ଭୁବନେଶ୍ବର: ଶ୍ରୀନଗରରୁ କାର୍ଗିଲ୍, କାର୍ଗିଲରୁ ପୁଣି ଲେହ ଏବଂ ଲେହରୁ ମନାଲି, ପୁରା ୮ ହଜାର କିଲୋମିଟର ବାଇକରେ ଯାତ୍ରା କରିଛନ୍ତି ଓଡିଆ ବୋହୂ ଅମିତା ସିଂ । ଓଡିଶାର ପ୍ରଥମ ବୋହୂ ଭାବେ ଅମିତା ଏହି ଦୃଃସାହସିକ କାର୍ଯ୍ୟ କରିଛନ୍ତି ।
ସଡକ ସୁରକ୍ଷା ଓ ମହିଳା ଶସକ୍ତକରଣ ବାର୍ତ୍ତା ନେଇ ସାରା ଦେଶରୁ ୧୫ ଜଣ ଝିଅ ଏହି ବାଇକ୍ ରାଇଡିଂରେ ଯୋଗ ଦେଇଥିଲେ । ଓଡିଶାରୁ ଏହି ଟିମରେ ଅମିତା ରହିଥିଲେ । ଦୀର୍ଘ ୮ ହଜାର କିଲୋମିଟର ରାସ୍ତା ଅତିକ୍ରମ କରି ଲଦାଖରୁ ଫେରିଛନ୍ତି ଓଡ଼ିଆ ବୋହୂ ଅମିତା ସିଂହ । ୧୦ ଦିନରେ 8 ହଜାର କିଲୋମିଟର ବାଇକରେ ଗ୍ରସ୍ତ ଶେଷ କରି ସମସ୍ତଙ୍କ ମଧ୍ୟରୁ ଆଗରେ ରହିଛନ୍ତି ଓଡ଼ିଆ ବୋହୂ ଅମିତା । ଅଗଷ୍ଟ ୩ ରୁ ଶ୍ରୀନଗରରୁ ଏହି ଯାତ୍ରା ଆରମ୍ଭ ହୋଇ ୧୩ ତାରିଖରେ ମୋନାଲିରେ ଶେଷ ହେବା ପରେ ଓଡ଼ିଶା ଫେରିଛନ୍ତି ଅମିତା ।
ଏନେଇ ଭୁବନେଶ୍ୱର ବିମାନବନ୍ଦରରେ ଅମିତାଙ୍କୁ ଭବ୍ୟ ସ୍ଵାଗତ କରାଯାଇଛି । ଅମିତା ପୂର୍ବରୁ ମଧ୍ୟପ୍ରଦେଶରେ ଟୁରିଷ୍ଟ ଆମ୍ବସଡର ଭାବେ କାର୍ଯ୍ୟ କରୁଥିଲେ । ଏଥିସହ ମହିଳା ବାଇକ୍ ରାଇଡର ଭାବେ ସରକାରୀ ଓ ବେସରକାରୀ ଅନୁଷ୍ଠାନରୁ ମଧ୍ୟ ବହୁ ସମ୍ମାନ ପାଇଛନ୍ତି । ଓଡ଼ିଶା ବାଇକ୍ ରାଣୀ ଅନୁଷ୍ଠାନ ଜରିଆରେ ଝିଅମାନଙ୍କୁ ବାଇକ୍ ଶିଖାଇବା ସହ ସଡକ ସୁରକ୍ଷା ଅଭିଯାନରେ ମଧ୍ୟ ସାମିଲ ହୋଇଛନ୍ତି ଅମିତା । ଆଗାମୀ ଦିନରେ ସଡକ ସୁରକ୍ଷା ଓ ହେଲମେଟ ପିନ୍ଧି ବାଇକ୍ ଚଳାଇବା ବାର୍ତ୍ତା ନେଇ ସାରା ଓଡ଼ିଶାରେ କାର୍ଯକ୍ରମ କରିବେ ।
ସେହିପରି ଦେଶ ଓ ରାଜ୍ୟର ଗୌରବ ଆଣିବାରେ ସେ ଭବିଷ୍ୟତରେ ତାଙ୍କର କାର୍ଯ୍ୟ ଜାରି ରଖିବେ ବୋଲି କହିଛନ୍ତି । ସେ ଆଗକୁ ଅନ୍ତର୍ଜାତୀୟସ୍ତରରେ ମାନିଲା ସଶକ୍ତିକରଣ ଓ ସଡକ ସୁରକ୍ଷା ବାର୍ତ୍ତା ନେଇ ରାଜ୍ୟକୁ ପ୍ରତିନିଧିତ୍ବ କରିବେ ବୋଲି କହିଛନ୍ତି । ଏଭଳି ଏକ ଦୁଃସାହସିକ ଅଫରାଇଡି ଡ୍ରାଇଭିଂରେ ପ୍ରଭୁ ଶ୍ରୀଜଗନ୍ନାଥ ଓ ଓଡିଶାବାସୀଙ୍କ ଆଶୀର୍ବାଦରୁ ସଫଳ ହୋଇଛି ବୋଲି ସେ କହିଛନ୍ତି । ଓଡିଶାର ବୋହୂ ଭାବରେ ସେ ନିଜକୁ ଗୌରବାନିତ୍ବ ମନେକରୁ ଥିବାବେଳେ କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ଜଗନ୍ନାଥଙ୍କ ପାଇଁ ମୃତ୍ୟୁକୁ ଛୁଇଁକି ଆସିଥିବା କହିଛନ୍ତି ଅମିତା ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ