ଭୁବନେଶ୍ବର: ଲକଡାଉନ ସମୟରେ ରୋଜଗାର ଦେଉଛି ପଟ୍ଟଚିତ୍ର ମାସ୍କ। ରୋଜଗାରକ୍ଷମ କରୁଛି ରଙ୍ଗ ତୂଳୀ । ପଟ୍ଟଚିତ୍ର କଳାରେ ସ୍ବାବଲମ୍ବୀ ହେଉଛନ୍ତି ମହିଳା ଓ ଯୁବତୀ । ଲକଡାଉନ ସମୟରେ ସବୁଠି ଆର୍ଥିକ ସମସ୍ୟା ଲାଗିରହିଛି । ଏହି ସମୟରେ ପଟ୍ଟଚିତ୍ର ମାସ୍କ ତିଆରି କରି ଓଲ୍ଡ ଟାଉନ ଅଞ୍ଚଳରେ କିଛି ମହିଳା ଓ କଲେଜ ପଢୁଆ ଝିଅମାନେ ଦି ପାଇସା ରୋଜଗାର କରିପାରୁଛନ୍ତି । ମାସ୍କରେ ପଟ୍ଟଚିତ୍ର କରି ସେମାନେ ରୋଜଗାର କ୍ଷମ ହୋଇପାରୁଛନ୍ତି । ଗରିବ ପରିବାରର ମହିଳା ଓ ଯୁବତୀମାନେ ଏଠାରେ କାମ କରୁଛନ୍ତି । ଓଲଡ ଟାଉନରେ ରହିଛି ସୁଚିତ୍ରା କ୍ରାଫ୍ଟ ସଂସ୍ଥା । ଯେଉଁଠି ଭଳିକି ଭଳି ହାତ ତିଆରି ରଙ୍ଗ ତୂଳୀରେ ଚିତ୍ର କରାଯାଉଛି ।
ସାଧାରଣ ମାସ୍କ ପ୍ରସ୍ତୁତି ନକରି ପଟ୍ଟଚିତ୍ର ମାସ୍କ ବନାଉଛନ୍ତି । ଯାହା ଅଧିକ ଆକର୍ଷଣୀୟ ହେବା ସହ ଯୁବପୀଢ଼ିଙ୍କୁ ଆକୃଷ୍ଟ କରୁଛି। ଏଠାରେ ପାଖାପାଖି 35 ଜଣ କାମ କରୁଛନ୍ତି । ଏଠାରେ ଦୈନିକ ଭାବରେ 50ରୁ 60 ଟି ମାସ୍କ ବନାଉଛନ୍ତି । ଉଭୟ ମହିଳା ଓ କଲେଜ ପଢୁଆ ଝିଅମାନେ ମଧ୍ୟ ଏହି କାମରେ ରୋଜଗାରକ୍ଷମ ହୋଇପାରୁଛନ୍ତି । ପଟ୍ଟଚିତ୍ର କାରିଗର କୁହନ୍ତି ଯେ, ପରିବାରରେ ଅନେକ ଦୁଃଖ କଷ୍ଟ ରହିଛି । ରୋଜଗାର କରିବା ନିଜ ଗୋଡରେ ନିଜେ ଛିଡା ହେବା ପ୍ରତିଶୃତି ବଦ୍ଧ ହୋଇ ମହିଳାମାନେ କାମ କରୁଛନ୍ତି । ଲକଡାଉନରେ ସେମାନଙ୍କର ପରିବାର ଚଳିପାରୁଛି । ଏମାନେ ବିଭିନ୍ନ ସମୟରେ ଭାଗ ଭାଗ ହୋଇ କାମ କରିଥାନ୍ତି। ଯେଉଁ ମାନଙ୍କୁ ଟେଲରିଂ ଆସୁଛି ସେମାନେ ଟେଲରିଂ କରିବେ । ଅନ୍ୟମାନେ ମାସ୍କ ରେ ରଙ୍ଗ ମାରିବା ସହ ବିଭିନ୍ନ ପ୍ରକାରର ଚିତ୍ର କରି ରଙ୍ଗ ଦେଉଛନ୍ତି ।
ଦେଖିବାକୁ ଯେମିତି ସୁନ୍ଦର ସେମିତି କାମ ବି ସୁନ୍ଦର ରହିଛି । ନୂଆ କରି ଆସୁଥିବା ମହିଳା ବା ଯୁବତୀ ମାନଙ୍କୁ ଶିଖାଇବା ପାଇଁ ମଧ୍ୟ ସୁଯୋଗ ଦିଆଯାଉଛି । ଯେହେତୁ ଲକଡାଉନ ରହୁଛି ସେଥିପାଇଁ ଏହାର ମାଲିକ ଅନ୍ୟ ସ୍ଥାନରେ ଭଡା ଘରେ କର୍ମଚାରୀଙ୍କୁ ଟ୍ରେନିଂ ଦେଉଥିବା କୁହନ୍ତି କାରିଗର ।