ଭୁବନେଶ୍ବର: ଭୁଲ ସ୍ଥାନରେ ଇଞ୍ଜେକସନ ଓ ଚିକିତ୍ସାରେ ଅବହେଳା ହେତୁ ବାଲେଶ୍ବରର ଏକ ଯୁବକଙ୍କର ବାମ ହାତର ଆଙ୍ଗୁଳିକୁ କଟାଯାଇଥିଲା। ଏନେଇ ପରିବାର ଲୋକେ ରାଜ୍ୟ ମାନବାଧିକାର ଆୟୋଗଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହାପରେ ରାଜ୍ୟ ମାନବାଧିକାର ଆୟୋଗ ଏହାକୁ ହୃଦବୋଧ କରି ଦୁଇ ମାସ ଭିତରେ 6 ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ଓଏଚଆରସି, ସ୍ବାସ୍ଥ୍ୟ ଓ କଲ୍ୟାଣ ବିଭାଗକୁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି ।
ସୂଚନାନୁଯାୟୀ, ବାଲେଶ୍ଵରର ସିମୁଆଳା ଥାନା କଲସପୁର ଅଞ୍ଚଳର ନଟବର ନାୟକଙ୍କ ପୁଅ ତାପସ ନାୟକ ଅସୁସ୍ଥ ହେବାରୁ ୨୦୧୭ ମସିହା ଅକ୍ଟୋବର ୨୨ ତାରିଖରେ ଭଦ୍ରକ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଇଞ୍ଜେକ୍ସନ ଦେବା ପାଇଁ ଡାକ୍ତର ପରାମର୍ଶ ମଧ୍ୟ ଦେଇଥିଲେ। ଇଞ୍ଜେକସନଟି ଶିରାରେ ଦେବା ପରିବର୍ତ୍ତେ ଭୁଲ ଭାବରେ ବାମ ହାତର ମାଂସପେଶୀରେ ଦିଆଯାଇଥିଲା। ଫଳରେ ବାମ ହାତର ପାପୁଲି ଫୁଲିବାରେ ଲାଗିଲା। ଅଧିକ ହେବାରୁ କଟକ ବଡ ଡାକ୍ତରଖାନାକୁ ଆଣିଥିଲେ। ଏଠାରେ ଡାକ୍ତର ତାଙ୍କୁ ଅପରେସନ କରିବାକୁ କହିଥିଲେ। ସଠିକ ସମୟରେ ଅପରେସନ ନହେବାରୁ ଆଙ୍ଗୁଳିଟି ଇନଫେକ୍ସନ ହୋଇଯାଇଥିଲା । ଶେଷରେ ଆଙ୍ଗୁଳିକୁ କାଟିବାକୁ ପଡିଥିଲା ।