ଓଡିଶା

odisha

ETV Bharat / city

ଆସୁଛି ଶହୀଦଙ୍କ ସ୍ମୃତିରେ ଫିଲ୍ମ ‘ଶହୀଦ ରଘୁ ସର୍ଦ୍ଦାର’

ବର୍ତ୍ତମାନର ପୀଢି ପାଖରେ ଓଡିଆ ବୀର ତଥା ସ୍ବାଧୀନତା ସଂଗ୍ରାମୀମାନଙ୍କ ସଂଘର୍ଷର କାହାଣୀ ପହଞ୍ଚାଇବା ପାଇଁ ଆରମ୍ଭ ହୋଇଛି ନିଆରା ପ୍ରୟାସ । ଓଡିଆ ଚଳଚ୍ଚିତ୍ର ଜଗତର ଅନ୍ୟତମ ଆଗଧାଡିର ନିର୍ଦ୍ଦେଶକ ରାଜୀବ ମହାନ୍ତି ଏନେଇ ଆଣୁଛନ୍ତି ଚଳଚ୍ଚିତ୍ର ‘ଶହୀଦ ରଘୁ ସର୍ଦ୍ଦାର’ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : Aug 14, 2019, 3:57 AM IST

ଭୁବନେଶ୍ବର: ବର୍ତ୍ତମାନର ପୀଢି ପାଖରେ ଓଡିଆ ବୀର ତଥା ସ୍ବାଧୀନତା ସଂଗ୍ରାମୀମାନଙ୍କ ସଂଘର୍ଷର କାହାଣୀ ପହଞ୍ଚାଇବା ପାଇଁ ଆରମ୍ଭ ହୋଇଛି ନିଆରା ପ୍ରୟାସ । ଓଡିଆ ଚଳଚ୍ଚିତ୍ର ଜଗତର ଅନ୍ୟତମ ଆଗଧାଡିର ନିର୍ଦ୍ଦେଶକ ରାଜୀବ ମହାନ୍ତି ଏନେଇ ଆଣୁଛନ୍ତି ଚଳଚ୍ଚିତ୍ର ‘ଶହୀଦ ରଘୁ ସର୍ଦ୍ଦାର’ । ଶହୀଦ ରଘୁନାଥ କିଏ ଓ କାହିଁକି ସେ ପ୍ରସିଦ୍ଧ ତାହା ହୁଏତ ଅନେକଙ୍କୁ ଆଜି ବି ଅଜଣା । ତେଣୁ ଏହି ଅକୁହା କାହାଣୀକୁ ଚଳଚ୍ଚିତ୍ର ଜରିଆରେ ଲୋକଙ୍କ ପାଖରେ ପହଞ୍ଚାଇବାର କରାଯାଇଛି ନିଆରା ପ୍ରୟାସ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଶହୀଦ ରଘୁନାଥଙ୍କ ବିଷୟରେ ତାଙ୍କ ଡାକ୍ତରୀ ପୁଅ ବିଶ୍ବନାଥଙ୍କଠାରୁ ଜାଣିବା ପରେ ଏପରି ଐତିହାସିକ ପୃଷ୍ଠଭୂମିର କାହାଣୀକୁ ନେଇ ଫିଲ୍ମ କରିବାକୁ ରାଜୀବ ଚେଷ୍ଟା କରିଥିଲେ । ତେବେ ଏ ହେଉଛି ସ୍ବାଧୀନତା ପୂର୍ବର କାହାଣୀ । ଏହାର ସୁଟିଂ ପାଇଁ ନିର୍ଦ୍ଦେଶକ ସମସ୍ତ ପ୍ରକାର ପ୍ରସ୍ତୁତି ସାରିଥିବା ବେଳେ ମଙ୍ଗଳବାର ସ୍ଥାନୀୟ ପ୍ରେସ କ୍ଲବ ପରିସରରେ ଏହାର ଶୁଭ ମହୁରତ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ଫିଲ୍ମର ଶୁଭ ମହୁରତ କରାଇଥିଲେ । ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଦେବାଶିଷ ଓ ଲିପ୍ସା ଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ସନ୍ତୋଷ, କାବ୍ୟା, ପିଣ୍ଟୁ ନନ୍ଦ, ଅକ୍ଷୟ ବସ୍ତିଆ, ପ୍ରିୟଙ୍କା, ଟ୍ବିଙ୍କଲ, ବିଜୁ ବଡଜେନା, ଦେବୁ ପଟ୍ଟନାୟକ, ଚୌଧୁରୀ ବିକାଶ ଦାସ, ବାବୁ ପ୍ରଧାନ, ଚିରଞ୍ଜୀବି, ଅଂଶୁମାନ ଓ ପ୍ରତାପ ପ୍ରମୁଖ ରହିଛନ୍ତି ।

ଚଳଚ୍ଚିତ୍ର ପାଇଁ ସଂଳାପ ଡ଼ଃ ରଜନୀ ରଞ୍ଜନ ଲେଖିଥିବା ବେଳେ ଏହାର ଗୀତ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ, ବିଜୟ ମଲ୍ଲ ଓ ଯାଜପୁର ଜିଲ୍ଲାପାଳ ରଞ୍ଜନ ଦାଶ । ଯାହାକୁ ସଙ୍ଗୀତରେ ସଜାଇଛନ୍ତି ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ବିକାଶ ଶୁକ୍ଳା । ଏହାର କ୍ୟାମେରାରେ ନିରଞ୍ଜନ ଦାଶ ଥିବା ବେଳେ ପ୍ରଯୋଜନା ଦାୟିତ୍ବରେ ଅଛନ୍ତି ଶହୀଦଙ୍କ ପୁଅ ଡ଼ଃ ବିଶ୍ବନାଥ ପଟ୍ଟନାୟକ ।

ଆସନ୍ତା 23 ତାରିଖରୁ ଫିଲ୍ମର ସୁଟିଂ କାର୍ଯ୍ୟ ଆରମ୍ଭ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି । ତେବେ ଫିଲ୍ମଟି ଜଣେ ସ୍ବାଧୀନତା ସଂଗ୍ରାମୀଙ୍କ ଆତ୍ମଜୀବନୀକୁ ନେଇ ନିର୍ମାଣ ହେଉଥିବାରୁ ଏହା ଲୋକଙ୍କ ପାଖରେ ଆଦୃତ ହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details