ଓଡିଶା

odisha

ଯୁବ କାର୍ଯ୍ୟକାରିଣୀରେ କେନ୍ଦ୍ରୀୟ ଦଳଙ୍କୁ ନବୀନଙ୍କ ଶାଣିତ ଆକ୍ରମଣ

By

Published : Dec 18, 2020, 1:58 PM IST

ବିଜେଡି ଯୁବ କାର୍ଯ୍ୟକାରିଣୀରେ ପ୍ରଥମ ଥର ପାଇଁ ଜାତୀୟ ଦଳ ଗୁଡିକୁ ସୁପ୍ରିମୋଙ୍କ ଶାଣିତ ଆକ୍ରମଣ । ଅଧିକ ପଢନ୍ତୁ...

ଯୁବ କାର୍ଯ୍ୟକାରିଣୀ
ଯୁବ କାର୍ଯ୍ୟକାରିଣୀ

ଭୁବନେଶ୍ବର: ବିଜେଡି ଯୁବ କାର୍ଯ୍ୟକାରିଣୀରେ ଜାତୀୟ ଦଳ ଗୁଡିକୁ ସୁପ୍ରିମୋଙ୍କ ଶାଣିତ ଆକ୍ରମଣ । ଭର୍ଚୁଆଲ ମାଧ୍ୟରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଜାତୀୟ ଦଳଙ୍କୁ ପ୍ରଥମ ଥର ପାଇଁ କରିଛନ୍ତି ଟାର୍ଗେଟ । ସେହିପରି ବିଜେଡି କରିଥିବା କାର୍ଯ୍ୟର ହିସାବ ରଖିବା ସହ ଜଗନ୍ନାଥ ଓ ମହାନଦୀର ଗୁରୁତ୍ବ କଥା କହିଛନ୍ତି ନବୀନ ।

ବିଜେଡି ଯୁବ ଜନତା ଦଳର କାର୍ଯ୍ୟକାରିଣୀକୁ ଭର୍ଚୁଆଲ୍ ମାଧ୍ୟମରେ ସମ୍ବୋଧନ କରି ନବୀନ, କେନ୍ଦ୍ରୀୟ ଦଳ କଂଗ୍ରେସ ଓ ବିଜେପିକୁ ଆକ୍ରମଣ କରିଛନ୍ତି । ଜାତୀୟ ଦଳର କାମ, ନିର୍ବାଚନ ଜିତିବା, କ୍ଷମତା ଅଧିକାର କରିବା । କେନ୍ଦ୍ରରେ ସରକାର ଗଠନ କରିବା ଓ କେନ୍ଦ୍ରରେ ମନ୍ତ୍ରୀ ହୋଇ ବଡ଼ ପୋଷ୍ଟ ପାଇବା ବୋଲି ସେ କହିଛନ୍ତି ।

ଯୁବ କାର୍ଯ୍ୟକାରିଣୀ

ସେମାନେ ଜାତୀୟ ସ୍ବାର୍ଥ ପାଇଁ ରାଜ୍ୟର ସ୍ବାର୍ଥକୁ ବୁଝାମଣା କରିଥାନ୍ତି । ମହାନଦୀ, ଓଡିଶୀ ସଙ୍ଗୀତ, ଆଦିବାସି ସଂସ୍କୃତି , ସମ୍ବଲପୁର ହସ୍ତତନ୍ତ ଆମ ପାଇଁ ବିଶ୍ବସ୍ତରୀୟ । ଜାତୀୟ ଦଳ ପାଇଁ ଏହାର ମୂଲ୍ୟ କିଛି ନାହିଁ । ଆମ ରାଜ୍ୟ ଦେଶର ପ୍ରଥମ ଭାଷା ଭିତ୍ତିକ ରାଜ୍ୟ । ଆମ ରାଜ୍ୟ ସ୍ବତନ୍ତ୍ର । ଆମ ଜଗନ୍ନାଥ ସ୍ବତନ୍ତ୍ର । ଆମ ରାଜ୍ୟ ଖଣିଜ ସମ୍ପଦରେ ଭରପୁର ବୋଲି ଏହି ଅବସରରେ ନବୀନ କହିଛନ୍ତି ।

ଓଡିଶାର ସ୍ବତନ୍ତ୍ର ପରିଚୟ ରହିଛି । ଓଡିଶାର ସୁରକ୍ଷା ପାଇଁ ପୂର୍ବ ପୁରୁଷମାନେ ବହୁ ତ୍ୟାଗ କରିଛନ୍ତି । ଇତିହାସ କହିଛି ଯେ ଜାତୀୟ ଦଳମାନେ ନିଜ ସ୍ବାର୍ଥ ପାଇଁ ସବୁକିଛି ବୁଝାମଣା କରିଥାନ୍ତି । ଆମପାଇଁ ଆମ ଭାଷା, ଓଡିଶୀ ହେଉଛି ସ୍ବାଭିମାନର ପ୍ରତୀକ । ଜାତୀୟ ଦଳ ପାଇଁ ଏ ସବୁର କିଛି ମାନେ ନାହିଁ ବୋଲି ମଧ୍ୟ ନବୀନ କହିଛନ୍ତି ।

ରାଜ୍ୟର କଂଗ୍ରେସ ଦିଲ୍ଲୀର ରିମୋଟ କଣ୍ଟ୍ରୋଲ ଦ୍ବାରା ଚାଲୁଥିଲା । ବିଜେପି ମଧ୍ୟ ଦିଲ୍ଲୀର ନିର୍ଦ୍ଦେଶରେ କାମ କରୁଛି । ବିଜେଡି ଏକମାତ୍ର ଆଞ୍ଚଳିକ ଦଳ ଯିଏକି ଓଡିଶାର ସ୍ବାର୍ଥପାଇଁ କାମ କରୁଛି । ଆମର ଦିଲ୍ଲୀରେ କେହି ବସ ନାହାନ୍ତି ଆମର ବସ ହେଉଛନ୍ତି ଓଡିଶାବାସୀ ବୋଲି ନବୀନ ଉଲ୍ଲେଖ କରି ଜାତୀୟ ଦଳକୁ କଟାକ୍ଷ କରିଛନ୍ତି ।

ସେହିପରି ମହାନଦୀ ପାଇଁ ଆମେ ଲଢ଼େଇ କରୁଛୁ । ସାନ୍ତାଳୀ ଓ ହୋ ଭାଷାକୁ ଜାତୀୟ ମନ୍ୟତା ପାଇଁ ଆମେ ଲଢ଼େଇ କରୁଛୁ । ପ୍ରତ୍ୟେକ ବର୍ଷ ଆମେ ବହୁ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛୁ ବୋଲି ସେ ଦର୍ଶାଇଛନ୍ତି ।

ଅନ୍ୟପଟେ ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ କରିବା ନେଇ ଉଭୟ ବିଜେପି ଓ କଂଗ୍ରେସ ସେମାନଙ୍କର ନିର୍ବାଚନ ଇସ୍ତାହାରରେ ରଖିଥିଲେ । କିନ୍ତୁ ନିର୍ବାଚନ ପରେ ତାହାକୁ ଭୁଲିଗଲେ । କିନ୍ତୁ ବିଜେଡି ଏହି ଲଢେଇ ଜାରି ରଖିବ । ଆମର ସଂକଳ୍ପ ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା । କେବଳ ଗୋଟିଏ ଆଞ୍ଚଳିକ ଦଳ ହିଁ ରାଜ୍ୟର ସ୍ବାର୍ଥ ସମ୍ପର୍କରେ ଲଢେଇ କରିପାରିବ ଓ ରାଜ୍ୟର ସ୍ବତନ୍ତ୍ରତାକୁ ବଜାୟ ରଖିପାରିବ। ଓଡିଶାର ଖଣିଜ ସମ୍ପଦର ଲାଭ କିଭଳି ରାଜ୍ୟ ପାଇବ ସେଥିପାଇଁ ଉଦ୍ୟମ ଜାରି ରହିଛି । ଆଞ୍ଚଳିକ ଦଳ ହିଁ ଯୁବକଙ୍କ ସ୍ବାର୍ଥ ପୂରଣ କରିପାରିବ ବୋଲି ବିଜେଡି ଯୁବ କାର୍ଯ୍ୟକାରିଣୀରେ ନବୀନ କହିଛନ୍ତି।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details