ଭୁବନେଶ୍ବର:ସାରା ରାଜ୍ୟରେ୨୫ତମ ପ୍ରତିଷ୍ଠା ଦିବସ ପାଳିଛି ବିଜୁ ଜନତା ଦଳ । ନବୀନଙ୍କ ସୁଶାସନକୁ ଫୋକସରେ ରଖି କାର୍ଯ୍ୟ କରିବାକୁ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି ନେତା । ଏହି ଅବସରରେ ରାଜ୍ୟବାସୀଙ୍କ ପାଇଁ ବାର୍ତ୍ତା ଦେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ପ୍ରତିଷ୍ଠା ଦିବସରେ ବିଜେଡି ଏକ ମାଷ୍ଟରଷ୍ଟ୍ରୋକ୍ ବୟାନ ଦେଇ ବିରୋଧୀଙ୍କ ପାଇଁ ଜବାବ ରଖିଛନ୍ତି । ରାଜ୍ୟରେ ବିଜେଡି ଏକ ସାମାଜିକ ଆନ୍ଦୋଳନ ପରିବର୍ତ୍ତିତ ହୋଇଥିବା କଥା କହିଛନ୍ତି ନବୀନ ପଟ୍ଟନାୟକ ।
BJD 25th Foundation Day: ଓଡ଼ିଶାବାସୀ ଆମ ବସ୍ କହିଲେ ବିଜେଡି ସୁପ୍ରିମୋ ନବୀନ କହିଛନ୍ତି ଯେ, "ବିଜୁ ଜନତା ଦଳର ବସ୍ ହେଉଛନ୍ତି ଓଡ଼ିଶାବାସୀ । ଆମର ଦିଲ୍ଲୀରେ କେହି ବସ୍ ନାହାନ୍ତି । ଆମେ ଯାହା ବି କରୁଛୁ ଓଡ଼ିଶାବାସୀଙ୍କ ପାଇଁ କରୁଛୁ । ଓଡ଼ିଶାର ହକ୍ ପାଇଁ ବିଜେଡି ଲଢ଼େଇ ଜାରି ରଖିଛି । ୨୦୦୦ ମସିହାର ଓଡ଼ିଶା ଓ ଆଜିର ଓଡ଼ିଶା ମଧ୍ୟରେ ବହୁତ ବଡ଼ ପରିବର୍ତ୍ତନ ଘଟିଛି । ରାଜ୍ୟରେ ଗରିବି ୬୩ ପ୍ରତିଶତରୁ ୨୯ ପ୍ରତିଶତକୁ ଖସିଛି । ୮୦ଲକ୍ଷ ଲୋକ ଦାରିଦ୍ର୍ୟ ସୀମାରେଖା ଉପରକୁ ଆସିଛନ୍ତି । ଆଗାମୀ ୫ ବର୍ଷ ମଧ୍ୟରେ ଦାରିଦ୍ର୍ୟ ସୀମାରେଖାକୁ ୧୦ ପ୍ରତିଶତ ତଳକୁ ଖସାଇବାକୁ ଯୋଜନା ରହିଛି ।"
ଦିନେ ଯେଉଁ ଓଡ଼ିଶା ଖାଦ୍ୟ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ ଥଲା ତାହା ବର୍ତ୍ତମାନ ଦେଶକୁ ଖାଦ୍ୟ ଯୋଗାଇବାରେ ତୃତୀୟ ସ୍ଥାନରେ ରହିଛି । କୋରୋନା ମହାମାରୀ କାଳରେ ଓଡ଼ିଶାକୁ ଅଧିକ ପୁଞ୍ଜି ଆସିଛି । ୪ଲକ୍ଷ କୋଟିରୁ ଅଧିକ ପୁଞ୍ଜି ଓଡ଼ିଶାରେ ବିନିଯୋଗ ହୋଇଛି । ମିଶନ ଶକ୍ତି ଜରିଆରେ ଓଡ଼ିଶାର ମା' ମାନେ ସଶକ୍ତ ହୋଇଛନ୍ତି । ୭୦ଲକ୍ଷ ମହିଳା ସ୍ବତଃ ପ୍ରବୃତ ଭାବେ ଏଥିରେ ଯୋଡ଼ି ହୋଇଛନ୍ତି । ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ ହୋଇଛି ବିଜେଡି । ଏଥିପାଇଁ ଦଳର ଲକ୍ଷଲକ୍ଷ କର୍ମୀ ଭାଇଭଉଣୀଙ୍କ ତ୍ୟାଗ, ପରିଶ୍ରମ ଓ ନିଷ୍ଠାକୁ ସମ୍ମାନ ଜଣାଇଛନ୍ତି ନବୀନ ।
ସ୍ବାସ୍ଥ୍ୟସେବା ଯୋଗାଇବାରେ ଓଡ଼ିଶା ସରକାର ଦେଶର ବିଶ୍ବାସ ଜିତିଛନ୍ତି । କୋରୋନା କାଳରେ ୧୭ ରାଜ୍ୟକୁ ଅକ୍ସିଜେନ୍ ଯୋଗାଇଛି ଓଡ଼ିଶା । ୫‘ଟି’ ରୂପାନ୍ତିକରଣରେ ସ୍କୁଲ୍ ମାନଙ୍କରେ ପରିବର୍ତ୍ତନ ଆଣିଛି । ଶିକ୍ଷା ହେଉ ବା କ୍ରୀଡ଼ା ଓ କୃଷିରେ ଓଡ଼଼ିଶା ନୁଆ ପରିଚୟ ସୃଷ୍ଟି କରିଥିବା କଥା କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।
ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ