୯ ହଜାର ୫୪୩ କ୍ବିଣ୍ଟାଲ ଧାନ ବିକ୍ରି କରିଛନ୍ତି ।