ଭୁବନେଶ୍ବର: ବିଧାନସଭାରେ ଉପସ୍ଥାପିତ ହୋଇଛି ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ପୂର୍ଣ୍ଣାଙ୍ଗ ବଜେଟ । ଚଳିତ ଆର୍ଥିକ ବର୍ଷ ପାଇଁ ମୋଟ ୨ ଲକ୍ଷ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ (Minister Niranjan Pujari ) । ବଜେଟ ଅଭିଭାଷଣ ବେଳେ ଅର୍ଥମନ୍ତ୍ରୀ ମହିଳାମାନଙ୍କୁ ପ୍ରଶଂସା କରି କହିଛନ୍ତି ରାଜ୍ୟର ମା’ ମାନେ ବର୍ତ୍ତମାନ ଜନ୍ମଦାତ୍ରୀରୁ ନିର୍ଣ୍ଣୟକାରୀରେ ହୋଇପାରିଛନ୍ତି । ମିଶନ ଶକ୍ତିର ପ୍ରଗତି ଓ ଅଭିବୃଦ୍ଧି ପାଇଁ 2022-23 ଆର୍ଥିକ ବର୍ଷରେ ମିଶନ ଶକ୍ତି କାର୍ଯ୍ୟକ୍ରମ ଅଧିନରେ 2 ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଯେଉଁଥିରେ ରହିଛି ଜାତୀୟ ଗ୍ରାମୀଣ ଜୀବିକା ମିଶନ (NRLM) ଅଧୀନରେ 1 ହଜାର 39 କୋଟି ଟଙ୍କା । ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ସେମାନଙ୍କ ମହାସଂଘକୁ ଆର୍ଥିକ ସହାୟତା ପାଇଁ ୭୭୩ କୋଟିର ବ୍ୟୟବରାଦ ହୋଇଛି । ମିଶନ ଶକ୍ତି ଗୃହ ନିର୍ମାଣ ବାବଦକୁ ୧୭୬ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି ।
ବିଭିନ୍ନ ମହିଳା ଓ ଶିଶୁ କୈନ୍ଦ୍ରିକ ନୀତି ଓ କଲ୍ୟାଣମୂଳକ ପଦକ୍ଷେପ ଗ୍ରହଣ କରିବାକୁ ମୋଟ ୩୫୬୭ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ମମତା ଯୋଜନା ପାଇଁ ୨୪୭ କୋଟିର ବ୍ୟୟ ବରାଦ କରାଯାଇଛି । ସେହିପରି ରାଜ୍ୟରେ ଆଇସିଡିଏସ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସହାୟତା ଦିଗରେ ୪୧୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।