ଭୁବନେଶ୍ବର: ମହଙ୍ଗା ପଡିବ ପାଟଣାଗଡରେ କନିଷ୍ଠ ଯନ୍ତ୍ରୀଙ୍କୁ ବିଧାୟକଙ୍କ ବସଉଠ କରିବା ଘଟଣା । ବିଭିନ୍ନ ମହଲରେ ଜୋରାଧରିଲାଣି ପ୍ରତିବାଦ । ପ୍ରଥମେ ଆଦିବାସୀ ସଂଘ, ଏବେ ଡିପ୍ଲୋମା ଇଂଜିନିୟର ଆସୋସିଏସନ ଓ ରାଜ୍ୟ ବିଜେପି ଘଟଣାକୁ ନିନ୍ଦା କରିବା ସହ ଦୋଷୀ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିବା ପରେ ବଢୁଛି ଅଡୁଆ ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର ଏହି ଘଟଣାରେ ଆଜି (ଶୁକ୍ରବାର) ଡିପ୍ଲୋମା ଇଂଜିନିୟର ସଂଘ ମୁଖ୍ୟ ଶାସନ ସଚିବ, ପୂର୍ତ୍ତ ସଚିବ, ପୋଲିସ ଡିଜିଙ୍କୁ ଭେଟିଛନ୍ତି । ତୁରନ୍ତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଏମାନଙ୍କୁ ଭେଟିଛି ସଂଘ।
ସେହିପରି ରାଜ୍ୟ ବିଜେପି ମଧ୍ୟ ଏହି ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛି । ଘଟଣାରେ ସମ୍ପୃକ୍ତ ବିଧାୟକଙ୍କୁ ତୁରନ୍ତ ଗିରଫ କରିବା ଲାଗି ବିଜେପି ଦାବି କରିଛି । ଏହା ସହ ପୂର୍ବରୁ ବିଜେଡିର ଅନେକ ନେତା ଏପରି କରୁଥିବା ଅଭିଯୋଗ ଆସିଥିଲେ ମଧ୍ୟ ତାଙ୍କ ଉପରେ ଦଳ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଦର୍ଶାଇ ବିଜେଡି ବିରୋଧରେ ଗର୍ଜିଛି ବିଜେପି ।
ସୂଚନା ଥାଉକି, ନିମ୍ନମାନର ରାସ୍ତା କାମର ଅଭିଯୋଗ କରି ପାଟଣାଗଡ ବିଧାୟକ ସରୋଜ ମେହେର କନିଷ୍ଠ ଯନ୍ତ୍ରୀଙ୍କୁ ଉଠ୍ବସ୍ କରାଇଥିଲେ । ଯାହାର ଦୃଶ୍ୟ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଥିଲା ।
ଭୁବନେଶ୍ବରରୁ ତପନ ଦାସଙ୍କ ସହ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ