ଭୁବନେଶ୍ବର: +3 ନାମଲେଖା ପାଇଁ ପ୍ରକାଶ ପାଇଲା ଉଚ୍ଚଶିକ୍ଷା ବିଭାଗର ବିଜ୍ଞପ୍ତି । ଅଗଷ୍ଟ ୨୦ରୁ ସେପ୍ଟମ୍ବର ୪ ଯାଏଁ SAMS ୱେବସାଇଟରେ ହେବ ଫର୍ମ ପୂରଣ । ସେପ୍ଟେମ୍ବର ୯ରେ ପ୍ରକାଶ ପାଇବ ପ୍ରଥମ ମେଧା ତାଲିକା । ୧୧ରୁ ୧୫ ପ୍ରଥମ ପର୍ଯ୍ୟାୟ ନାମଲେଖା । ଏହାପରେ ୨୨ରୁ ୨୫ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ହେବ ।
ସେହିପରି ସେପ୍ଟେମ୍ବର 21 ତାରିଖ ଦିନ 11ଟା ରେ ଦ୍ବିତୀୟ ପର୍ଯ୍ୟାୟର ମେଧା ତାଲିକା ପ୍ରକାଶ ପାଇବ । 22 ତାରିଖରୁ ଆରମ୍ଭ ହେବ ଦ୍ବିତୀୟ ପର୍ଯ୍ୟାୟର ନାମଲେଖା । ଏହା ପରେ ବଳକା ସିଟ ପାଇଁ ପରବର୍ତ୍ତୀ ସମୟରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହେବ । ଡିଗ୍ରୀ କଲେଜରେ ଇ-ଆଡମିଶନ ପାଇଁ ଜରୁରୀ ସୂଚନା । ଯୁକ୍ତ ଦୁଇ ପରୀକ୍ଷା ପରେ କେତେକ ଶିକ୍ଷାନୁଷ୍ଠାନ ଗ୍ରୀଷ୍ମ ଅବକାଶ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାନୁଷ୍ଠାନରେ ନାମ ଲେଖାଇ ଦେବା ନିମନ୍ତେ ପ୍ରତିଶ୍ରୁତି ଦେଇ ଇ-ଆଡ଼ମିଶନ ସମ୍ପର୍କିତ ବିଭିନ୍ନ ପ୍ରମାଣପତ୍ର ଯଥା ଯୁକ୍ତ ଦୁଇ ମାର୍କସିଟ ଓ ସାର୍ଟିଫିକେଟ ଇତ୍ୟାଦି ସଂଗ୍ରହ କରିଥାନ୍ତି ।
ଏଭଳି ପ୍ରଲୋଭନ ଠାରୁ ଶିକ୍ଷାର୍ଥୀମାନେ ଦୂରେଇ ରୁହନ୍ତୁ ଏବଂ ନିଜ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପାତ୍ର କୌଣସି ଶିକ୍ଷାନୁଷ୍ଠାନକୁ ଦିଅନ୍ତୁ ନାହିଁ । ଇ-ଆଡ଼ମିଶନ ସମ୍ବନ୍ଧୀୟ ସମସ୍ତ ଟଙ୍କା ପଇସା କାରବାର ଅନଲାଇନ ମାଧ୍ୟମରେ କରାଯାଏ । ତେଣୁ କୌଣସି ବ୍ୟକ୍ତିଙ୍କୁ ଆଡ଼ମିଶନ ପାଇଁ ଟଙ୍କା ନ ଦେବାକୁ ସୂଚନା ଦିଆ ଯାଇଛି ।