ଭୁବନେଶ୍ବର:ରାଜ୍ୟର ବିଭିନ୍ନ ଜିଲ୍ଲାରେ ଦେଖା ଦେଇଥିବା ଡାଇରିଆ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ(Odisha Chief Secretary) ସୁରେଶ ମହାପାତ୍ର । ଜିଲ୍ଲାପାଳ ଓ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ । ସ୍ଥିତିର ମୁକାବିଲା ଓ ପଦକ୍ଷେପ ବାବଦରେ ମୁଖ୍ୟ ଶାସନ ସଚିବ ଓ ରାଜ୍ୟସ୍ତରୀୟ ଅଧିକାରୀ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଛନ୍ତି ।
ଗ୍ରାମ ଓ ୱାର୍ଡରୁ କମ୍ୟୁନିଟି ହେଲଥ ସେଣ୍ଟର, ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନା ଏବଂ ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ତ୍ବରିତ ଡାଇରିଆ ସୂଚନା ପ୍ରସାରଣ ବ୍ୟବସ୍ଥା ଉପରେ ମୁଖ୍ୟ ଶାସନ ସଚିବଙ୍କୁ ଗୁରୁତ୍ବ ଦେଇଛନ୍ତି । ରୋଗୀଙ୍କୁ ତୁରନ୍ତ ହସ୍ପିଟାଲ ସ୍ଥାନାନ୍ତର ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ସହ ପରିବାର ଲୋକଙ୍କୁ ପରାମର୍ଶ ଦିଆଯାଇଛି । ସୂଚନା ପ୍ରସାରଣ ଓ ହସ୍ପିଟାଲ ସ୍ଥାନାନ୍ତର ବ୍ୟବସ୍ଥାରେ ଆଶାକର୍ମୀ, ଅଙ୍ଗନାବାଡ଼ି କର୍ମୀ, ୱାର୍ଡ଼ ମେମ୍ବର, ସରପଞ୍ଚ, ସ୍ଥାନୀୟ ସ୍ବେଚ୍ଛାସେବୀ ଅନୁଷ୍ଠାନ ଓ ବିଦ୍ୟାଳୟଗୁଡ଼ିକୁ ସାମିଲ କରିବା ପାଇଁ ଜିଲ୍ଲାପାଳଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।
ସମସ୍ତ ପାନୀୟଜଳ ଶ୍ରୋତକୁ ନିୟମିତ ବ୍ୟବଧାନରେ ବିଶୋଧନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଲୋକମାନେ ଯେପରି ଝରଣା ପାଣି ନପିଅନ୍ତି, ତା'ଉପରେ ସତର୍କ ଦୃଷ୍ଟି ରଖିବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସଚେତନତା କାର୍ଯ୍ୟକ୍ରମକୁ ଅଧିକ ସଘନ କରିବାକୁ ନିର୍ଦ୍ଦେଶ ରହିଛି । ସଂକ୍ରମିତ ଅଞ୍ଚଳରେ ଜଳ ବିଶୋଧନ ପାଇଁ ‘ରିଭର୍ସ ଅସମୋସିସ୍ ଯନ୍ତ୍ର’ ଲାଗିଥିବା ଗାଡ଼ି ମୁତୟନ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ।