ଭୁବନେଶ୍ବର:ବିଏମସି ପାଳୁଛି ସ୍ବାୟତ୍ତ ଶାସନ ଦିବସ । ଏହି ଅବସରରେ ରାଜଧାନୀବାସୀଙ୍କୁ ଭେଟି ଦେଇଛି ବିଏମସି । ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ କରାଯାଇଛି । ଏନେଇ ବିଭିନ୍ନ ଓ୍ବାର୍ଡରେ ଚାଲିଛି ମାରାଥନ ଉଦଘାଟନ ଓ ଶିଳାନ୍ୟାସ ଉତ୍ସବ । ସହରର ଉନ୍ନତି ପାଇଁ ପୋଖରୀ ପୁନରୁଦ୍ଧାର, ବକ୍ସ ଡ୍ରେନେଜ, ନୂତନ ପାର୍କ, ଆରସିସି ଡ୍ରେନେଜ, ଏମସିସି, କମ୍ୟୁନିଟି ସେଣ୍ଟର ନିର୍ମାଣ, ରାସ୍ତା ଆଲୋକୀକରଣ, ପୋଖରୀ ଖନନ ଓ ମଡର୍ଣ୍ଣ ଭେଣ୍ଡିଂ ଜୋନ ଭିତ୍ତି ପ୍ରସ୍ତର ଭଳି ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛି ବିଏମସି ।
ବିଭିନ୍ନ ବିଭାଗର ମନ୍ତ୍ରୀ, ବିଧାୟକ,ମେୟର, କମିଶନର, ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ, କର୍ପୋରେଟର ମାନଙ୍କ କରକମଳରେ ପ୍ରକଳ୍ପ ଗୁଡିକର ଉଦଘାଟନ ଓ ଶିଳାନ୍ୟାସ କରାଯାଇଛି । ଭୁବନେଶ୍ବରର ସର୍ବାଙ୍ଗୀନ ଉନ୍ନତି ସହ କିଭଳି ରାଜଧାନୀବାସୀଙ୍କୁ ଉନ୍ନତ ମାନର ମୌଳିକ ସୁବିଧା ଯୋଗାଇ ଦିଆଯିବ । ସେନେଇ ଏସବୁ ପ୍ରକଳ୍ପର ଉଦଘାଟନ କରାଯାଇଛି । ୩ ଦିନ ଧରି ସ୍ବାୟତ୍ତ ଶାସନ ଦିବସ ପାଳନ କରାଯିବ । ବିଭିନ୍ନ ୱାର୍ଡରେ ପ୍ରାୟ ୬୧କୋଟି ଟଙ୍କାର ୪୦ରୁ ଅଧିକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରି ରାଜଧାନୀବାସୀଙ୍କୁ ଭେଟି ଦେଵ ବିଏମସି(Bhubaneswar Municipal Corporation) । ପ୍ରକଳ୍ପ ଗୁଡିକ ମଧ୍ୟରେ ମୁଖ୍ୟତଃ ଡ୍ରେନେଜ, ରାସ୍ତାଘାଟ, ଆଲୋକୀକରଣ, ପାର୍କ ଓ ଜଳାଶୟ ଗୁଡିକର ଉନ୍ନତିକରଣ କରାଯିବ । ସ୍ମାର୍ଟସିଟିକୁ କିଭଳି ଅଧିକ ସ୍ଵଚ୍ଛ, ନିର୍ମଳ ଓ ସୁନ୍ଦର ଭାବେ ଗଢି ତୋଳାଯାଇ ପାରିବ । ସେ ଦିଗରେ କାର୍ଯ୍ୟ କରାଯିବ ଏବଂ ଏଥିପାଇଁ ସହରବାସୀଙ୍କ ସହଯୋଗ ଓ ସହଭାଗୀତା କାମନା କରିଛନ୍ତି ଉଭୟ ମେୟର ଓ କମିଶନର।