ଭୁବନେଶ୍ବର: ସୂଚନା ଓ ପ୍ରଯୁକ୍ତିବିଦ୍ୟା ତଥା କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଅଧ୍ୟକ୍ଷତାରେ ସୂଚନା ଓ ପ୍ରଯୁକ୍ତିବିଦ୍ୟା ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର ବିଭିନ୍ନ କାର୍ଯ୍ୟର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଲକଡାଉନ୍ କଟକଣା ଓ ସାମାଜିକ ଦୂରତ୍ବ ନିୟମକୁ କଡ଼ାକଡ଼ି ପାଳନ ସହ ମନ୍ତ୍ରୀ ବେହେରା ଖୁବକମ୍ ସଂଖ୍ୟକ ଅଧିକାରୀଙ୍କୁ ନେଇ ନିଜ ଲୋକସେବା ଭବନସ୍ଥିତ ପ୍ରକୋଷ୍ଠରେ ବିଭିନ୍ନ ବିଭାଗୀୟ କାର୍ଯ୍ୟର ସମୀକ୍ଷା କରିଛନ୍ତି ।
ପ୍ରଥମେ ଅନୁଷ୍ଠିତ ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗର ସମୀକ୍ଷା ବୈଠକରେ ଓଡ଼ିଶାରେ ଲକଡାଉନ୍ ଯୋଗୁଁ ଆଇଟି କ୍ଷେତ୍ରରେ ପ୍ରଭାବ ବିଷୟରେ ମନ୍ତ୍ରୀ ଆଲୋଚନା କରିବା ସହ କୋଭିଡ୍-୧୯ ପରିସ୍ଥିତିରେ ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ବିଷୟରେ ଆଲୋଚନା କରିଥିଲେ । ଏଥି ସହିତ ଚାଲୁ ରହିଥିବା ବିଭିନ୍ନ ପ୍ରକଳ୍ପର ଅଗ୍ରଗତି, ଓଡ଼ିଶାରେ ନିବେଶ ଲାଗି ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଏବଂ ଓଡ଼ିଶାର ବିଭିନ୍ନ ଆଇଟି କମ୍ପାନୀମାନଙ୍କ ବିଭିନ୍ନ ସମସ୍ୟା ବିଷୟରେ ମନ୍ତ୍ରୀ ବେହେରା ବିଭାଗୀୟ ଅଧିକାରୀମାନଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ । ପରେ ମନ୍ତ୍ରୀ କ୍ରୀଡ଼ା ଓ ଯୁବସେବା ବିଭାଗର ସମୀକ୍ଷା ବୈଠକରେ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କରିବା ସହ କୋଭିଡ୍-୧୯ ଯୋଗୁଁ ହୋଇଥିବା ବିଭିନ୍ନ କ୍ଷତି ସଂପର୍କରେ ଆଲୋଚନା କରିଥିଲେ ।