ଓଡିଶା

odisha

By

Published : Sep 13, 2022, 1:40 PM IST

ETV Bharat / city

ଗ୍ରାମରେ ହେବ ରାଜସ୍ୱ ମାମଲାର ଫଇସଲା

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସେପ୍ଟେମ୍ବର ୧୫ରୁ ପୁଣି ଆରମ୍ଭ ହେବ ତହସିଲଦାରଙ୍କ କ୍ୟାମ୍ପ କୋର୍ଟ ଶୁଣାଣି । ଏବେଠୁ ପ୍ରତ୍ୟେକ ଗ୍ରାମରେ ହେବ ରାଜସ୍ୱ ମାମଲାର ଫଇସଲା । ପ୍ରତ୍ୟେକ ସପ୍ତାହରେ ୨-୩ ଦିନ କ୍ୟାମ୍ପ କୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଧିକ ପଢନ୍ତୁ

ଗ୍ରାମରେ ହେବ ରାଜସ୍ୱ ମାମଲାର ଫଇସଲା
ଗ୍ରାମରେ ହେବ ରାଜସ୍ୱ ମାମଲାର ଫଇସଲା

ଭୁବନେଶ୍ବର: ପୁଣି ଆରମ୍ଭ ହେବ ତହସିଲଦାରଙ୍କ କ୍ୟାମ୍ପ କୋର୍ଟ ଶୁଣାଣି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସେପ୍ଟେମ୍ବର ୧୫ରୁ ପୁଣି ଆରମ୍ଭ ହେବ ଏହି ଶୁଣାଣି । ଏବେଠୁ ପ୍ରତ୍ୟେକ ଗ୍ରାମରେ ହେବ ରାଜସ୍ବ ମାମଲାର ଫଇସଲା । ପ୍ରତ୍ୟେକ ସପ୍ତାହରେ ୨-୩ ଦିନ କ୍ୟାମ୍ପ କୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କ୍ୟାମ୍ପ କୋର୍ଟ କରିବାରେ ଅବହେଳା ହେଲେ ରାଜସ୍ବ ଅଧିକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଚେତାବନୀ ଦେଇଛନ୍ତି ।

ତେବେ ସୂଚନା ଅନୁଯାୟୀ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସମସ୍ତ ସେବା ଅନଲାଇନ ମାଧ୍ୟମରେ ଉପଲବ୍ଧ କରାଯାଇଛି । ରାଜସ୍ବ ରଥ ମାଧ୍ୟମରେ ଲୋକଙ୍କ ଘରେ ଘରେ ପଟ୍ଟା ଓ ବିଭିନ୍ନ ପ୍ରକାରର ସାର୍ଟିଫିକେଟ ବଣ୍ଟାଯାଉଛି । ପ୍ରତ୍ୟେକ ତହସିଲଦାର ଓ ଅତିରିକ୍ତ ତହସିଲଦାରମାନେ ପ୍ରତି ସପ୍ତାହରେ ୨ ରୁ ୩ ଦିନ ସେମାନଙ୍କ ଅଧିନସ୍ଥ ରାଜସ୍ବ ନିରୀକ୍ଷକଙ୍କ ଅଫିସ, ପଞ୍ଚାୟତ ଓ ଗ୍ରାମରେ କ୍ୟାମ୍ପ କୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏନେଇ ରାଜସ୍ବ ଓ ବିପର୍ଯୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏହା ଦ୍ବାରା ପ୍ରତି ମାସରେ ପ୍ରତ୍ୟେକ ତହସିଲଦାର ଓ ଅତିରିକ୍ତ ତହସିଲଦାର ସେମାନଙ୍କ ଅଧିନସ୍ଥ ପ୍ରତ୍ୟେକ ଗ୍ରାମ ଗସ୍ତ କରି ବିଭିନ୍ନ ରାଜସ୍ବ ମାମଲାର ଫଇସଲା କରିପାରିବେ । ଏଥିପାଇଁ ସମସ୍ତ ଜିଲ୍ଲାପାଳମାନଙ୍କୁ ଚିଠି କରାଯାଇଛି ।

ତେବେ ଏନେଇ ପ୍ରତ୍ୟେକ ଡିଭିଜନର ରାଜସ୍ବ ଆୟୁକ୍ତମାନଙ୍କୁ ରାଜସ୍ବ ବିଭାଗର ବରିଷ୍ଠ ଅଧିକାରୀଙ୍କ ସାପ୍ତାହିକ ସମୀକ୍ଷା ବୈଠକରେ ସଚେତନ କରାଯାଇଛି । ଏହା ପରେ ପ୍ରତ୍ୟେକ ଜିଲ୍ଲାର ନୋଡାଲ ଅଫିସରମାନଙ୍କୁ ତହସିଲ ଅଫିସର କ୍ୟାମ୍ପ କୋର୍ଟ ଉପରେ ସ୍ବତନ୍ତ୍ର ଭାବରେ ସମୀକ୍ଷା ବୈଠକ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତ୍ୟେକ ଜିଲ୍ଲାର ରାଜସ୍ବ ସମୀକ୍ଷା ବୈଠକରେ ଏହି କାର୍ଯ୍ୟସୂଚୀ ଉପରେ ନିୟମିତ ସମୀକ୍ଷା ହେବ । କ୍ୟାମ୍ପ କୋର୍ଟ କରିବାରେ ଅବହେଳା ହେଲେ ରାଜସ୍ବ ଅଧିକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ । ଏ ନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରତ୍ୟେକ ଜିଲ୍ଲାର ରାଜସ୍ବ ସମୀକ୍ଷା ବୈଠକ ଫଳରେ ରାଜସ୍ବ ସେବାରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଛି । ରାଜସ୍ବ ସମୀକ୍ଷା ବୈଠକ ପରେ ରାଜସ୍ବ ରଥ ମାଧ୍ୟମରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ପାଖାପାଖି ୧ ଲକ୍ଷ ପଟ୍ଟା ବଣ୍ଟନ କରାଯାଇଛି । ଏବେ ପ୍ରାୟ କୌଣସି ବିବିଧ ଏବଂ ଜାତିଗତ ପ୍ରମାଣପତ୍ର ଓ ବିବାଦ ବିହୀନ ଦାଖଲ ଖାରଜ ମାମଲାରେ ଲୋକମାନଙ୍କୁ ତହସିଲ ଯିବାର ଆବଶ୍ୟକତା ନାହିଁ ।

ତଥାପି ରାଜସ୍ବ କୋର୍ଟରେ ଶୁଣାଣି ହେଉଥିବା ବିଭିନ୍ନ ରାଜସ୍ବ ମାମଲାର ଫଇସଲା ପାଇଁ ଲୋକମାନଙ୍କୁ ତହସିଲ ଅଫିସ ଯିବାକୁ ପଡିଥାଏ । ସେହି ସବୁ ରାଜସ୍ବ ମାମଲାରେ ଲୋକମାନଙ୍କୁ ତହସିଲ ନ ଯିବା ପାଇଁ ତଥା ରାଜସ୍ବ ସେବାକୁ ଅଧିକ ଲୋକାଭିମୁଖୀ କରିବା ଓ ରାଜସ୍ବ ବିଭାଗକୁ ଅଧିକ କ୍ରିୟାଶୀଳ କରିବାକୁ ମୁଖମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଏହି ପଦକ୍ଷେପ ନିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details