ଭୁବନେଶ୍ବର: ରାଜ୍ୟରେ ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥାର ବାହାରିବ ସମାଧାନ ବାଟ । ମାସକ ଭିତରେ ସମାଧାନ ବାଟ ଫିଟିବା ନେଇ ଆଶା କରାଯାଉଛି । ଏନେଇ ଓଡ଼ିଶା ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଛନ୍ତି । ଓଡ଼ିଶା ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ସହ ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ଏହି ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି । ନିକଟ ଭବିଷ୍ୟତରେ ଖୁସି ଖବର ମିଳିବ ବୋଲି ମହାସଂଘ ପକ୍ଷକୁ କୁହାଯାଇଛି ।
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ଦୀର୍ଘ ଦିନ ହେଲା ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ସହ ବିଭିନ୍ନ ଦାବି ନେଇ ଆନ୍ଦୋଳନ କରୁଥିଲା ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ । ବିଭିନ୍ନ ପର୍ଯ୍ୟାୟ ଆଲୋଚନା ପରେ ମୁଖ୍ୟମନ୍ତ୍ରୀଙ୍କ ସହ ସିଧାସଳଖ ଆଲୋଚନା କରିଛି ମହାସଂଘ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଓଡ଼ିଶା ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ସହ ଭିଡିଓ କନଫରେନସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି । ଅଭିଯୋଗ ଶୁଣିବା ପରେ ଏକ ମାସ ଭିତରେ ଦାବି ପୂରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ମହାସଂଘ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା 5ଟି ସଚିବ ଭିକେ ପାଣ୍ଡିଆନ ଓ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଉପସ୍ଥିତ ଥିଲେ ।
ଏହା ବି ପଢନ୍ତୁ...ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଟାଟାସନ୍ସ ଚେୟାରମ୍ୟାନ
ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘର ରାଜ୍ୟ ସଭାପତି ବିଜୟ ମଲ୍ଲ, ସଂଘର ମୁଖ୍ୟ ଉପଦେଷ୍ଟା ପ୍ରଭାତ ମହାନ୍ତି ଓ ସଂଘର ସଦସ୍ୟମାନେ ଉପସ୍ଥିତ ଥିଲେ । ଓଡ଼ିଶାରେ ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ପ୍ରତ୍ୟାହାର ଦାବିରେ ସମସ୍ତ ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ଏବଂ ମାଧ୍ୟମିକ ତଥା କନିଷ୍ଠ ଶିକ୍ଷକ ଗଣ ଆନ୍ଦୋଳନ କରିଥିଲେ । ଚୁକ୍ତିଭିତ୍ତିକ ପ୍ରଥା ସମ୍ପୂର୍ଣ୍ଣ ବିଲୋପ, ଚୁକ୍ତିଭିତ୍ତିକ ଅବଧି ଶେଷ କରି ସ୍ଥାୟୀ ହୋଇଥିବା କର୍ମଚାରୀ ଏବଂ ପ୍ରାଥମିକ ଶିକ୍ଷକମାନଙ୍କ ୬ ବର୍ଷ ଚାକିରି ଅବଧିକୁ ପଦୋନ୍ନତି ଓ ପେନସନ୍, ଇନକ୍ରିମେଣ୍ଟ ଇତ୍ୟାଦିରେ ଗଣନା ଭଳି ମୁଖ୍ୟ ଦାବି ଧରି ଆନ୍ଦୋଳନ କରୁଛି ମହାସଂଘ । ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ପରେ ଆଗାମୀ ଏକ ମାସ ଭିତରେ ସରକାର ଏ ବାବଦରେ କୌଣସି ନିଷ୍ପତ୍ତି ନ ନେଲେ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ସେ ନେଇ ସଂଘ ବୈଠକ ପରେ ନିଷ୍ପତ୍ତି ହେବ ବୋଲି ମହାସଂଘ ପକ୍ଷରୁ କୁହାଯାଇଛି ।
କିଛି ଦିନ ତଳେ ଭୁବନେଶ୍ବର ଲୋୟର ପିଏମଜିରେ ବର୍ଷାରେ ଭିଜି ଆନ୍ଦୋଳନକୁ ଓହ୍ଲାଇଥିଲେ ଚୁକ୍ତିଭିତ୍ତିକ କର୍ମଚାରୀ । କର୍ମଚାରୀଙ୍କ ରଣହୁଙ୍କାର ପରେ ସେମାନଙ୍କ ସହ ସରକାର ଆଲୋଚନା କରିଥିଲେ । 15 ଦିନ ଭିତରେ ସରକାର ଚୁକ୍ତିଭିତ୍ତିକ ମହାସଂଘ ରଖିଥିବା ଦାବିର ବିଚାର କରି ନିଷ୍ପତ୍ତି ନେବେ ବୋଲି କହିଥିଲେ ।
ଇଟିଭି ଭାରତ, ଭୁବନେଶ୍ବର