ଭୁବନେଶ୍ବର:ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ନେଇ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ । କ୍ଷମତାରେ ରହି ମୁଖ୍ୟମନ୍ତ୍ରୀ ଏହାର ଅପବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି ସୁର ରାଉତରାୟ । ସେପଟେ ବିଗତ ବର୍ଷରେ ନବୀନ ସରକାରରେ ଥିବା ନେତାଙ୍କ ଘରେ ମଧ୍ୟ ଲୋକପାଳ ପକ୍ଷରୁ ରେଡ୍ କରାଯାଉ ବୋଲି ଦାବି କରିଛନ୍ତି ରାଜ୍ୟ ବିଜେପି ଉପସଭାପତି ଭୃଗୁବକ୍ସି ପାତ୍ର ।
ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ପରିବାର ପ୍ରତି ଯେଭଳି ବ୍ୟବହାର କରାଯାଉଛି ତାହା ଅନୁଚିତ ବୋଲି ମତ ଦେଇଛନ୍ତି ସୁର ରାଉତରାୟ । ନବୀନ ବାବୁ ମଧ୍ୟ ଦୁର୍ନୀତିଗ୍ରସ୍ତି ଥିବା ନେଇ ତେରଚ୍ଛା ବାଣ ମାରିଛନ୍ତି ବରିଷ୍ଠ କଂଗ୍ରେସ ନେତା । ସହଯୋଗୀ ସହାୟତା କଲେନି ବୋଲି ଏବେ ଶତ୍ରୁ ଆଉ ଅଲୋଡ଼ା ହୋଇଗଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଜାଣିଶୁଣି ତାଙ୍କ ଘର ଉପରେ ଭିଜିଲାନ୍ସ ଚଢ଼ାଉ କରାଯାଇ ତାଙ୍କ ପ୍ରତି ଅତ୍ୟାଚାର କରାଯାଉଥିବା ଅଭିଯୋଗ ଆଣିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତ ରାୟ ।
ସେପଟେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ରାଜ୍ୟ ବିଜେପି ଉପସଭାପତି ଭୃଗୁବକ୍ସି ପାତ୍ର କହିଛନ୍ତି ଯେ, "ଲୋକପାଳ ନିଜ ଅସ୍ତିତ୍ବ ହରାଇ ବସିଛନ୍ତି । ଗୋପାଳପୁର ବିଧାୟକ ଦୀର୍ଘ ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ ଘନିଷ୍ଠ ଥିଲେ । ଆଳୁ ଖୋଳୁଖୋଳୁ ମହାଦେବ ବାହାରିବା ଭଳି ତାଙ୍କ ପାଖରୁ ଅଜସ୍ର ସମ୍ପତି ବାହାରିଲା । 25 ବର୍ଷ କାଳ ଆଉ କେତେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଘନିଷ୍ଠ ହୋଇ ରହିଥିଲେ । ଏଭଳି 30ରୁ 40 ନେତା ତାଙ୍କ ଦଳରେ ଓ ସରକାରରେ ଅଛନ୍ତି ଓ କ୍ଷମତାକୁ ଉପଭୋଗ କରୁଛନ୍ତି । ସରକାରରେ ଥିବା ନେତା ଶହଶହ କୋଟି ଟଙ୍କା ଆତ୍ମସାତ କରିଛନ୍ତି ।"