ଭୁବନେଶ୍ବର:ରାଜଧାନୀ ଭୁବନେଶ୍ବର । ସମସ୍ତଙ୍କ ସ୍ବପ୍ନ ଥାଏ ରାଜଧାନୀରେ ପାଠ ପଢିବେ ଓ ଚାକିରି ବି କରିବେ, କିନ୍ତୁ ଏଠାରେ ନାବାଳିକାଙ୍କୁ ବଡ ବାବୁ ସଜେଇ ଦେଲେ ଶିଶୁ ଶ୍ରମିକ । ପଢୁଆ ଝିଅର ପାଠ ବନ୍ଦ କରି ନାବାଳିକାକୁ କାମରେ ଲଗାଇଲେ ବଡ ବାବୁ । ହାତରେ ଧରାଇ ଦିଆଗଲା ଘରର ଚାକରାଣୀର କାମ। ଘର ପୋଛାଟୁ ଆରମ୍ଭ କରି ରୋଷେଇ,ଲୁଗାସଫାଠୁ ଆରମ୍ଭ କରି ଲାଟିନ ସଫା କାମ କରୁଥିଲେ ନାବାଳିକା ଜଣଙ୍କ । କେନ୍ଦ୍ରାପଡାରୁ ଆଣି ରାଜଧାନୀରେ ଚାକରଣୀ କରି ରଖିଥିଲେ ଷଷ୍ଠ ଶ୍ରେଣୀରେ ପାଠ ପଢୁଥିବା ନାବାଳିକାକୁ । ଶେଷରେ କୁନି ଝିଅର କାମରେ ଅସନ୍ତୁଷ୍ଟ ହୋଇ ଘର ମାଲିକ ଦେଇଥିଲେ ଚେଙ୍କ । ଏନେଇ ଚାଇଲ୍ଡ ଲାଇନ ଖବର ପାଇବା ପରେ ଶ୍ରମ ବିଭାଗ ସହାୟତାରେ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି । ଝିଅଟିର ବୟସ ୧୩ ବର୍ଷ ହୋଇଥିବା ଜଣାପଡିଛି ।
ମିଳିଥିବା ସୂଚନା ଅନୁଯାୟୀ ଭୁବନେଶ୍ବରର ମଞ୍ଚେଶ୍ବର ଅଞ୍ଚଳରେ ଜଣେ ବଡ ବାବୁ କେନ୍ଦ୍ରାପଡାର ଜଣେ ନାବାଳିକାଙ୍କୁ ଘରେ ଚାକରାଣୀ କରି ରଖିଥିଲେ । ପାଠ ପଢା ବୟସରେ ଝିଅଟି ଘରର ସମସ୍ତ କାମ କରୁଥିଲା । ତେବେ କୁନି ଝିଅଙ୍କ କାମ କରିବାରେ ଅସନ୍ତୁଷ୍ଟ ହୋଇ ମାଲିକ ଚେଙ୍କ ଦେଇଥିଲେ । ଝିଅଟିର ଚିତ୍କାର ଶୁଣି ପାଖ ପଡୋଶୀ ପୋଲିସକୁ ଖବର ଦେଇଥିଲେ । ଏନେଇ ଖବର ପାଇ ଚାଇଲ୍ଡ ଲାଇନ କମିଶନରେଟ ପୋଲିସ ସହାୟତାରେ ନାବାଳିକା ଜଣଙ୍କୁ ଉଦ୍ଧାର କରିଥିଲା । ଏହାପରେ ଏହି ଘଟଣା ନେଇ ମଚେଶ୍ବର ଥାନାରେ ଅଭିଯୋଗ ହେବାପରେ ଝିଅଟିକୁ ଭୁବନେଶ୍ବରକୁ କିଏ ଆଣିଲା ଓ କେତେ ଦିନ ଧରି ସେ ଏପରି ଚାକରାଣୀ କାମ କରୁଥିଲେ ସେନେଇ ପୋଲିସ ତଦନ୍ତ କରୁଛି ।