ଭୁବନେଶ୍ବର: ଆସନ୍ତା 6 ତାରିଖରେ ଭୁବନେଶ୍ବର ବରମୁଣ୍ଡା ପଡ଼ିଆରେ ଆୟୋଜିତ ହେବ ରାଷ୍ଟ୍ରୀୟ କୃଷକ ସମ୍ମିଳନୀ । ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀରେ ଲକ୍ଷାଧିକ ଚାଷୀ ଓ କୃଷକ ନେତା ଯୋଗ ଦେବେ । ଆୟୋଜିତ ସମ୍ମିଳନୀରେ ଚାଷୀଙ୍କ ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ଉପରେ ଆଲୋଚନା କରାଯିବ । ଶୁକ୍ରବାର ସ୍ଥାନୀୟ ସାମ୍ବାଦିକ ଭବନ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କ ଏନେଇ ସୂଚନା ଦେଇଛନ୍ତି ।
ରାଜ୍ୟରେ ଏବଂ ଦେଶରେ ଦିନକୁ ଦିନ କୃଷକ ଦୁର୍ଦ୍ଦଶା ବୃଦ୍ଧି ପାଉଛି । ଯାହାଦ୍ବାରା ଅଧିକାଂଶ ସମୟରେ ଅନେକ ଚାଷୀ ଏହାକୁ ସହ୍ୟ କରିନପାରି ଆତ୍ମହତ୍ୟା କରୁଛନ୍ତି । କିନ୍ତୁ ସରକାର ସେମାନଙ୍କ ଅସୁବିଧାକୁ ସମାଧାନ କରିବା ଦିଗରେ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରୁନଥିବାବେଳେ ରାଜ୍ୟବାସୀଙ୍କୁ ଭୁଆଁ ବୁଲାଇବା ପାଇଁ କାଳିଆ ଯୋଜନା କରିଥିଲେ । କିନ୍ତୁ ସେଥିରେ ମଧ୍ୟ ବ୍ୟାପକ ଅନିୟମିତତା ଦେଖାଯାଇଛି । ତେଣୁ ଏହି ସମ୍ମିଳନୀ ମାଧ୍ୟମରେ ଦେଶର କୃଷକ ଆନ୍ଦୋଳନକୁ ଏକ ନୂତନ ଦିଶା ଦେବା ସହ ସରକାରଙ୍କୁ କୃଷକଙ୍କ ଦାବି ହାସଲ ପାଇଁ ଚାପ ପକାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିବ ବୋଲି ଅକ୍ଷୟ କହିଛନ୍ତି ।