ଭୁବନେଶ୍ବର: ଆଗାମୀ ଗଣତନ୍ତ୍ର ଦିବସରେ ନୂଆଦିଲ୍ଲୀରେ ଦେଖିବାକୁ ମିଳିବ ଓଡିଶାର କୀର୍ତ୍ତିରାଜି। ରାଜଧାନୀରେ ଆୟୋଜିତ ହେବାକୁ ଥିବା ଜାତୀୟ ପରେଡରେ ସ୍ଥାନ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛି ଓଡିଶାର ପ୍ରଜ୍ଞାପନ ମେଢ। ଯେଉଁଥିରେ ଲିଙ୍ଗରାଜ ମନ୍ଦିର ଓ ରୁକୁଣା ରଥର କଳାକୃତି ଦେଖିବାକୁ ମିଳିବ। ଏହି ମେଢକୁ ପ୍ରସ୍ତୁତ କରିବେ ପ୍ରଖ୍ୟାତ ଚିତ୍ରଶିଳ୍ପୀ ଗଜେନ୍ଦ୍ର ସାହୁ।
ପ୍ରକାଶ ଥାଉ କି ପ୍ରତିବର୍ଷ କେନ୍ଦ୍ର ପ୍ରତିରକ୍ଷା ବିଭାଗ ପକ୍ଷରୁ ସମସ୍ତ ରାଜ୍ୟକୁ ପ୍ରଜ୍ଞାପନ ମେଢ ପ୍ରଦର୍ଶନ ପାଇଁ ପ୍ରସ୍ତାବ ଆହ୍ବାନ କରାଯାଇଥାଏ। ଚଳିତବର୍ଷ ମଧ୍ୟ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ତଦନୁଯାୟୀ ପ୍ରସ୍ତାବ ଦିଆଯାଇଥିଲା । ଏଥିମଧ୍ୟରୁ ଦେଶର 16ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରଜ୍ଞାପନ ମେଢ ଯୋଗ୍ୟ ବିବେଚିତ ହୋଇଛି। ସେଥିରେ ସ୍ଥାନ ପାଇଛି ଓଡିଶାର ପ୍ରଜ୍ଞାପନ ମେଢ।