ଭୁବନେଶ୍ବର:ଉତ୍କଳ ବିଶ୍ଵବିଦ୍ୟାଳୟ ପରିସରରେ ଧାରଣାରେ ବସିଲେ ନର୍ସିଂ ଛାତ୍ରଛାତ୍ରୀ । ବିଶ୍ବବିଦ୍ୟାଳୟର ଦ୍ବିତୀୟ କ୍ୟାମ୍ପସ ବିଏସସି ନର୍ସିଂ ବିଭାଗ ଛାତ୍ରଛାତ୍ରୀ ୪ର୍ଥ ଥର ପାଇଁ ବିଶ୍ବବିଦ୍ୟାଳୟ ପରିସରରେ ଧାରଣାରେ ବସିଛନ୍ତି । ବିଭାଗର ପରିଚାଳନା ଦାୟିତ୍ବକୁ ନେଇ ଦୀର୍ଘ ଦିନ ଧରି ଆନ୍ଦୋଳନ କରି ଆସୁଛନ୍ତି ଏହି ଛାତ୍ରଛାତ୍ରୀ । ତେବେ ସେମାନଙ୍କ କୌଣସି ଦାବି ପୂରଣ ନ ହେବା ପରେ ସେମାନେ ଅନଶନ ଜାରି ରଖିବେ ବୋଲି କହିଛନ୍ତି ।
ପୂର୍ବଥର ଆନ୍ଦୋଳନ ସମୟରେ ଦାବି ପୂରଣ ପାଇଁ କୁଳପତି ୧୫ ଦିନ ସମୟ ନେଇଥିଲେ । ଚଣ୍ଡିଖୋଲରେ ଥିବା ଉତ୍କଳ ବିଶ୍ଵବିଦ୍ୟାଳୟର ଦ୍ବିତୀୟ କ୍ୟାମ୍ପସରେ ୨ ବର୍ଷ ହେବ ବିଏସସି ନର୍ସିଂ କୋର୍ସ ଆରମ୍ଭ ହୋଇଛି । ଏହାର ପରିଚାଳନା ଦାୟିତ୍ବ ଏକ ଚାରିଟେବଲ ଟ୍ରଷ୍ଟକୁ ଦିଆଯାଇଛି । ଟ୍ରଷ୍ଟ ପିଲାଙ୍କ ଠାରୁ ବାର୍ଷିକ ୭୫ ହଜାର ଟଙ୍କା କୋର୍ସ ଫି ନେଉଥିବା ବେଳେ କୌଣସି ସୁବିଧା ସୁଯୋଗ ଦେଉ ନଥିବା ଅଭିଯୋଗ ହୋଇଛି । ଏପରିକି ମାତ୍ର ୩ ଜଣ ଷ୍ଟାଫ ଥିବାରୁ କ୍ଲାସ ମଧ୍ୟ ନିୟମିତ ହେଉନାହିଁ । ୩ ବର୍ଷ ବିତିଥିଲେ ମଧ୍ୟ କ୍ଲିନିକ ଶିକ୍ଷାରୁ ଛାତ୍ରଛାତ୍ରୀ ବଞ୍ଚିତ ରହିଛନ୍ତି ।