ଭୁବନେଶ୍ବର: ରାଜ୍ୟରେ ଦ୍ରୁତ ଗତିରେ କୋରୋନାର ୩ୟ ଲହର କାୟା ବିସ୍ତାର କରିବାରେ ଲାଗିଛି । ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ବଜାର ଓ ହାଟ ଉପରେ ନଜର ରଖାଯାଇଥିବାବେଳେ ଏହାର ବିକେନ୍ଦ୍ରୀକରଣ କରାଯିବ । ଆସନ୍ତା ଗୁରୁବାରଠାରୁ ରାସ୍ତାକଡ଼ରେ ହାଟ ବସିବ ବୋଲି ସୂଚନା ମିଳିଛି ।
କାରଣ ଜନଗହଳିପୂର୍ଣ୍ଣ ହାଟରେ ସାମାଜିକ ଦୂରତା ଓ ମାସ୍କ ପରିଧାନ ହେଉନଥିବା ପରିଲକ୍ଷିତ ହେଉଛି। ତେଣୁ ହାଟ ଓ ବଜାରର ବିକେନ୍ଦ୍ରୀକରଣ କରାଯିବ । ଏନେଇ ୟୁନିଟ-1 ହୋଲସେଲ ଓ ୟୁନିଟ-4 ଭଳି ଜନଗହଳି ପୂର୍ଣ୍ଣ ମାର୍କେଟ ରାସ୍ତା ଆଡକୁ ଉଠିବ । ପ୍ରଥମ ଓ ଦ୍ବିତୀୟ ଲହର ଭଳି ଅନୁରୂପ ପଦକ୍ଷେପ ନେବାକୁ ସମସ୍ତ ଜୋନାଲ ଡେପୁଟି କମିଶନରଙ୍କୁ BMC କମିଶନର ସଞ୍ଜୟ କୁମାର ସିଂଙ୍କ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ଆଧାର କରି ଜୋନାଲ ଡେପୁଟି କମିଶନର ମଙ୍ଗଳବାର ଦୁଇ ହାଟର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି ।