ଭୁବନେଶ୍ବର: ସ୍ବଚ୍ଛତା ହିଁ ଜୀବନର ମନ୍ତ୍ର ହେବା ଉଚିତ । ପରିବେଶକୁ ସୁରକ୍ଷିତ ରଖିପାରିଲେ ଆମେ ନିଜେ ସୁସ୍ଥ ରହିପାରିବା । ରାଜ୍ୟସ୍ତରୀୟ ‘ସେବା ସପ୍ତାହ’ ଉଦଘାଟନ ଅବସରରେ ଦଳୀୟ କର୍ମୀମାନଙ୍କୁ ଏହି ଆହ୍ବାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏଥିସହ ସେବା କାର୍ଯ୍ୟକ୍ରମକୁ କେବଳ ଗୋଟିଏ ଦିନ କିମ୍ବା ସପ୍ତାହ ଭିତରେ ସୀମିତ ନରଖି ବର୍ଷ ତମାମ ଜାରି ରଖିବାକୁ ଆହ୍ବାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସ ଅବସରରେ ଦେଶବ୍ୟାପି ସେବା ସପ୍ତାହ ପାଳନ ହେଉଥିବା ବେଳେ ଏହି କ୍ରମରେ ଶନିବାର ଭୁବନେଶ୍ବର ଭରତପୁରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଓଡ଼ିଶାରେ ଆରମ୍ଭ ହୋଇଛି ସେବା ସପ୍ତାହ ।
ପରିବେଶ ପ୍ରଦୂଷଣ ଏବେ ବିଶ୍ବର ପ୍ରମୁଖ ସମସ୍ୟା ଭାବେ ମୁଣ୍ଡ ଟେକିଛି । ଖାସ କରି ପ୍ଲାଷ୍ଟିକ ବ୍ୟବହାର ଏବେ ପରିବେଶ ପାଇଁ ଘାତକ ସାଜୁଛି । ତେଣୁ ଏହାକୁ ବର୍ଜନ କରାଯିବା ଜରୁରୀ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ମୋଦିଙ୍କ ଜନ୍ମ ଦିବସ ଅବସରରେ ସପ୍ତାହ ବ୍ୟାପୀ ସେବା ମନୋଭାବ ନେଇ କାର୍ଯ୍ୟ କରିବେ ସମସ୍ତ ବିଜେପି କର୍ମୀ । ଜାତୀୟସ୍ତରରେ ଏଥିପାଇଁ ଆରମ୍ଭ ହୋଇଛି ସେବା ସପ୍ତାହ । ଜଳ ସଂରକ୍ଷଣ ଏ ସମୟରେ ସବୁଠୁ ବଡ ଆବଶ୍ୟକତା । ଆସନ୍ତା 20 ତାରିଖ ଯାଏଁ ପଞ୍ଚାୟତସ୍ତରରେ ଏ ଦିଗରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବା ଉଚିତ ବୋଲି ଧର୍ମେନ୍ଦ୍ର କହିଛନ୍ତି ।
କାର୍ଯ୍ୟକ୍ରମରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଉପସ୍ଥିତ ରହି 5ଟି ଦିଗ ଉପରେ ତାଙ୍କ ସରକାର ଯତ୍ନବାନ ଥିବା ମତ ରଖିଥିଲେ। ସ୍ବଚ୍ଛତା, ଜଳସଂରକ୍ଷଣ, ଉଜ୍ବଲା, ପ୍ରତି ଘରକୁ ଛାତ, ପ୍ରତି ଘରେ ଶୌଚାଳୟ, ବିଜୁଳି,ଏବଂ ପିଇବା ପାଣି ଯୋଗାଇବାକୁ ମୋଦି ସରକାର ସଂକଳ୍ପବଦ୍ଧ ବୋଲି କହିଛନ୍ତି ।
ଅକ୍ଟୋବର 2 ରୁ ସେବା ମନୋଭାବ ସମ୍ପର୍କରେ ପଞ୍ଚାୟତସ୍ତରରୁ ପଦଯାତ୍ରା ଆରମ୍ଭ କରାଯିବ ବୋଲି ସୂଚନା ମିଳିଛି ।ସେପ୍ଟେମ୍ବର 13 ଠାରୁ 20 ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଥିବା ବେଳେ ,ତୃଣମୂଳ ସ୍ତରରେ ଦଳକୁ ସଶକ୍ତ କରିବା ପାଇଁ ଏହ ଏକ ପ୍ରୟାସ ବୋଲି ଦଳୀୟ କର୍ମକର୍ତ୍ତାଙ୍କ ମତ। ଆସନ୍ତା ସେପ୍ଟେମ୍ବର 17 ତାରିଖରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମ ଦିନ ପଡୁଛି । ସେ ୭୦ ବର୍ଷ ବୟସରେ ପଦାର୍ପଣ କରିବେ। ତେଣୁ ସପ୍ତାହ ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ, ରକ୍ତଦାନ ଶିବିର, ଦିବ୍ୟାଙ୍ଗ ମାନଙ୍କୁ ଉପକରଣ ବଣ୍ଟନ, ଡାକ୍ତରଖାନାରେ ଫଳ ବଣ୍ଟନ, ମାଗଣା ସ୍ବାସ୍ଥ୍ୟ ସେବା ଶିବିର,ଆମ୍ବୁଲାନ୍ସ ସେବା ଏବଂ ବିଶେଷକରି ପ୍ଲାଷ୍ଟିକମୁକ୍ତ ସମାଜ ଉପରେ ଗୁରୁତ୍ବ ଦିଆଯିବ ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ