ଭୁବନେଶ୍ବର: ଓଡିଶା ଆଡକୁ ଆକୃଷ୍ଠ ନିବେଶକ । ରାଜ୍ୟରେ ହେବ ନିବେଶର ପୁଞ୍ଜି ବର୍ଷା । 9 ନୂଆ ଶିଳ୍ପକୁ ମଞ୍ଜୁରୀ ଦେଲା ରାଜ୍ୟ ସିଙ୍ଗଲ ଉଇଣ୍ଡୋ କ୍ଲିଅରାନସ କମିଟି । ଏହି 9ଟି ଶିଳ୍ପ ପାଇଁ 2570 କୋଟି ଟଙ୍କାର ପୁଞ୍ଜି ନିବେଶ ହେବ । ଏହା ଦ୍ବାରା 2755 ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏ ନେଇ ବୁଧବାର ଘୋଷଣା କରିଛନ୍ତି ସରକାର ।
ବୁଧବାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ 100 ତମ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ କମିଟି ଏହି ଶିଳ୍ପ ପ୍ରକଳ୍ପକୁ ସବୁଜ ସଙ୍କେତ ଦେଇଛି । ମେଟାଲ୍ ଏବଂ ମେଟାଲ୍ ଡାଉନ ଷ୍ଟ୍ରିମ୍, ଉତ୍ପାଦନ, ପ୍ଲାଷ୍ଟିକ୍, ସିମେଣ୍ଟ, ରାସାୟନିକ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପକୁ ଅନୁମୋଦନ କରିଛି କମିଟି । ଏହି ଶିଳ୍ପ ପ୍ରକଳ୍ପଗୁଡିକ ପୁର୍ଣ୍ଣ କାର୍ଯ୍ୟକ୍ଷମ ହେଲେ 2755 ଜଣ ପାଇଁ ରୋଜଗାର ।
କେନ୍ଦୁଝର ଜିଲ୍ଲା ଯୋଡାରେ 882 କୋଟି ବିନିଯୋଗ ଅମାଲଗମ୍ ରିସୋର୍ସ ପ୍ରାଇଭେଟ ଲିମିଟେଡ୍ ଦୁଇଟି ପର୍ଯ୍ୟାୟରେ 15 MTPA ବେନିଫିକେସନ୍ ପ୍ଲାଣ୍ଟ ପ୍ରସ୍ତୁତ କରିବ । ଯେଉଁଥିରେ 702 ରୁ ଅଧିକ ବ୍ୟକ୍ତିଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ସେହିପରି କେନ୍ଦୁଝର ବଂଶପାଳରେ ଏକ 3 MTPA ଆଇରନ୍ ଓର ସାଟେଲାଇଟ୍ ଗ୍ରାଇଣ୍ଡିଂ ୟୁନିଟ୍ ଏବଂ 3 MTPA ସ୍ଲୁରି ପାଇପଲାଇନ ଶିଳ୍ପ ପ୍ରତିଷ୍ଠା କରିବ ଆର୍ଡେଣ୍ଟ ଷ୍ଟିଲ୍ ଲିମିଟେଡ୍ । ଏଥିରେ ବିନିଯୋଗ ହେବ ପ୍ରାୟ 81 କୋଟି ଟଙ୍କା । 60ରୁ ଅଧିକ ବ୍ୟକ୍ତିଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ଖୋର୍ଦ୍ଧାରେ 100 କୋଟି ବିନିଯୋଗରେ ଶେଭିଂ ବ୍ଲେଡ଼ ୟୁନିଟ ପ୍ରତିଷ୍ଠା କରିବ ସେଫ୍ ଲାନସେଟ୍ ଇଞ୍ଜିନିୟରିଂ ପ୍ରାଇଭେଟ ଲିମିଟେଡ୍ । ଯାହା ଦ୍ୱାରା 90 ନିଯୁକ୍ତି ସୃଷ୍ଟି ହେବ ।
ସମ୍ବଲପୁର ରେଙ୍ଗାଲିରେ ପ୍ରତିଷ୍ଠା ହେବ ଇଣ୍ଟିଗ୍ରେଟେଡ୍ କାର୍ବନ କମ୍ପ୍ଲେକ୍ସ । 9 ଶହ କୋଟି ଟଙ୍କା ବିନିଯୋଗରେ ଏପସିଲନ୍ କାର୍ବନ୍ ଅଶୋକା ପ୍ରା ଲିମିଟେଡ଼ ପକ୍ଷରୁ ପ୍ରତିଷ୍ଠା ହେବାକୁ ଥିବା ଶିଳ୍ପରେ 600 ରୁ ଅଧିକ ବ୍ୟକ୍ତି ନିଯୁକ୍ତି ପାଇବେ ।