ଓଡିଶା

odisha

By

Published : Nov 23, 2021, 7:26 PM IST

ETV Bharat / city

ଗୃହରେ ହଟ୍ଟଗୋଳ ନହେବା ପ୍ରସଙ୍ଗ; ବିରୋଧୀ କହିଲେ ଆମେ ମାନିବୁ ନାହିଁ

ଗୃହରେ ହଟ୍ଟଗୋଳ ନହେବା ପ୍ରସଙ୍ଗ। ବାଚସ୍ପତିଙ୍କ ଏଭଳି ମନ୍ତବ୍ୟ ପରେ ବିରୋଧୀ ଦଳ ଏବେ ବାଚସ୍ପତିଙ୍କ ଉପରେ ଖଡ୍ଗହସ୍ତ । ଅଧିକ ପଢନ୍ତୁ

ଗୃହରେ ହଟ୍ଟଗୋଳ ପ୍ରସଙ୍ଗ
ଗୃହରେ ହଟ୍ଟଗୋଳ ପ୍ରସଙ୍ଗ

ଭୁବନେଶ୍ବର: ଏଣିକି ଗଣତନ୍ତ୍ରର ମନ୍ଦିରରେ ଆଉ ହେବ ନାହିଁ ହୋ-ହାଲ୍ଲା, ହଙ୍ଗାମା (No Disturbance In Assembly) । ଦାବି ପୂରଣ ପାଇଁ ବିଧାୟକମାନେ କରିପାରିବେ ନାହିଁ ହଟ୍ଟଗୋଳ । ଆଲୋଚନା ତର୍କ ବିତର୍କ ମାଧ୍ୟମରେ ସବୁ ସମସ୍ୟାର ହେବ ସମାଧାନ । ବିରୋଧୀଙ୍କ ଦାବି ହେବ ବିଚାର । ଏନେଇ ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି ।

ବାଚସ୍ପତିଙ୍କ ଏଭଳି ମନ୍ତବ୍ୟ ପରେ ବିରୋଧୀ ଦଳ ଏବେ ବାଚସ୍ପତିଙ୍କ ଉପରେ ଖଡ୍ଗହସ୍ତ ହୋଇପଡିଛନ୍ତି । ବିଜେପି ବିଧାୟକ ମୁକେଶ ମହାଲିଙ୍ଗ କହିଛନ୍ତି ବିଧାନସଭାରେ ଲୋକଙ୍କ ସମସ୍ୟାକୁ ଉପସ୍ଥାପନ କରିଥାନ୍ତି ବିଧାୟକମାନେ। ତାହା ପୁଣି ଗଣତାନ୍ତ୍ରିକ ଉପାୟରେ । ବିଧାନସଭା ହେଉଛି ବିଧାୟକଙ୍କ ପାଇଁ ଏକ ମାଧ୍ୟମ ଲୋକଙ୍କ ସେବା କରିବା ପାଇଁ । ନିଜ ନିଜ ଅଞ୍ଚଳର ସମସ୍ୟା ସମାଧାନ ସହ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ।

ଗୃହରେ ହଟ୍ଟଗୋଳ ପ୍ରସଙ୍ଗ; ବିରୋଧୀ କହିଲେ ଆମେ ମାନିବୁ ନାହିଁ

କିନ୍ତୁ ବାଚସ୍ପତିଙ୍କ ଏହି ନିଷ୍ପତ୍ତି ବିରୋଧୀଙ୍କ କଣ୍ଠରୋଧ ହେବ । ବାଚସ୍ପତି ନିଜେ ଲମ୍ବା ସମୟ ଧରି ବିଧାୟକ ଅଛନ୍ତି। ଗୃହର ନୀତି ନିୟମ ଉପରେ ସେ ସମ୍ପୂର୍ଣ୍ଣ ଅବଗତ। ବିରୋଧୀଙ୍କ କାମ କଣ ଓ ସରକାରଙ୍କ କାମ କଣ ତାହା ବାଚସ୍ପତି ଜାଣିଛନ୍ତି । ନିଜ ସମୟରେ ବାଚସ୍ପତି କଣ ସବୁ କରିଥିଲେ ତାହା ତର୍ଜମା କରିବାର ଆବଶ୍ୟକତା ଅଛି ବୋଲି କହିଛନ୍ତି ମୁକେଶ ।

ସେହିପରି ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ବାଚସ୍ପତି ଯଦି ସର୍ବଦଳୀୟ ବୈଠକରେ ଏହି ପ୍ରସ୍ତାଵ ଆଣିବେ ତାହେଲେ ଜୋରଦାର ବିରୋଧ କରିବୁ। ବିରୋଧୀ ଦଳ ବିଧାନସଭାରେ ତାର ଭୂମିକା ପାଳନ କରିବ । ସାମ୍ପ୍ରତିକ ଗୁରତ୍ବପୂର୍ଣ ପ୍ରସଙ୍ଗରେ ପ୍ରଶ୍ନ କରିବୁ। କୋଉଠି ଆଇନରେ ଅଛି କି ? ବିଧାନସଭାରେ ବିରୋଧୀ ଦଳ ହୋ ହାଲ୍ଲା କରିପାରିବେ ନାହିଁ? ଆମେ କୌଣସି ନିୟମ ମାନିବୁ ନାହିଁ । ସବୁ ପ୍ରସଙ୍ଗରେ ଆଲୋଚନା କରିବୁ । ନଚେତ ବିରୋଧ ହେବ କହିଛନ୍ତି ମୋହନ । ସେହିପରି ସରକାରଙ୍କୁ ସମାଲୋଚନା କରି କହିଛନ୍ତି, ସରକାର ସତୀ ନୁହଁ ଯେ, ଯାହା କହିବେ ଆମେ ଶୁଣିବୁ?

ଏହି ପ୍ରସଙ୍ଗରେ କଂଗ୍ରେସ ମଧ୍ୟ ବାଚସ୍ପତିଙ୍କୁ ଘେରିଛି । ବରିଷ୍ଠ ବିଧାୟକ ତାରା ବାହୀନିପତି କହିଛନ୍ତି, ବାଚସ୍ପତି ବିଜୁ ଜନତା ଦଳର ନହୋଇ ସାରା ରାଜ୍ୟର ହୁଅନ୍ତୁ । ଯେ କୌଣସି ପ୍ରସ୍ତାବ ଆସିଲେ ତାହା ଆଲୋଚନା କରିବା ପାଇଁ ବାଚସ୍ପତି ଅନୁମତି ଦିଅନ୍ତୁ। ନଚେତ ଗୃହରେ ହୋ ହାଲ୍ଲା ହଙ୍ଗାମା ହେବ। ରାଜ୍ୟର ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହେବା ଦରକାର। କଂଗ୍ରେସ ବାଚସ୍ପତିଙ୍କ କଥା ମାନିବ, କିନ୍ତୁ ବାଚସ୍ପତି ମଧ୍ୟ କଂଗ୍ରେସର ପ୍ରସ୍ତାବ ଗ୍ରହଣ କରିବା ଉଚ୍ଚିତ ବୋଲି କହିଛନ୍ତି ।

ଅନ୍ୟପଟେ ଶାସକ ବିଜୁ ଜନତା ଦଳ ବିଧାୟକ ପ୍ରଫୁଲ୍ଲ ସାମଲ ବାଚସ୍ପତିଙ୍କ ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି। ରାଜ୍ୟର ସମସ୍ତ ପ୍ରସଙ୍ଗ ଆଲୋଚନା ମାଧ୍ୟମରେ ସମାଧାନ ହୋଇପାରିବ । ତେଣୁ ସମସ୍ତ ଦଳ ଓ ବିଧାୟକ ଏହାକୁ ମାନିବାର ଆବଶ୍ୟକତା ରହିଛି ବୋଲି ପ୍ରଫୁଲ୍ଲ କହିଛନ୍ତି ।

ଭୁବନେଶ୍ବରୁ ବିକାଶ ଦାସଙ୍କ ସହ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details