ଓଡିଶା

odisha

By

Published : Oct 16, 2020, 8:36 AM IST

Updated : Oct 16, 2020, 8:53 AM IST

ETV Bharat / city

ବିଜୁ ଦାୟଦରୁ ରାଜ୍ୟ ବିଜେତା ଭାୟା ବିଜେଡି

75 ବର୍ଷରେ ପାଦ ଥାପିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଚକ୍ଷଣ ଓ ଅପ୍ରତିଦ୍ବନ୍ଦୀ ରାଜନେତା ଭାବେ ଲାଗାତାର 5 ଥର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଛନ୍ତି ନବୀନ । ଅନେକ ଘାତ ପ୍ରତିଘାତ ଭିତରେ ନିଜ ରାଜନୈତିକ ଶତ୍ରୁଙ୍କ ମୂଳୋତ୍ପାଟନ କରି ଅପରାଜେୟ ଭାବେ ନିଜକୁ ଉଭା କରିଛନ୍ତି ସେ । ଅଧିକ ପଢନ୍ତୁ...

ନବୀନ @75: ବିଜୁ ଦାୟଦରୁ ରାଜ୍ୟ ବିଜେତା ଭାୟା ବିଜେଡି
ନବୀନ @75: ବିଜୁ ଦାୟଦରୁ ରାଜ୍ୟ ବିଜେତା ଭାୟା ବିଜେଡି

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । 75 ବର୍ଷରେ ପାଦ ଥାପିଲେ ନବୀନ ପଟ୍ଟନାୟକ । ଚଳିତ ବର୍ଷ କୋଭିଡ୍‌ କାରଣରୁ ଜନ୍ମଦିନ ପାଳିବେନି ନବୀନ । ନବୀନ ନିବାସ ନ ଆସି ଗରିବ ଲୋକଙ୍କୁ ସହାୟତା କରିବାକୁ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ପରାମର୍ଶ ।

1946 ମସିହା ଅକ୍ଟୋବର 16 ତାରିଖରେ ସେ ଜନ୍ମଗ୍ରହଣ କରିଛନ୍ତି । ସ୍ବର୍ଗତଃ ବିଜୁ ପଟ୍ଟନାୟକ ଓ ଜ୍ଞାନ ପଟ୍ଟନାୟକଙ୍କ ତୃତୀୟ ସନ୍ତାନ ଭାବେ କଟକରେ ଜନ୍ମନେଇଥିଲେ ନବୀନ । ତେବେ ଡେରାଡୁନରେ ପ୍ରାଥମିକ ଶିକ୍ଷା ଗ୍ରହଣ କରିବା ସହ ପ୍ରତିଷ୍ଠିତ ଡୁନ ସ୍କୁଲର ଛାତ୍ର ରହିଛନ୍ତି ସେ । ପରେ ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ କଳାରେ ଡିଗ୍ରୀ ହାସଲ କରି ବିଦେଶ ଯାଇଥିଲେ ନବୀନ ।

ନବୀନ @75: ବିଜୁ ଦାୟଦରୁ ରାଜ୍ୟ ବିଜେତା ଭାୟା ବିଜେଡି

ବିଶେଷ ଭାବେ ଲେଖାଲେଖିରେ ରୁଚି ରଖୁଥିବା ନବୀନ,1997 ମସିହା ପରେ ରାଜନୀତିରେ ପାଦ ଥାପନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ସେ ଓଡିଶା ଆସିବା ସହ ସକ୍ରିୟ ରାଜନୀତିରେ ନିଜକୁ ସାମିଲ କରନ୍ତି ।

1997 ମସିହା ଅପ୍ରେଲ 12 ତାରିଖରେ ସେ ଜନତା ଦଳ ଟିକେଟରେ ଆସ୍କା ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ । ପରେ ବିଜୁ ଜନତା ଦଳ ଗଠନ କରି ପୁଣି ଲୋକସଭାକୁ ନିର୍ବାଚିତ ହୋଇ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ଖଣି ମନ୍ତ୍ରୀ ଭାବେ ଦାୟିତ୍ବ ନିଭାଇଥିଲେ ।

ପରେ 2000 ମସିହାରେ ବିଜେପି ସହ ମେଣ୍ଟ କରି ଓଡିଶା ବିଧାନସଭା ନିର୍ବାଚନୀ ଦରିଆ ପାର ହୋଇଥିଲେ । 2000 ମସିହାରେ କଂଗ୍ରେସକୁ ମାତ ଦେଇ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ନବୀନ । ସେବେଠୁ ଆଉ କେବେ ପଛକୁ ଫେରି ଚାହିଁ ନାହାଁନ୍ତି ମୁଖ୍ୟମନ୍ତ୍ରୀ । 2000, 2004, 2009, 2014 ଓ 2019 ମସିହାରେ ଲଗାତାର ଭାବେ ପଞ୍ଚମ ପାଳି ଖେଳିଛନ୍ତି ନବୀନ । ପ୍ରାଞ୍ଜଳ ଓଡିଆ ନଜାଣି ମଧ୍ୟ ଓଡିଆଙ୍କ ନେତା ଭାବେ ସେ 20 ବର୍ଷ ଧରି ରାଜ୍ କରୁଛନ୍ତି ।

2000ରୁ 2009 ମସିହା ପର୍ଯ୍ୟନ୍ତ ବିଜେପି ସହ ମେଣ୍ଟ କରି ସରକାର ଗଠନ କରିଥିବାବେଳେ 2009 ମସିହାରେ ବାମ ଦଳ ସହିତ ମେଣ୍ଟ କରି ନିର୍ବାଚନ ବୈତରଣୀ ପାର ହୋଇଥିଲେ ନବୀନ । ତେବେ 2014 ଓ 2019 ମସିହାରେ ବିଜେଡି ଏକାକୀ ଲଢି ସଂଖ୍ୟାଗରିଷ୍ଠତା ହାସଲ କରିବା ସହ ସେ ଅପରାଜେୟ ଓ ଅପ୍ରତିଦ୍ବନ୍ଦ୍ବୀ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ।

ମହାବାତ୍ୟା ପରେ ରାଜ୍ୟକୁ ଅନାହାରରୁ ଉଦ୍ଧାର କରିବା ସହ ଗାଁ ଗାଁକୁ ସଡକ ଓ ଅନେକ ଗରିବ କଲ୍ୟାଣ ଯୋଜନା ପାଇଁ ସେ ନିଜକୁ ଅଦ୍ବିତୀୟ ନେତା ଭାବେ ଉପସ୍ଥାପିତ କରିଛନ୍ତି । ବିଶେଷ କରି ରାଜ୍ୟରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ନିଜ ଦକ୍ଷତାର ପରିଚୟ ଦେଇଛନ୍ତି ନବୀନ । ଯେଉଁଥିପାଇଁ ଦେଶ ତଥା ବିଶ୍ବ ସ୍ତରରେ ମଧ୍ୟ ଓଡିଶା ବେଶ ଖ୍ୟାତି ଅର୍ଜନ କରିଛି ।

କୋରୋନା ମହାମାରୀ ସମୟରେ ପ୍ରଥମରୁ ସତର୍କତା ମୂଳକ ପଦକ୍ଷେପ ପାଇଁ ରାଜ୍ୟରେ ସଂକ୍ରମିତ ହାର କମାଇବାରେ ମଧ୍ୟ ସେ ସଫଳ ହୋଇଛନ୍ତି ।ସେହିପରି ନିଜ ରାଜନୈତିକ ଶତ୍ରୁଙ୍କୁ ପରାଜିତ କରି ମୁଖ୍ୟମନ୍ତ୍ରୀ ଭାବେ ଲୋକଙ୍କ ଆସ୍ଥା ଭାଜନ ହୋଇପାରିଛନ୍ତି ସେ । ଉଭୟ ପ୍ରଶାସନ ଓ ବିଜେଡି ସଙ୍ଗଠନ ଉପରେ ନିଜର ଦୃଢ ନେତୃତ୍ବ ଦେଖାଇ ଲୋକଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନବୀନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 16, 2020, 8:53 AM IST

ABOUT THE AUTHOR

...view details