ଭୁବନେଶ୍ବର: ଓଡିଶା ଟ୍ରାଭେଲ ବଜାରର ତୃତୀୟ ସଂସ୍କରଣ ଆସନ୍ତା 14 ତାରିଖରେ ଆୟୋଜିତ ହେବାକୁ ଯାଉଛି । ଏହା 5ଦିନ ଧରି ଚାଲିବାକୁ ଥିବାବେଳେ ଏଥିରେ ଉଭୟ ଦେଶୀ ଓ ବିଦେଶୀ 85 ଟୁର ଅପରେଟର ସାମିଲ ହୋଇଥିବା ଜଣାପଡିଛି । ଏହି ବଜାର ମାଧ୍ୟମରେ ଧୀରେଧୀରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ 2020 ମସିହା ସୁଦ୍ଧା 2କୋଟି 50 ଲକ୍ଷ ପର୍ଯ୍ୟଟକ ଓଡିଶା ଆସିବା ଉପରେ ଲକ୍ଷ୍ୟ ରଖାଯାଇଛି ।
ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥାନୀୟ ମେ ଫେୟାର ଠାରେ ଉଦଘାଟନ କରିବେ ବୋଲି ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କହିଛନ୍ତି । ଏହି ଅବସରରେ ସେମାନଙ୍କ ପାଇଁ ବିଭିନ୍ନ ସେମିନାର ଯଥା ବାୟର ସେଲର ଡିସ୍କସନ, ବି ଟୁ ବି ମିଟିଂ ସହିତ ଫାର୍ମ ଟୁରର ବ୍ୟବସ୍ଥା କରାଯାଇଥିବା ଜଣାପଡିଛି । ଆମ ରାଜ୍ୟର ପର୍ଯ୍ୟଟନ ସ୍ଥଳକୁ ଦେଶ ଓ ବିଦେଶରେ ପ୍ରଚାର କରିବା ସହିତ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବିଗତ 3 ବର୍ଷ ଧରି ଏହା ଆୟୋଜିତ କରାଯାଉଥିବା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ କହିଛନ୍ତି ।