ଭୁବନେଶ୍ବର: ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିଲେଣି ପ୍ରମୁଖ ରାଜନୈତିକ ଦଳ । ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ସାରା ଦେଶରେ କଂଗ୍ରେସ ଭାରତ ଯୋଡ଼ ପଦଯାତ୍ରା ଜାରି ରଖିଥିବା ବେଳେ ଓଡ଼ିଶାରେ ମଧ୍ୟ ଭାରତ ଯୋଡ଼ ପଦଯାତ୍ରା କରିବାକୁ ପ୍ରସ୍ତୁତ ହୋଇଛି କଂଗ୍ରେସ । ସେପଟେ ରବିବାର ଠାରୁ ଭୁବନେଶ୍ବର କାରଗିଲ ବସ୍ତିରୁ ବିଜେଡି ଓ ରାଜ୍ୟ କାର୍ଯ୍ୟାଳୟରେ ବିଜେପି ମଧ୍ୟ ଆରମ୍ଭ କରିଛି ପଦଯାତ୍ରା । ତେବେ ଏହି ପଦଯାତ୍ରା ପଲିଟିକ୍ସ ନେଇ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।
ରାଜ୍ୟରେ ବିଜେଡିର ବିକଳ୍ପ ହେଉଛି କଂଗ୍ରେସ: ଶରତ ପଟ୍ଟନାୟକ ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ନିର୍ବାଚନୀ ହୁଙ୍କାର ଦେଲେଣି ବିଭିନ୍ନ ରାଜନୈତିକ ଦଳ । ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ସାରା ଦେଶରେ ଭାରତ ଯୋଡ଼ ପଦଯାତ୍ରା ଚଳାଇଛି କଂଗ୍ରେସ । ଏନେଇ ଓଡ଼ିଶାରେ ଭାରତ ଯୋଡ଼ ପଦଯାତ୍ରା କରିବାକୁ ଦଳ ଅଣ୍ଟା ଭିଡ଼ିଛି । ସେପଟେ ରବିବାର ଠାରୁ ଭୁବନେଶ୍ବର କାରଗିଲ ବସ୍ତିରୁ ଜନସମ୍ପର୍କ ପଦଯାତ୍ରା ଆରମ୍ଭ କରିଛି ବିଜେଡି । ସଂଗଠନକୁ ସୁଦୃଢ଼ କରିବା ସହ ସରକାରୀ ଯୋଜନାର ସୁଫଳ ଲୋକଙ୍କୁ ଅବଗତ କରାଇବା ନେଇ ପଦଯାତ୍ରା ଆରମ୍ଭ କରିଛି ଦଳ । ସେପଟେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମଧ୍ୟ ବିଜେପି ପକ୍ଷରୁ ପଦଯାତ୍ରା ଆରମ୍ଭ ହୋଇଛି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ରାଜ୍ୟରେ ବିଜେଡିର ବିକଳ୍ପ କେବଳ କଂଗ୍ରେସ ବୋଲି ସେ କହିଛନ୍ତି ।
ଶରତ କହିଛନ୍ତି, "ବିଜେଡି କିମ୍ବା ବିଜେପିକୁ ପଦଯାତ୍ରାର କୌଣସି ସୁଫଳ ମିଳିବ ନାହିଁ । ଜନସାଧାରଣ ସମସ୍ତ କଥା ଜାଣିସାରିଛନ୍ତି । ୨୦୨୪ ନିର୍ବାଚନରେ କଂଗ୍ରେସ ଲୋକଙ୍କ ବିଶ୍ବାସଭାଜନ ହେବ । ଗତକାଲି ଉଭୟ ଦଳ ତାଙ୍କର କାର୍ଯ୍ୟକ୍ରମ କରିଛନ୍ତି । ସେଥିରେ ଆମର କିଛି କହିବାର ନାହିଁ । ବିଜେପି କ୍ଷମତାକୁ ଆସିବା ନେଇ ପୂର୍ବ ଥର ମଧ୍ୟ ଘୋଷଣା କରିଥିଲା, ଏଥର ମଧ୍ୟ କରିଛନ୍ତି । କିନ୍ତୁ ଜନତା ଜାଣିଛନ୍ତି ଏଥିରେ କିଛି ସତ୍ୟତା ନାହିଁ । ଉଭୟ ବିଜେପି ଓ ବିଜେଡି ଦଳ ୯ ବର୍ଷ ପର୍ଯନ୍ତ ମିଶିକି ଶାସନ କରିଥିଲେ । ଉଭୟ ସରକାର ରାଜ୍ୟର ବିକାଶ ପାଇଁ କଣ କରିଛନ୍ତି ସମସ୍ତେ ଜାଣିଛନ୍ତି । ବିଜେଡି ଯେତେ ଶକ୍ତି ପଦର୍ଶନ କଲେ ବି କିଛି ଫାଇଦା ମିଳିବନି । କାରଣ ଦୀର୍ଘ ୨୨ ବର୍ଷ ଭିତରେ ରାଜ୍ୟର କିଛି ବି ଉନ୍ନତି କରିନାହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।"
ସେ ଆହୁରି ମଧ୍ୟ କହିଛନ୍ତି, "ଚାଷୀଙ୍କ ଉନ୍ନତି, ବେକାରୀ, ଆଇନ ଶୃଙ୍ଖଳା ସବୁଥିରେ ବିଫଳ ହୋଇଛନ୍ତି ବିଜେଡି ସରକାର । ଏବେବି ଓଡ଼ିଶାର ଯୁବକ ରୋଜଗାର ପାଇଁ ବାହାର ରାଜ୍ୟକୁ ଯାଉଛନ୍ତି । ରାଜ୍ୟରେ ବିଜେପି ଓ ବିଜେଡିର ବିକଳ୍ପ ହେଉଛି କଂଗ୍ରେସ ଦଳ । ଉଭୟ ଦଳ ସରକାରରେ ଅଛନ୍ତି । ୧ ଲକ୍ଷ ଲୋକ ଠିଆ କରି କାର୍ଯ୍ୟକ୍ରମ କରୁଛନ୍ତି । ଏହାର ଅର୍ଥ ନୁହେଁ କି ସେମାନେ ନିର୍ବାଚନରେ ବିଜୟୀ ହେବେ । ଓଡିଶା ଜନସାଧାରଣ ସବୁ ଦେଖୁଛନ୍ତି ଓ ଜାଣୁଛନ୍ତି । ସେମାନେ ଠିକ ସମୟରେ ଠିକ ନିଷ୍ପତ୍ତି ନେବେ । ୨୦୨୪ରେ ଜନସାଧାରଣଙ୍କ ଆଶୀର୍ବାଦରେ କଂଗ୍ରେସ ସରକାର କରିବ । ୯ରୁ ବଢ଼ି ୯୦ ସିଟ ହାସଲ କରିବ ।" ତେବେ ୩୧ ଅକ୍ଟୋବରରୁ ଓଡ଼ିଶାରେ ଭାରତ ଯୋଡ଼ ଯାତ୍ରା ଆରମ୍ଭ ହେଉଥିବା ବେଳେ ୧୦୦ ଦିନରେ ୨୨୦୦ କିଲୋମିଟର ଅତିକ୍ରମ କରି ଉଭୟ ସରକାରଙ୍କ ବିଫଳତା ଜନତାଙ୍କୁ ଅବଗତ କରାଯିବ ବୋଲି ଶରତ କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର