ଭୁବନେଶ୍ବର: ସ୍ପଷ୍ଟବାଦିତା ଓ ସାହସିକତା ଯାହାର ପରିଚୟ, ତା' ନାମ ସାମ୍ବାଦିକ । ଉପରକୁ ଦେଖାଯାଏ ଯାହାର ଜୀବନ ସରଳ, ହେଲେ ଯିଏ ଜିଏଁ ଜୀବନ ଜଟିଳ ତା' ନାମ ସାମ୍ବାଦିକ । ଆଜ୍ଞା ହଁ କି ଖରା, କି ବର୍ଷା, କି ଶୀତ, ସୁନାମୀ, ବନ୍ୟା, ବାତ୍ୟା, ମରୁଡିରେ ଯିଏ ଏରୁଣ୍ଡି ଡେଇଁ ପଦାକୁ ଚାଲିଆସେ ସେ ସାମ୍ବାଦିକ । ଯିଏ ଘରୁ ବାହାରି ଆସି ଅନ୍ୟକୁ କହେ ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ ସେ ସାମ୍ବାଦିକ । ଯିଏ ଜାଣେନି ସରକାରୀ ଛୁଟି କ'ଣ ? ଜାନି, ଯାତ, ପୂଜା-ପର୍ବ, ମହୋତ୍ସବରେ ଯିଏ ଏକୁଟିଆ ଖବର ସଂଗ୍ରହ କରୁଥିବା ସମୟରେ ପଚାରେ ପରିବାର ସହ ଆପଣ ବାଲିଯାତ୍ରା, କାଳୀପୂଜା, ଲକ୍ଷ୍ମୀପୂଜାରେ ବୁଲି ଏଥର କେତେ ମଜା ନେଉଛନ୍ତି ସେ ସାମ୍ବାଦିକ । ପୁଣି କେବେ କେବେ ଜନ ଅସନ୍ତୋଷର ଶିକାର ହୁଏ, ମହାମାରୀ, ଆତଙ୍କବାଦୀଙ୍କ କବଜାରେ ପଡେ, ମାଟି ପାଇଁ ସେବା କରୁ କରୁ ମାଟିରେ ମିଶିଯାଏ, ନାମ ତା'ର ସାମ୍ବାଦିକ । ଆଜି ଏହି ସାମ୍ବାଦିକଙ୍କ ଦିବସ ଅର୍ଥାତ୍ 'ଓଡିଆ ସାମ୍ବାଦିକତା ଦିବସ ।'
କେଉଁ ତିଥି, ବାର, ନକ୍ଷେତ୍ରରେ ସୃଷ୍ଟି ହୋଇଥିଲା ଏ ଓଡିଆ ଭାଷା ଆଉ କେଉଁଠୁ ଉତ୍ପନ୍ନ ଏ ଓଡିଆ ସାମ୍ବାଦିକତା ତାହା ଆଜିଯାଏଁ ସ୍ପଷ୍ଟ ହୋଇପାରିନାହିଁ । ତଥାପି 1866 ମସିହା ଆଜିର ଦିନରେ ଅର୍ଥାତ ଅଗଷ୍ଟ 4 ତାରିଖରେ ଓଡିଆ ଭାଷାର ପ୍ରଥମ ସମ୍ବାଦ ପତ୍ର 'ଉତ୍କଳ ଦୀପିକା' ପ୍ରକାଶ ପାଇଥିଲା । ଏହି ଦୃଷ୍ଟିରୁ ଆଜିର ଦିନକୁ ସେବେଠାରୁ ଓଡିଆ ସାମ୍ବାଦିକତା ଦିବସ ଭାବେ ପାଳନ କରାଯାଉଛି । ଗୌରୀଶଙ୍କର ରାୟଙ୍କ ଉଦ୍ୟମ କ୍ରମେ ବହୁ ବାଧା, ପ୍ରତିବନ୍ଧକ ମଧ୍ୟରେ ପ୍ରକାଶ ପାଇଥିଲା ଉତ୍କଳ ଦୀପିକା ।
ସେତେବେଳେ ରାଜ୍ୟରେ ଦୁର୍ଭିକ୍ଷ ପରିସ୍ଥିତି ଲାଗି ରହିଥିଲା । ପ୍ରକୋପରେ ପୋଛି ହୋଇ ଯାଇଥିଲା ରାଜ୍ୟର ଏକ ତୃତୀୟାଂଶ ଜନସଂଖ୍ୟା । ଓଡିଆ ଭାଷା ଏହି ସମୟରେ ଏକ ପ୍ରକାର ଦୁର୍ଦ୍ଦିନ ଦେଇ ଗତି କରୁଥିଲା । ଯାହାକୁ ମୁଖ୍ୟସ୍ରୋତରେ ପୁଣି ସାମିଲ କରିବା ପାଇଁ ଏକ ପ୍ରଭାବଶାଳୀ ନେତୃତ୍ବର ଆବଶ୍ୟକତା ରହିଥିଲା । ଏପରି ଏକ ଘଡିସନ୍ଧୀ ମୂହୁର୍ତ୍ତରେ ଜାତୀୟ ଆନ୍ଦୋଳନ ଚାଲିଥିବା ସମୟରେ ହିଁ ଜନ୍ମ ନେଇଥିଲା ଉତ୍କଳ ଦୀପିକା ।