ଓଡିଶା

odisha

ETV Bharat / city

ଭିଡ ଭିତରେ ଆମ୍ବୁଲାନ୍ସ ଘେରାବନ୍ଦୀ, ନିରବଦ୍ରଷ୍ଟା ସାଜିଲା ପିସିଆର - ନିରବଦ୍ରଷ୍ଟା ସାଜିଲା ପିସିଆର

ସ୍ମାର୍ଟସିଟିରେ ଆମ୍ବୁଲାନ୍ସକୁ ମିଳିଲାନି ବାଟ । ବାଟ କଢାଇନେବାରେ କେହି ବି କରିଲେନି ସହଯୋଗ । ସାଇରନ ମାରି ଭିଡ ଭିତରେ ଫସି ରହିଥିଲା ଆମ୍ବୁଲାନ୍ସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Aug 29, 2019, 2:11 AM IST

ଭୁବନେଶ୍ବର: ରାଜଧାନୀରେ ଅଘଟଣ । ଭିଡ ଭିତରେ ଅଟକିଲା ଆମ୍ବୁଲାନ୍ସ । ଗୋଟିଏ ସେକେଣ୍ଡ ବି ଆମ୍ବୁଲାନ୍ସ ପାଇଁ ବହୁ ମୂଲ୍ୟବାନ ହୋଇଥିବାବେଳେ ଟିକେ ବିଳମ୍ବ ହେଲେ ରୋଗୀର ଜୀବନ ମଧ୍ୟ ଚାଲିଯିବାର ଭୟ ରହିଥାଏ । ସେଥିପାଇଁ ଯେକୌଣସି ସ୍ଥାନରେ ଆମ୍ବୁଲାନ୍ସକୁ ଅଧିକ ଗୁରୁତ୍ବ ଦିଆଯାଏ । ହେଲେ ଏଠାରେ ଦୃଶ୍ୟ ଓଲଟା । ବାରମ୍ବାର ସାଇରନ ଦେଉଥିଲେ ମଧ୍ୟ ଆମ୍ବୁଲାନ୍ସକୁ ଯିବାକୁ କେହି ରାସ୍ତା ଦେଉନଥିଲେ ।

କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ରାତି 8ଟା ପାଖାପାଖି ରାଜଧାନୀର କଳିଙ୍ଗ ଛକ ଟ୍ରାଫିକ ନିକଟରେ । ରାସ୍ତାରେ ଆମ୍ବୁଲାନ୍ସ ଯିବାବେଳେ ପ୍ରଥମ ପ୍ରାଧାନ୍ୟ ଆମ୍ବୁଲାନ୍ସକୁ ଦିଆଯିବାକୁ ନବନିଯୁକ୍ତ ପୋଲିସ କମିଶନର ନୂଆ ନିୟମ କରିଛନ୍ତି । ମାତ୍ର ଏହି ନିୟମକୁ ଖାତିର କରୁନାହାନ୍ତି ପୋଲିସ କର୍ମଚାରୀ ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ଭୁବନେଶ୍ବର

ରାଜଧାନୀର ପ୍ରମୁଖ ମୁଖ୍ୟ ରାସ୍ତା ଜୟଦେବ ବିହାର ଠାରୁ କଳିଙ୍ଗ ଛକ ରାସ୍ତାରେ ଟ୍ରଫିକ ସମସ୍ୟା ଅତି ଜଟିଳ ହେଉଥିବାରୁ 1 କିଲୋମିଟର ରାସ୍ତା ପାର ହେବା ପାଇଁ ଜଣଙ୍କୁ 1 ଘଣ୍ଟାରୁ ଅଧିକ ସମୟ ଲାଗେ । ତେବେ ଭିଡ ଭିତରେ ମଧ୍ୟ ଆମ୍ବୁଲାନ୍ସକୁ ବାଟ କଡାଇ ନେବାରେ କେହି ବି ସହଯୋଗ କରିନଥିଲେ । ଆମ୍ବୁଲାନ୍ସ ସେମିତି ସାଇରନ ମାରୁଥିଲେ ମଧ୍ୟ ଭିଡ ଭିତରେ ଫସି ରହିଥିଲା ।

ସବୁଠୁ ଆଶ୍ଚର୍ଯ୍ୟ କଥା, ଆମ୍ବୁଲାନ୍ସ ସାମ୍ନାରେ ପିସିଆର ଭ୍ୟାନ ରହିଥିଲା । ସେଥିରେ ବସିଥିବା କୌଣସି ପୋଲିସ କର୍ମଚାରୀ ଆମ୍ବୁଲାନ୍ସକୁ ଭିଡ ଭିତରୁ କଡାଇ ନେବାକୁ ପ୍ରୟାସ ମଧ୍ୟ କରିନଥିଲେ। ସାଧାରଣ ଲୋକଙ୍କ ସହ ପୋଲିସ ମଧ୍ୟ ନିରବଦ୍ରଷ୍ଟା ସାଜିଥିଲା । ଫଳରେ ଟ୍ରାଫିକ ଛାଡିଲା ପରେ ଆମ୍ବୁଲାନ୍ସଟି ଭିଡରୁ ବାହାରି ମେଡିକାଲ ଅଭିମୁଖେ ବାହାରିଥିଲା ।

ଏବେ ପ୍ରଶ୍ନ ଉଠୁଛି ପୋଲିସ କମିଶନରଙ୍କ ନିୟମ କଣ ଏହି ଆମ୍ବୁଲାନ୍ସ ପାଇଁ ନଥିଲା । ନା ପୋଲିସ ବାବୁ ପିସିଆର ଭ୍ୟାନରୁ ବାହାରି ଭିଡ ଭିତରେ କଷ୍ଟ କରିବାକୁ ଚାହୁଁନଥିଲେ । ସ୍ମାର୍ଟସିଟିର ସ୍ମାର୍ଟବାସୀଙ୍କ ମାନବିକତା ଉପରେ ଏହା ଏକ ବିରାଟ ପ୍ରଶ୍ନ ସୃଷ୍ଟି କରିଛି ।

ଭୁବନେଶ୍ବରରୁ ବିକାଶ ଦାସ , ଇଟିଭି ଭାରତ

ABOUT THE AUTHOR

...view details