ଓଡିଶା

odisha

ETV Bharat / city

ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ ବିଲ ପାରିତ - ଓଡ଼ିଶା ବିଧାନସଭା ଖବର

ସ୍ବାସ୍ଥ୍ୟ ବିଶ୍ଵବିଦ୍ୟାଳୟ ସ୍ଥାପନା କରିବା ପାଇଁ ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟ ଆଇନ 9099 ନାମରେ ଏକ ବିଧେୟକ ପାରିତ ହୋଇଛି । ଅଧିକ ପଢ଼ନ୍ତୁ...

ବିରୋଧିଙ୍କ ହଟ୍ଟଗୋଳ ମଧ୍ୟରେ ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ ବିଲ ପାରିତ
ବିରୋଧିଙ୍କ ହଟ୍ଟଗୋଳ ମଧ୍ୟରେ ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ ବିଲ ପାରିତ

By

Published : Sep 2, 2021, 6:00 PM IST

Updated : Sep 3, 2021, 6:59 AM IST

ଭୁବନେଶ୍ବର: ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ପାରିତ ହେଲା ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ବିଲ୍ । ଏକ ସ୍ବାସ୍ଥ୍ୟ ବିଶ୍ଵବିଦ୍ୟାଳୟ ସ୍ଥାପନା କରିବା ପାଇଁ ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟ ଆଇନ 9099 (Odisha University of Health Sciences Act, 2021) ନାମରେ ଏକ ବିଧେୟକ ପାରିତ ହୋଇଛି । ଆଧୁନିକ ଔଷଧ, ମାନସିକ ରୋଗ ଚିକିତ୍ସା, ଦନ୍ତ ଚିକିତ୍ସା, ହୋମିଓପାଥି, ଆୟୁର୍ବେଦ, ନର୍ସିଂ, ଫାର୍ମାସୀ, ପାରା ମେଡିକାଲ, ଫିଜିଓଥେରାପି ଓ ଆଲାଏଡ଼ ମେଡିକାଲ ବିଜ୍ଞାନ ପାଠ୍ୟକ୍ରମରେ ସଠିକ ଶିକ୍ଷାଦାନ ଏହି ବିଧେୟକ ଦ୍ବାରା ସୁନିଶ୍ଚିତ କରାଯିବ ।

ତା ସହ ପ୍ରଶିକ୍ଷଣ ଏବଂ ଗବେଷଣାକୁ ଅଗ୍ରାଧିକାର ଦେବା ସହ ବିଭିନ୍ନ ମେଡିକାଲ ଓ ଆନୁଷଙ୍ଗିକ ବିଷୟରେ ଶୈକ୍ଷିକ କାର୍ଯ୍ୟକ୍ରମରେ ସମାନତା ଆଣିବା ଏହି ବିଧେୟକର ଉଦ୍ଦେଶ୍ୟ। ଏହାଦ୍ବାରା ଓଡିଶାରେ ଥିବା ୫୦୦ ରୁ ଉର୍ଦ୍ଧ୍ବ ବିଭିନ୍ନ ଶିକ୍ଷା ଅନୁଷ୍ଠାନ ଯଥା ନର୍ସିଂ, ଫାର୍ମାସୀ, ଆଲାଏଡ ମେଡିକାଲ ସାଇନ୍ସ, ଫିଜିଓଥେରାପି ଗୁଡ଼ିକୁ ସୂଚାରୁ ରୂପେ ନିୟନ୍ତ୍ରଣ କରିବ । ସହବଦ୍ଧ ଓ ସ୍ବୀକୃତିପ୍ରାପ୍ତ ଅନୁଷ୍ଠାନ ଗୁଡି଼କୁ ନିରୀକ୍ଷଣ କରିବା ଉଦ୍ଦେଶ୍ୟରେ ସ୍ଥାପିତ ନିକାୟ ଜରିଆରେ ଆବଶ୍ୟକସ୍ଥଳେ ସେଗୁଡିକୁ ନିରୀକ୍ଷଣ କରାଯିବ । ସେଗୁଡିକ ଦ୍ବାରା ଯେପରି ଉଚିତ ମାନର ଶିକ୍ଷାଦାନ ଓ ପ୍ରଶିକ୍ଷଣ ବ୍ୟବସ୍ଥା କରାଯିବ ତଥା ପର୍ଯ୍ୟାପ୍ତ ପାଠାଗାର, ପ୍ରୟୋଗଶାଳା, ଚିକିତ୍ସାଳୟ, ଅଧ୍ୟାପକ ଓ ଅନ୍ୟ ଶିକ୍ଷା ସଂପର୍କିତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ତାହା ସୁନିଶ୍ଚିତ କରିବା ଏହି ବିଧେୟକର ଉଦ୍ଦେଶ୍ୟ ।

ଏହାର ତଦାରଖ କରିବା ପାଇଁ କୁଳପତି, କୁଳସଚିବ, ପରୀକ୍ଷା ନିୟନ୍ତ୍ରକ, ଅର୍ଥ ହିସାବ ନିୟନ୍ତ୍ରଣକାରୀ, ପାଠ୍ୟସୂଚି ନିର୍ଦ୍ଦେଶକ ମାନଙ୍କୁ ବିଶ୍ବବିଦ୍ୟାଳୟର ଅଧିକାରୀ ରୂପେ ନିୟୋଜିତ କରାଯିବାର ବ୍ୟବସ୍ଥା ରହିଛି । ବିଶ୍ବବିଦ୍ୟାଳୟର ବିଭିନ୍ନ ପ୍ରାଧିକାରୀ ଗୁଡିକର ନାମ ହେଲା କାର୍ଯ୍ୟନିର୍ବାହୀ ବୋର୍ଡ ବିଦ୍ୟା ପରିଷଦ, ପାଠ୍ୟ ମଣ୍ଡଳୀ ଅର୍ଥ କମିଟି, ଗୁଣ ନିଶ୍ଚାୟକ ପରିଷଦ ।

ଭୁବନେଶ୍ବରରୁ ସଞ୍ଜୀବ ରାୟଙ୍କ ସହ ରୁଦ୍ର ନାରାୟଣ ଦାସ, ଇଟିଭି ଭାରତ

Last Updated : Sep 3, 2021, 6:59 AM IST

ABOUT THE AUTHOR

...view details