ଭୁବନେଶ୍ବର:ରାଜ୍ୟରେ ପରିବହନ ବ୍ୟବସ୍ଥାକୁ ତ୍ବରାନ୍ବିତ କରାଯାଉଥିବା ସରକାର ଡିଣ୍ଡିମ ପିଟୁଛନ୍ତି । ରାଜ୍ୟବାସୀଙ୍କ ଯାତାୟତ ସୁବିଧା ପାଇଁ ସରକାର ଓଏସଆରଟିସିର (Orissa State Road Transport Corporation) ବସ ଚଳାଚଳ ବ୍ୟବସ୍ଥା କରିଛନ୍ତି । କିନ୍ତୁ ପ୍ରକୃତ ତଥ୍ୟ ସରକାରଙ୍କ କଥାଠୁ କିଛି ଅଲଗା କହୁଛି । ଓଡ଼ିଶା ରାଜ୍ୟ ସଡକ ପରିବହନ ନିଗମ (ଓଏସଆରଟିସି)ର ୩୭୮ଟି ବସ୍ ଚଳାଚଳ କରୁଥିବା ବେଳେ ୨୧୯ଟି ବସ୍ ଅଚଳ ହୋଇପଡିଛି । ଏହି ତଥ୍ୟ ହିଁ ପ୍ରମାଣ କରୁଛି ରାଜ୍ୟରେ ପରିବହନ ବ୍ୟବସ୍ଥା କେତେ ସଫଳ ହୋଇଛି ।
ବିଧାନସଭା ମୌସୁମୀ ଅଧିବେଶନରେ ବିଧାୟକ ଗଣେଶରାମ ସିଂ ଖୁଣ୍ଟିଆଙ୍କ ପ୍ରଶ୍ନର ଉତ୍ତରରେ ପରିବହନ ମନ୍ତ୍ରୀ ଟୁକୁନି ସାହୁ ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ, ଓଏସଆରଟିସିର ୩୭୮ଟି ବସ୍ ୨୦୪ଟି ରୁଟ୍ରେ ଚଳାଚଳ କରୁଛି । ୨୧୯ଟି ବସ୍ ଅସ୍ଥାୟୀ ଭାବେ ଅଚଳ ଅବସ୍ଥାରେ ପଡି ରହିଛି । ନିଗମରେ ସମୁଦାୟ ୧୪୭୬ଜଣ କର୍ମଚାରୀ କାର୍ଯ୍ୟରତ । ଏମାନଙ୍କ ମଧ୍ୟରୁ ୧୭୧ ଜଣ ନିୟମିତ । ୧୦୫୧ଜଣ ଚୁକ୍ତିଭିତ୍ତିକ । ୧୯୪ ଜଣ ସେବା ଯୋଗାଣକାରୀ ସଂସ୍ଥା ଦ୍ବାରା ନିଯୁକ୍ତ । ୬୦ଜଣ ଦୈନିକ ମଜୁରି ଆକାରରେ କାର୍ଯ୍ୟ କରୁଛନ୍ତି ।