ଭୁବନେଶ୍ବର: ଅସହାୟଙ୍କୁ ସହାୟତାର ହାତ ବଢାଇଲା 'ଓଡିଶା ମୋ ପରିବାର' । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅନ୍ତର୍ଗତ ତଳଦପା ଗ୍ରାମର ଉତ୍ତମ ମଲ୍ଲିକଙ୍କ ଦେଢ ବର୍ଷର ଝିଅର ନିମୋନିଆରେ ମୃତ୍ୟୁ ହୋଇଥିଲା । ଭୁବନେଶ୍ୱରରେ ଚିକିତ୍ସିତ ହେବାକୁ ଆସିଥିବା ଶିଶୁର ମୃତଦେହକୁ ଘରକୁ ନେବା ପାଇଁ ଅସୁବିଧାର ସମ୍ମୁଖୀନ ହୋଇଥିଲେ ଗରୀବ ଉତ୍ତମ । ଯାହାର ଖବର ପାଇ ତାଙ୍କୁ ସାହାଯ୍ୟ ଯୋଗାଇଛି 'ଓଡିଶା ମୋ ପରିବାର' ।
ସୂଚନା ଅନୁସାରେ, ଉତ୍ତମ ମଲ୍ଲିକଙ୍କ ଝିଅ ନିମୋନିଆରେ ଆକ୍ରାନ୍ତ ହୋଇ ଗୁରୁତର ହୋଇପଡିଥିଲେ । ପ୍ରଥମେ ତାଙ୍କୁ ଭଦ୍ରକ ମେଡିକାଲ ଭର୍ତ୍ତି କରାଯାଇଥିଲା । ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ କଟକ ଶିଶୁ ଭବନରେ ଭର୍ତ୍ତି କରାଯାଇଥିଲା । ଆଇସିୟୁ ନ ମିଳିବାରୁ ପରିବାର ଲୋକ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ ଆଣିବା ବେଳେ ବାଟରେ ପ୍ରାଣତ୍ୟାଗ କରିଥିଲେ ଶିଶୁ କନ୍ୟା ।
ହସ୍ପିଟାଲରେ ଶିଶୁକୁ ଡାକ୍ତର ମୃତ ଘୋଷଣା କରିଥିଲେ । ଆର୍ଥିକ ସମସ୍ୟା ଥିବାରୁ ପରିବାର ଲୋକ ଏନେଇ ଓଡିଶା ମୋ ପରିବାରର ସହିତ ଯୋଗାଯୋଗ କରିଥିଲେ । ଓଡିଶା ମୋ ପରିବାରର ସିଇଓ ଆଦିତ୍ୟ ଦାସ ତୁରନ୍ତ ହସ୍ପିଟାଲରେ ପହଞ୍ଚି ପରିବାର ବର୍ଗଙ୍କୁ ସାନ୍ତ୍ବନା ଦେବା ସହ ମାଗଣା ଆମ୍ବୁଲାନ୍ସ ଯୋଗାଇ ଦେଇଛନ୍ତି । ଏଥିସହ ଶୁଦ୍ଧିକ୍ରିୟା ପାଇଁ ଆର୍ଥିକ ସହାୟତା ମଧ୍ୟ ଯୋଗାଇଛନ୍ତି ।